ଓସିଏସ୍‍ ପାଇଥିବା ଚିନିଶିଳ୍ପ ନୁଆଗାଁର ମାମିନୀଙ୍କୁ ସମ୍ବର୍ଦ୍ଧନା

ଆସିକା  (ୱାଇଏନ୍‍ଏସ୍‍): ଓଡିଶା ଲୋକସେବା ଆୟୋଗ (ଏପିଏସ୍‍ସି) ଦ୍ୱାରା ପରିଚାଳିତ ୨୦୨୩ ବର୍ଷର ଓଡିଶା ପ୍ରଶାସନିକ ସେବା (ଓସିଏସ୍‍) ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଆସିକା ବ୍ଳକ ଅଧୀନସ୍ଥ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁର ସୁନାଝିଅ ମାମିନୀ କୁମାରୀ ପରିଡାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ଚିନିଶିଳ୍ପ ନୁଆଗାଁ ସୁରକ୍ଷା ମଞ୍ଚର ସଭାପତି ନିରଞ୍ଜନ ନାୟକ, ବରିଷ୍ଠ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଆସିକା ଏନ୍‍ଏସିର କାଉନସିଲର ସରୋଜ କୁମାର ଭଂଜ, ଶିକ୍ଷାବିଭାଗର ଅବସରପ୍ରାପ୍ତ ଅନୁନୀରିକ୍ଷକ ରାଜେଶ୍ୱର ପାତ୍ର, ସମାଜସେବୀ ବିଜୟ କୁମାର ନାୟକ, ରଂଜନ କୁମାର ରାଉତ, ରଘୁନାଥ ପରିଡା, ସୁଦର୍ଶନ ନାୟକ, ଡକ୍ଟର ରାଉତ, ଦୀପକ କୁମାର ପ୍ରଧାନଙ୍କ ସମେତ ବହୁ ସଚେତନ ନାଗରିକ ଓସିଏସ୍‍ ପରୀକ୍ଷାରେ ସଫଳତା ପାଇଥିବା ମାମିନୀ କୁମାରୀ ପରିଡାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସାଙ୍ଗକୁ ଜୀବନର ମୂଲ୍ୟବୋଧକୁ ହୃଦୟଙ୍ଗମ କରି ଦିବ୍ୟଗୁଣ ଧାରଣ କରିବା ଦ୍ୱାରା ଜୀବନର ମହନୀୟତା ପ୍ରତିପାଦିତ ହୋଇଥାଏ, ତେଣୁ ଜୀବର ସାର୍ଥକତା ପ୍ରମାଣିତ କରିବାକୁ ହେଲେ ସଫଳତାର ସ୍ରୋତକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଅବିରତ ପ୍ରୟାସ, କଠିନ ପରିଶ୍ରମ ଓ ଉଚ୍ଚକୋଟୀର ଯୋଜନା ଏବଂ ଚିନ୍ତାଧାରା ହିଁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ ବୋଲି ପ୍ରକାଶ କରିଥିଲେ । ଓଡିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୩ ରେ ଆସିକା ବ୍ଳକ ଅନ୍ତର୍ଗତ ଚିନିଶିଳ୍ପ ନୁଆଗାଁ ଅଞ୍ଚଳର ବାସିନ୍ଦା ମାମିନୀ କୁମାରୀ ପରିଡା ସମଗ୍ର ରାଜ୍ୟରେ ୧୧୫ତମ ର‌୍ୟାଙ୍କ ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ବୋଲି ବରିଷ୍ଠ ସମାଜସେବୀ ନିରଞ୍ଜନ ନାୟକ ପ୍ରକାଶ କରିଥିଲେ । ନିଜର ନିଷ୍ଠା, ଏକାଗ୍ରତା ଓ ଅଧ୍ୟାବସାୟ ବଳରେ ସଫଳତା ପାଇ ପିତା ଅବସରପ୍ରାପ୍ତ ଶିକ୍ଷକ ଦିଲୀପ କୁମାର ପରିଡା ଓ ମାତା ତଥା ସହକାରୀ ଶିକ୍ଷୟିତ୍ରୀ ଉର୍ମିଳା କୁମାରୀ ନାହାକଙ୍କ ସୁକନ୍ୟା ମାମିନୀ କୁମାରୀ ପରିଡା ନିଜ ପରିବାରବର୍ଗ, ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରି ଓସିଏସ୍‍ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା, ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ