କେନ୍ଦୁଝର ଖଣି ବିଭାଗ ଚୁପ: ୨୦ ବାଲି ବୋଝେଇ ହାଇୱା ଜବତ କଲା ଭଦ୍ରକ ଖଣି ବିଭାଗ ଓ ପୁଲିସ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧୂନ ବିଭିନ୍ନ ବାଲି ଘାଟରୁ ଦୈନନ୍ଦିନ ବହୁ ସଂଖ୍ୟାରେ ବାଲି ବୋଝେଇ ହାଇୱା ଗୁଡିକ ବେଆଇନ ଭାବେ ଆନନ୍ଦପୁର- ଭଦ୍ରକ ରାଜ୍ୟ ରାଜପଥ ଦେଇ ବାହାର ରାଜ୍ୟକୁ ବାଲି ଚୋରା ଚାଲାଣ କରିଆସୁଛନ୍ତି । କେନ୍ଦୁଝର ପୋଲିସ ଓ ଖଣି ବିଭାଗ ଥରେ ଦୁଇଥର ଚଢ଼ାଉ କରି ଚୁପ ହୋଇଯିବା ପରେ ଏବେ ଖୁଲାମ ଖୁଲା ବାଲି ଚାଲାଣ କରାଯାଉଛି। ସମ୍ପୂର୍ଣ୍ଣ ବେଆଇନି ଭାବେ ଗୋଟିଏ ଦୁଇଟି ନୁଁହ ୬/୭ ଟି ଲେଖାଏଁ ମେସିନ ବ୍ୟବହାର କରାଯାଇ ବାଲି ଲୋଡିଂ କରାଯାଉଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ। ଲିଜଧାରି ଶ୍ରମିକଙ୍କ ଦ୍ୱାରା ଲୋଡିଂ କରିବାକୁ ଚୁକ୍ତିନାମା କରିଥିବା ବେଳେ କିପରି ମେସିନ ଲୋଡ଼ିଂ କରାଯାଉଛି ଓ ତାହା ଖଣି ବିଭାଗ ଜାଣି ଅଜଣା ରହୁଛି ତାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି। ସେହିପରି ନିୟମିତ ବିନା ଟ୍ରାଂଜିଟ ପରମିଟରେ ଶହ ଶହ ବାଲିବୋଝେଇ ହାଇୱା ଏହି ରାସ୍ତାରେ ଚାଲୁଛି। ଧର୍ମକୁ ଆଖିଠାର ଭଳି ପୋଲିସ ଓ ଖଣି ବିଭାଗ ଗୋଟିଏ ଦୁଇଟି ଗାଡି ଜବଦ କରି ବାହାବା ନେଉଛି। ଗତକାଲି ଭଦ୍ରକ-ଆନନ୍ଦପୁର ୫୩ ରାଜପଥର ଆପଣ୍ଡା ଛକ ଠାରୁ ବନ୍ତ ବଜାର ପର୍ଯ୍ୟନ୍ତ ଖଣି ବିଭାଗ ଓ ବନ୍ତ ପୋଲିସ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା । ଏହି ଚଢଉରେ ମୋଟ ୨୦ଟି ବେଆଇନ ବାଲି ବୋଝଇ ହାଇୱା ଜବତ କରାଯିବା ସହ ମାଲିକଙ୍କ ନାମରେ ମାମଲା ରୁଜୁ ଜରାଯାଇ ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ଖଣି ବିଭାଗ ପକ୍ଷରୁ ୧୧ଟି ବାଲି ବୋଝେଇ ହାଇୱାକୁ ଜବତ କରାଯାଇଥିବା ବେଳେ ୫ ବାଲି ବୋଝେଇ ହାଇୱା ରାସ୍ତା ପାର୍ଶ୍ବରେ ବାଲି ଢାଳି ଖସି ଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କୁ ଅଟକ ରଖାଯାଇଛି । ସେହିପରି ବନ୍ତ ପୋଲିସ ପକ୍ଷରୁ ୪ ବାଲି ବୋଝେଇ ହାଇୱାକୁ ଜବତ କରାଯାଇ ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇ ଜରିମାନା ଆଦାୟ ହୋଇଛି। ତେବେ ଭଦ୍ରକ ଜିଲ୍ଲାର ଖଣି ବିଭାଗ ଓ ପୋଲିସର ଏହି ମିଳିତ ଚଢଉ ଫଳରେ ବାଲି ମାଫିଆ ମାନେ ଏକ ପ୍ରକାର ଭୟଭୀତ ହୋଇଯାଇଥିବା ଜଣାଯାଇଛି । ଅନ୍ୟ ପକ୍ଷରେ କେନ୍ଦୁଝର ଖଣି ବିଭାଗ ଓ ପୋଲିସ ର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।


