ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଠକାମୀର ଶୀକାର ହେଉଛନ୍ତି ଗ୍ରାହକ: ଓଜନ ଯନ୍ତ୍ର ଓ ବଟକରା ଯାଞ୍ଚ ଦାବୀ

ଆସିକା (ୱାଇଏନ୍‍ଏସ୍‍) :  ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ରାତି ପାହିଲେ ପ୍ରତିଦିନ ଗ୍ରାହକମାନେ ତେଜରାତି ସାମଗ୍ରୀ ଠାରୁ ଆରମ୍ଭ କରି ପନିପରିବା, ମାଛମାଂସ, ଫଳମୂଳ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ କରିଥାନ୍ତି । ଦୋକାନୀ ମଧ୍ୟ ଗ୍ରାହକଙ୍କ ଆଗରେ ଓଜନ କରି ସାମଗ୍ରୀ ଦର ଅନୁଯାୟୀ ଯୋଗାଇଥାନ୍ତି । ତେବେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ଅସାଧୁ ବ୍ୟବସାୟୀ ଗ୍ରାହକଙ୍କୁ ଓଜନରେ ଠକି ସ୍ପଷ୍ଟ ଦିବାଲୋକରେ ଅଭିନବ ଉପାୟରେ ଲୁଟୁଥିବା ଅଭିଯୋଗ ହେଉଛି । ମାପ ଓ ଓଜନ ବିଭାଗର ନିଷ୍କ୍ରିୟତା ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ଅଞ୍ଚଳରେ ଶହ ଶହ ଗ୍ରାହକ ଦୈନିକ ବିଭିନ୍ନ ସାମଗ୍ରୀର କ୍ରୟ ସମୟରେ ଓଜନରେ ଠକେଇର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଦିନକୁ ଦିନ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାରେ ଲାଗିଛି । ଗ୍ରୋସୋରୀ ଠାରୁ ଆରମ୍ଭ କରି ଫଳ, ମାଛମାଂସ, ପନିପରିବା ଭଳି ଅନେକ ସାମଗ୍ରୀ ଅଛି ଯେଉଁଥିରେ କି ବଟକରା ଓ ଓଜନ ଯନ୍ତ୍ରରେ ଓଜନ କରାଯାଉଛି । ବହୁ ବ୍ୟବସାୟୀ ବଟକରା କିମ୍ବା ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ବ୍ୟବହାର କରୁଥିବା ବେଳେ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନରେ ଗ୍ରାହକଙ୍କୁ ଠିକ୍‍ ଓଜନର ସାମଗ୍ରୀ ମିଳୁନଥିବା ଅଭିଯୋଗ ହେଉଛି । ଯାହା ମିଳୁଛି ସେଥିରେ ୫୦ରୁ ଆରମ୍ଭ କରି ୧୫୦ ଗ୍ରାମ ପର୍ଯ୍ୟନ୍ତ କମ୍‍ ରହୁଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଯେଉଁମାନେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବେ ଓ ମାପ ପାଇଁ ବିଭିନ୍ନ ବଟକରା କ୍ରୟ କରିବେ ସେମାନେ ପ୍ରଥମେ ସହକାରୀ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟକୁ ଯାଇ ସେଠାରେ କ୍ରୟ ହୋଇଥିବା ବଟକରା କିମ୍ବା ଓଜନ ଯନ୍ତ୍ରର ନୀତିନିୟମ ଅନୁଯାୟୀ ପରୀକ୍ଷା କରିବେ ଓ ବିଭାଗୀୟ କର୍ତ୍ତୃପକ୍ଷ ସିଲ୍‍ ମାରି ବ୍ୟବସାୟୀଙ୍କୁ ଦେବା ପରେ ସେମାନେ ଉକ୍ତ ବଟକରା ଓ ଓଜନ ଯନ୍ତ୍ରକୁ ବ୍ୟବହାର କରି ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇଦେବେ । ପ୍ରତିବର୍ଷ କ୍ରୟ କରାଯାଇଥିବା ଓଜନ ଯନ୍ତ୍ର ଓ ବଟକରାକୁ ସହକାରୀ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟର ପରୀକ୍ଷାଗାରକୁ ନିଆଯାଇ ପରୀକ୍ଷା କରାଯିବ । ସେଠାରୁ ଏନ୍‍ଓସି ମିଳିବା ପରେ ପୁଣି ବ୍ୟବସାୟୀମାନେ ଉକ୍ତ ବଟକରା କିମ୍ବା ଓଜନ ଯନ୍ତ୍ରକୁ ବ୍ୟବହାର କରିପାରିବେ । ତେବେ ବହୁ ଅସାଧୁ ବ୍ୟବସାୟୀ ଓଜନ ମେସିନ୍‍କୁ ଟ୍ୟାମ୍ପେରିଂ କରି ଗ୍ରାହକଙ୍କୁ ରୀତିମତ ଠକୁଥିବା ଅଭିଯୋଗ ହେଉଛି । ବଟକରା ବ୍ୟବହାର କରୁଥିବା କେତେକ ବ୍ୟବସାୟୀ ମଧ୍ୟ ଗ୍ରାହକଙ୍କୁ ଓଜନରେ ଲୁଟୁଥିବା ଆଲୋଚିତ ହେଉଛି । ମାପ ଓ ଓଜନ ବିଭାଗ ପକ୍ଷରୁ ନିୟମିତ ଗ୍ରାହକଙ୍କୁ ସଚେତନତା କରାଯିବା ତ ଦୂରର କଥା ବଟକରା ଓ ଓଜନ ଯନ୍ତ୍ରକୁ ଯାଞ୍ଚ କରାଯାଉନଥିବା ଯୋଗୁଁ ଆସିକାରେ ବହୁ ଗ୍ରାହକ ଠକାମୀର ଶୀକାର ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତପକ୍ଷ ତୁରନ୍ତ ଧ୍ୟାନ ଦେଇ ଗ୍ରାହକମାନଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ବଟକରା ଓ ଓଜନ ଯନ୍ତ୍ର ମେସିନ୍‍ଗୁଡିକୁ ନିୟମିତ ଯାଞ୍ଚ କରିବା ସାଙ୍ଗକୁ ଯଦି କିଛି ଅନିୟମିତତା ଧରାପଡେ ତେବେ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ