ଘୋଡାହାଡ଼ ଡ଼୍ୟାମରେ କୁମ୍ଭୀର ଗଣନା ଶୁଭାରମ୍ଭ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ଘୋଡ଼ାହାଡ଼ ଡ଼୍ୟାମ ରେ ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଠାରୁ କୁମ୍ଭୀର ଗଣନା କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ ବୁଧବାର ଅପରାହ୍ନରେ ସମାପ୍ତ ହେବ। କୁମ୍ଭୀର ଗଣନା ପାଇଁ ବନ ବିଭାଗ ପକ୍ଷରୁ ୨୫ ଟି ଟିମ୍ ଗଠନ କରାଯାଇଛି। ଦିଗପହଣ୍ଡି ବନ ବିଭାଗ କାର୍ଯ୍ୟାଳୟ ଭାରପ୍ରାପ୍ତ ରେଞ୍ଜର ସନ୍ତୋଷ ବିଷୋୟୀ ରତ୍ନ ଙ୍କ ନେତୃତ୍ୱରେ ୨୫ ରୁ ଉର୍ଦ୍ଧ୍ବ ବନ କର୍ମଚାରୀ କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଗଣନା କାର୍ଯ୍ୟ ନିମନ୍ତେ ଡ଼୍ୟାମ ର ୧୦ ଟି ସେଗମେଣ୍ଟ ସହ ୧୬ ଟି ପୋଖରୀ କୁ ଚିହ୍ନଟ କରାଯାଇଛି। ଗଣନା ଅନୁଯାୟୀ ଗତ ୨୦୨୨ ରେ କୁମ୍ଭୀରଙ୍କ ସଂଖ୍ୟା ୭୬ ରହିଥିବା ବେଳେ ୨୦୨୩ ରେ ତାହା ବୃଦ୍ଧିପାଇ ୮୧ ରେ ପହଞ୍ଚିଥିଲା।ସେହିପରି ୨୦୨୪ ରେ ଏହାର ସଂଖ୍ୟା ୮୪ ଏବଂ ୨୦୨୫ ରେ ଗଣନା ରୁ ୮୭ କୁମ୍ଭୀର ଥିବା ବନ ବିଭାଗ ରିପୋର୍ଟ ରୁ ସୂଚନା ମିଳିଛି।ସୋମବାର ଡ଼୍ୟାମ ସଂଲଗ୍ନ ଇକୋ ରିଟ୍ରିଟ ପରିସରରେ ଆୟୋଜିତ କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିରରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ର ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନିି ଖୋଖର ଅଧ୍ୟକ୍ଷତା କରିଥିଲେ।ପ୍ରଶିକ୍ଷକ ଭାବେ ଏସିଏଫ୍ ସସ୍ମିତା ବିଶ୍ଵାଳ,ଗଞ୍ଜାମ ବିଜ୍ଞାନ କଲେଜ ଜୀବ ବିଜ୍ଞାନ ପ୍ରାଧ୍ୟାପକ ଡ଼. ମହେନ୍ଦ୍ର ସେଠୀ ଯୋଗଦେଇ କୁମ୍ଭୀର ଗଣନା କାର୍ଯ୍ୟକ୍ରମରେ ନିୟୋଜିତ ବନ କର୍ମଚାରୀ ମାନଙ୍କୁ କୁମ୍ଭୀର ର ଗତିବିଧି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଚଳିତବର୍ଷ ଡ଼୍ୟାମ ଏବଂ ଆଖପାଖ ପୋଖରୀ ଗୁଡିକରେ କୁମ୍ଭୀର ଙ୍କ ସଂଖ୍ୟା ପୂର୍ବବର୍ଷ ମାନଙ୍କ ତୁଳନାରେ ବୃଦ୍ଧି ନେଇ ଆଶା ରଖାଯାଇଥିବା ବନଖଣ୍ଡ ଅଧିକାରୀ କହିଛନ୍ତି।


