ବାଇକ-ସ୍କୁଟି ମୁହାଁମୁହିଁ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ: ୨ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):  ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାର ଗଣିଆନାଳ ଛକ ନିକଟସ୍ଥ ମାଁ କୁରେଇଶୁଣି ମନ୍ଦିର ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଟାରେ ଏକ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ସାନଖେମୁଣ୍ଡି ବ୍ଳକ ଗଙ୍ଗାପୁର ପଞ୍ଚାୟତ ଢେପାଗୁଡା ଗ୍ରାମର ପ୍ରତାପ ମଲ୍ଲିକ (୩୫) ଓ ସ୍ତ୍ରୀ ଲଳିତା ମଲ୍ଲିକ (୩୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ୨ ବର୍ଷରୁ ଉର୍ଦ୍ଧ୍ଵ ଶିଶୁ ସମେତ ଆର୍. ଉଦୟଗିରି ଅଞ୍ଚଳର ବାଇକ ଚାଳକ ସୁନୀଲ ଦଳାଇ (୩୬) ଗୁରୁତର ହୋଇଛନ୍ତି । ଲଳିତା ୮ ମାସର ଗର୍ଭବତୀ ରହିଥିବା ହେତୁ ମଧ୍ୟାହ୍ନ ସମୟରେ ସ୍ବାମୀ ଓ ଶିଶୁ ସହ ସ୍କୁଟି ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଯାଇଥିଲେ । ମେଡିକାଲ କାମ ସାରି ସନ୍ଧ୍ୟାରେ ଗ୍ରାମକୁ ଫେରୁଥିବା ବେଳେ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ସୁନୀଲଙ୍କ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ସମସ୍ତେ ରାସ୍ତାର ଉଭୟ ପାର୍ଶ୍ଵରେ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ତେବେ ଉପସ୍ଥିତ ଡାକ୍ତର ପ୍ରତାପ ଓ ଲଳିତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଗୁରୁତର ସୁନୀଲଙ୍କ  ଚିକିତ୍ସା କରାଯାଉଛି। ତେବେ ଶିଶୁଟି ମାଆ ବାପାକୁ ହରାଇ ବାହୁନି ବାହୁନି କାନ୍ଦୁଥିବା ବେଳେ ମେଡିକାଲ ପରିସର ପରିବାର ଲୋକଙ୍କ କ୍ରନ୍ଦନରେ ଫାଟି ପଡୁଥିଲା । ଖବରପାଇ ଦିଗପହଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ଦୁଇ ମୃତଦେହ ଜବତ କରି ତଦନ୍ତ ଚଳାଇବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରିଛନ୍ତି । ଶନିବାର ସକାଳୁ ଶବ ବ୍ୟବଚ୍ଛେଦ କରାଯିବ  ବୋଲି ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ