କଟକ ଚୌଦ୍ୱାର ଜେଲରୁ କଏଦୀ ଫେରାର ପଛରେ ଷଡଯନ୍ତ୍ର

କଟକ(ଓ୍ବାଇଏନଏସ) : ଚୌଦ୍ବାର ସର୍କଲ୍‌ ଜେଲରୁ ଦୁଇ ଦୁର୍ଦ୍ଦାନ୍ତ କଏଦୀ ଫେରାର ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏମାନଙ୍କ ଫେରାର ପଛରେ କିଏ ? କିଏ ରଚିଥିଲା ଏହି ଷଡ଼ଯନ୍ତ୍ର ? ଅପରାଧୀଙ୍କୁ ସଜ୍ଜା ବଦଳରେ ଖସିବା ପାଇଁ ହେଉଛି କି ଚଞ୍ଚକତା ? କିଏ ତିଆରି କରୁଥିଲା ବ୍ଲୁ ପ୍ରିଣ୍ଟ ? ଏହି ପ୍ରଶ୍ନର ଉତ୍ତର ଜେଲ ବିଭାଗ ଖୋଜୁଥିଲା ବେଳେ ବର୍ତ୍ତମାନ ଜେଲ୍‌ ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ପୂର୍ବତନ ଜେଲର୍‌ ସନ୍ତୋଷିନୀ ଦାସଙ୍କ ମୁହାଁମୁହିଁ ଘଟଣା, ଜେଲର ସୁରକ୍ଷା ଦିଗ ଉପରେ ଉଠାଇଛି ବଡ଼ ପ୍ରଶ୍ନ ? ଉଭୟ ପରସ୍ପରଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ଚୌଦ୍ୱାର ଥାନାରେ ରୁଜୁ ହୋଇଛି ମାମଲା । ଅଭିଯୋଗକୁ ଭିତ୍ତି କରି ଆରମ୍ଭ କରିଛି ତଦନ୍ତ କମିଶନରେଟ ପୋଲିସ । ଅସୁରକ୍ଷିତ ଚୌଦ୍ୱାର ଜେଲ ! କିଏ କହୁଛି ସତ ? ଅଧିକ୍ଷକ ନାଁ ଜେଲର ? ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଫେରାର ହେବା ପରେ ଚୌଦ୍ବାର ଜେଲକୁ ଲାଗି ସାରିଛି କଳଙ୍କର ଟିକା । ବାଡ଼ ଫସଲ ଖାଇବା ପରି ଅଭିଯୋଗ ଆସିବା ପରେ ବର୍ତ୍ତମାନ ଜେଲ ବିଭାଗର କର୍ତ୍ତବ୍ୟ ଉପରେ ଉଠିଛି ପ୍ରଶ୍ନ ? ବର୍ତ୍ତମାନ ସୁଦ୍ଧା ଫେରାର ଦୁଇ ଅଭିଯୁକ୍ତଙ୍କ ପତ୍ତା ମିଳୁନଥିବା ବେଳେ, ଜେଲର ବରିଷ୍ଠ ଅଧୀକ୍ଷକ ସୁଜିତ ରାଉଳ ଓ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ କର୍ତ୍ତବ୍ୟରେ ଚଞ୍ଚକତାକୁ ନେଇ ଉଭୟ ଉଭୟଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କଏଦୀ ଖସିବା ଦିନ ଜେଲ୍ ଗେଟ୍‌ ପ୍ରବେଶ-ପ୍ରସ୍ଥାନ ରେଜିଷ୍ଟର୍‌ରେ ଉ‌ଦ୍ଦେଶ୍ୟମୂଳକ ଭାବେ ଜାଲିଆତି କରିଛନ୍ତି ଅଧୀକ୍ଷକ । ସବୁ କିଛି ନିଜ ଜ୍ଞାତସାରରେ ହୋଇଥିବା ସିଧାସଳଖ ଏତଲାରେ ଉଲ୍ଲେଖ କରିଛନ୍ତି ପୂର୍ବତନ ଜେଲର୍‌ ସନ୍ତୋଷିନୀ ଦାସ । ସେହିପରି ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ‌ମଧ୍ୟ ପୂର୍ବତନ ଜେଲର୍‌ ସନ୍ତୋଷିନୀ ଦାସଙ୍କ ବିରୋଧରେ ପାଲଟା ଏତଲା ଦେଇଛନ୍ତି । ଜେଲ୍ କ୍ୟାଣ୍ଟିନରେ ଟଙ୍କା ହେରଫେର୍‌ ସହିତ ଫେରାର ଦୁଇ ଅଭିଯୁକ୍ତଙ୍କୁ ଠିକ୍ ଭାବେ ନ ଜଗିବା, କଏଦୀମାନଙ୍କୁ ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ଭଳି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି । ଉଭୟଙ୍କ ଅଭିଯୋଗ ଆଧାରରେ ୩୫/୨୦୨୬ ଏବଂ ୩୭/୨୦୨୬ରେ ଦୁଇଟି ମାମଲା ରୁଜୁ କରିଛି ଚୌଦ୍ବାର ପୋଲିସ । ଗୋଟିଏ ପଟେ ଜେଲ ବିଭାଗର ଦୋଷ ଟଣାଓଟରା ଭିତରେ ସରକାର ନିଜେ ଏହି ଦିଗରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ । ଏନେଇ ବରିଷ୍ଠ ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି,” ୨୦୨୫ ଅକ୍ଟୋବର ୩ରେ ଦୁର୍ଗା ପୂଜା ଭସାଣି ଦିନ ରାଜା ସାହାଣୀ ଓ ମଧୁକାନ୍ତ କୁମାର ନାମକ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚୌଦ୍ବାର ଜେଲରୁ ଚମ୍ପଟ ମାରିଥିଲେ । କିନ୍ତୁ ଏଯାବତ୍ ସେମାନଙ୍କ ଟେର ପାଇନି ଓଡ଼ିଶା ପୋଲିସ । ଏହାରି ଭିତରର ଦୁଇ ଜେଲ ପଦାଧିକାରୀଙ୍କ କାଦୁଅ ଫିଙ୍ଗା ଘଟଣା ଜେଲ ବିଭାଗକୁ କାଠଗଡ଼ାକୁ ଟାଣିଛି ଏବଂ ଜେଲ ସୁରକ୍ଷା ଦିଗରେ ଏକ ପ୍ରଶ୍ନ ସୃଷ୍ଟି କରିଛି । ପୋଲିସ ଲଗାଇଥିବା ଦଫାରେ ଉଭୟ ଗିରଫ ହେବାର ସମ୍ଭାବନା ରହିଥିଲା ବେଳେ ଏହି ଦିଗରେ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଏହାର ତଦନ୍ତ କରିବା ଆବଶ୍ୟକ । ଏହାବ୍ୟତୀତ ରାଜ୍ୟରେ ଥିବା ସମସ୍ତ ଜେଲ ସୁରକ୍ଷା ଦିଗରେ ସରକାର କଡା ଆଭିମୁଖ୍ୟ ଗ୍ରହଣ ନକଲେ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ଘଟିପାରେ । ତେଣୁ ଏବେଠୁ କଠୋର ହେବା ଆବଶ୍ୟକ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ