ସଡକ ଦୁର୍ଘଟଣା ଉପରେ ଚିନ୍ତା : ଭାରୀଯାନରେ ହେଲପର ନିଯୁକ୍ତି କରାଯାଉ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ରାଜ୍ୟରେ ଏବେ ସଡ଼କ ସୁରକ୍ଷା ମାସ ପାଳନ ହେଉଛି। ଦିନକୁ ଦିନ ବଢି ଚାଲିଛି ସଡ଼କ ଦୁର୍ଘଟଣା। ମୃତାହତ ଓ ଆହତଙ୍କ ସଂଖ୍ୟା ଆକଳନ କରିବାକୁ ସରକାରଙ୍କ ଜୁ ନାହିଁ। କ୍ଷୟକ୍ଷତି ଓ ଦୁଃଖ ଶୋକକୁ ମୁଲ୍ୟାୟନ କଲେ ରାଜ୍ୟ ବଜେଟ ନ୍ୟୁନ ହୋଇଯିବ। ବିଶେଷ କରି ଭାରୀଯାନ ଯୋଗୁଁ ହେଉଥିବା ମରଣାନ୍ତକ ଦୁର୍ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ଏହି ପ୍ରସଙ୍ଗକୁ ଗୁରୁତ୍ୱ ସହ ଉଠାଇ ସଡକ ସୁରକ୍ଷା ସମିତି ସଦସ୍ୟ ତଥା ଆଇନଜୀବୀ ବିଧୁଭୂଷଣ ମହାପାତ୍ର ରାଜ୍ୟ ପରିବହନ କତ୍ତୃପକ୍ଷଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଆବେଦନ ଦାଖଲ କରିଛନ୍ତି। ଆବେଦନରେ ଉଲ୍ଲେଖ ରହିଛି ଯେ ସଡ଼କ ସୁରକ୍ଷା ଦିବସ, ସପ୍ତାହ, ପକ୍ଷ ଓ ମାସ ପାଳନ ସତ୍ତ୍ୱେ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ। ବିଶେଷତଃ ଭାରୀଯାନ ଚଳାଚଳ ସମୟରେ ଡ୍ରାଇଭରଙ୍କ ସହ ହେଲ୍ପର ରହୁ ନଥିବା ଯୋଗୁଁ ଦୁର୍ଘଟଣାର ଏହା ମୁଖ୍ୟ କାରଣ ଭାବେ ଚିହ୍ନଟ ହେଉଛି। ଆଇନଜୀବୀ ଶ୍ରୀ ମହାପାତ୍ର ତାଙ୍କ ଆବେଦନରେ କହିଛନ୍ତି ଯେ ଭାରୀଯାନ ଚାଳକମାନେ ଡ୍ରାଇଭିଂ ସମୟରେ ବାମ ପାର୍ଶ୍ୱ ଉପରେ ଛ ଇଞ୍ଚିଆ ମିରରରେ ସଠିକ୍ ନଜର ରଖିପାରୁନଥିବାରୁ ଅନେକ ସମୟରେ ସାଧାରଣ ଲୋକ, ପଶୁ ଓ ସମ୍ପତ୍ତି କ୍ଷତିଗ୍ରସ୍ତ ହେଉଛି। ଯଦି ଯାନରେ ଏକ ହେଲ୍ପର କିମ୍ବା ସହକାରୀ ଡ୍ରାଇଭର ଥାଆନ୍ତା ତେବେ ଏପରି ଅନେକ ଦୁର୍ଘଟଣା ରୋକାଯାଇ ପାରିଥାନ୍ତା। ପ୍ରତ୍ୟେକ ଭାରୀଯାନ ନିର୍ମାଣ ସମୟରେ ସହକାରୀ ଡ୍ରାଇଭର/ହେଲ୍ପରଙ୍କ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଗାଡିମାଲିକ ଓ ଅପରେଟରମାନେ ଖର୍ଚ୍ଚ ବଞ୍ଚାଇବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥାକୁ ଅନୁସରଣ କରୁନାହାନ୍ତି। ଯାହା ଦୁର୍ଘଟଣା ବୃଦ୍ଧିର ଏକ ବଡ଼ କାରଣ। ଏହି ପରିପ୍ରେକ୍ଷୀରେ ସେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଯେ ପ୍ରତ୍ୟେକ ଟ୍ରକ୍, ହାଇୱା ଓ ଟିପର ଭଳି ଭାରୀଯାନ ଗୁଡିକରେ ହେଲ୍ପର ନିଯୁକ୍ତିକୁ ବାଧ୍ୟତାମୂଳକ କରାଯାଉ। ହେଲ୍ପର ବିନା ଯାନ ଚଳାଚଳ କରୁଥିବା ମାଲିକ, ଅପରେଟର ଓ ସେମାନଙ୍କ ସଂଘଗୁଡ଼ିକ ଉପରେ କଠୋର ନିୟମ ଲାଗୁ କରିବା ପାଇଁ ମଧ୍ୟ ସେ ଦାବି କରିଛନ୍ତି। ସଡ଼କ ସୁରକ୍ଷା ଦୃଷ୍ଟିରୁ ଏହି ପ୍ରସ୍ତାବକୁ ବୁଦ୍ଧିଜିବୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମର୍ଥନ ମିଳୁଛି। ଯଦି ଏହି ଦାବିକୁ କାର୍ଯ୍ୟକାରୀ କରାଯାଏ, ତେବେ ୮୦ପ୍ରତିଶତ ଦୁର୍ଘଟଣା କମିବା ସହ ବହୁ ମୂଲ୍ୟବାନ ଧନ ଜୀବନ ରକ୍ଷା ପାଇପାରିବ। ଏହି ଗୁରତ୍ୱପୂର୍ଣ୍ଣ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ପୂର୍ବରୁ ଥିବା ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଗଲେ ସମାଜ ଓ ରାଜ୍ୟ ରକ୍ଷା ପାଇଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର ଏହି ଦାବିରେ ରାଜ୍ୟ ପରିବହନ କତ୍ତୃପକ୍ଷଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।


