ଅଭିଯୋଗକାରୀଙ୍କୁ ଥାନାରେ ମିଳୁନି ପିଇବା ପାଣି
କେନ୍ଦ୍ରାପଡ଼ା(ଓ୍ବାଇଏନଏସ): କେନ୍ଦ୍ରାପଡା ଟାଉନ ଥାନା, ନିକିରାଇ ଥାନା ଓ କେନ୍ଦ୍ରାପଡା ସଦର ଥାନାକୁ ବିଭିନ୍ନ ଘଟଣାର ଅଭିଯୋଗ କରିବାକୁ ଯାଉଥିବା ଅଭିଯୋଗକାରୀଙ୍କୁ ପିଇବାକୁ ପାଣି ଟୋପେ ମିଳୁନଥିବା ଅଭିଯୋଗ ହୋଇଛି। ପାଣି ଟୋପେ ନପାଇ ଅଭିଯୋଗକାରୀମାନେ ଡହଳବିକଳ ହେଉଥିବା ପ୍ରକାଶ କରିଛନ୍ତି। ସେହିପରି ଥାନା ଗୁଡିକ ନିକଟରେ ପିଇବା ପାଣି ଦୋକାନ ନଥିବାରୁ ଅଭିଯୋଗକାରୀଙ୍କ ଦୁର୍ଦ୍ଦଶା ଦୁଇଗୁଣିତ ହୋଇଛି। ପ୍ରତି ଥାନାରେ ଥଣ୍ଡା ପାନୀୟ ଜଳ ଅଭିଯୋଗକାରୀଙ୍କୁ ଯୋଗାଇ ଦେବାକୁ ପୋଲିସ ମହାନିର୍ଦ୍ଦେଶକ ନିକଟରେ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ କହିଥିଲେ ଗ୍ରୀଷ୍ମ ଋତୁରେ ଥାନାକୁ ଆସୁଥିବା କୈାଣସି ବ୍ୟକ୍ତି ପାନୀୟ ଜଳ ସମସ୍ୟାରେ ପଡିବେ ନାହିଁ। ପ୍ରତି ଥାନାରେ ଥଣ୍ଡା ପାନୀୟ ଜଳ ମେସିନ ଲାଗିବ। ଥାନା ଅଧିକାରୀମାନେ ଏହାକୁ ସୁନିଶ୍ଚିତ କରିବେ। କିନ୍ତୁ ପୋଲିସ ମହାନିର୍ଦ୍ଦେଶକଙ୍କ ଏହି ନିର୍ଦ୍ଦେଶ ପାଣିରେ ଗାର ସଦୃଶ ହୋଇଛି। ଅଭିଯୋଗକାରୀଙ୍କୁ ଥାନାରେ ପିଇବାକୁ ପାଣି ଟୋପେ ମିଳୁନି। ଅଭିଯୋଗକାରୀଙ୍କ ସହ ଥାନାକୁ ଆସୁଥିବା ବୟଷ୍କ ବ୍ୟକ୍ତି ଓ ପିଲାମାନେ ବିଶେଷକରି ପାଣି ଟୋପେ ପିଇବାକୁ ନପାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଥାନାଧିକାରୀ ନଥିବା ବେଳେ ଥାନାରେ ଅନ୍ୟ କର୍ମଚାରୀମାନେ ଅଭିଯୋଗକାରୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରୁନାହାନ୍ତି। ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ତଥା ଟାଣ ଖରାରେ ଥାନାକୁ ଯାଉଥିବା ଲୋକମାନଙ୍କୁ ପିଇବା ପାଣି ମିଳୁନଥିବାରୁ ସେମାନେ ଶୋଷରେ ଡହଳବିକଳ ହେଉଥିବା ବୁଦ୍ଧିିଜୀବୀମାନେ କହିଛନ୍ତି।