ସଞ୍ଜ ନଇଁଲେ ନନ୍ଦିପଦା ଅଞ୍ଚଳରେ ବାହାର ଜିଲ୍ଲାର ଯୁବକଙ୍କ ଭିଡ଼
ହାଟଡିହି (ଓ୍ବାଇଏନଏସ): ଦିନ ଯେତେ ଗଡୁଛି,ସଞ୍ଜ ନଇଁବା ପରେ ନନ୍ଦିପଦା ଥାନା ଅଞ୍ଚଳରେ ସେତେ ବଢ଼ୁଛି ବାହାର ଜିଲ୍ଲାର ଅଜଣା ଯୁବକଙ୍କ ଯାତାୟାତ। ସନ୍ଧ୍ୟା ହେବା ମାତ୍ରେ ବିଭିନ୍ନ ଛକ, ବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଏମାନଙ୍କର ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। କିଏ ଭଦ୍ରକ ଜିଲ୍ଲାରୁ ଆସୁଛନ୍ତି ତ ଆଉ କିଏ ବାଲେଶ୍ୱର ଜିଲ୍ଲାରୁ। କେହି ବୁଲେଟ୍ ମୋଟର ସାଇକେଲରେ ଆସୁଥିବା ବେଳେ ଆଉ କେହି ଦାମୀ ସ୍କର୍ପିଓ ଓ ଫର୍ଚୁନର ଭଳି ଚାରିଚକିଆ ଗାଡ଼ିରେ ଅଞ୍ଚଳରେ ବୁଲାବୁଲି କରୁଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଯୁବକମାନେ କେବଳ ସନ୍ଧ୍ୟା ସମୟରେ ନୁହେଁ, ବରଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଛକ ବଜାରରେ ଏକାଠି ହୋଇ ରହୁଛନ୍ତି। ଅନେକ ସମୟରେ ଅଜଣା ଗାଡ଼ିରେ ଯାତାୟାତ ଓ ଅପରିଚିତ ବ୍ୟକ୍ତିଙ୍କ ଅସ୍ୱାଭାବିକ ଭିଡ଼କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ପ୍ରକାର ଆଶଙ୍କା ଓ ଚିନ୍ତା ପ୍ରକାଶ ପାଉଛି। ଅନ୍ୟପକ୍ଷରେ, ବର୍ତ୍ତମାନ ନନ୍ଦିପଦା ଥାନା ଅଞ୍ଚଳରେ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବିଭିନ୍ନ ସମୟରେ ବିବାଦ ଏବଂ ଅଭିଯୋଗ ଉଠୁଥିବା ବେଳେ ବାଲି ମାଫିଆଙ୍କ ସକ୍ରିୟତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ସେହିପରି ବିଭିନ୍ନ ଛକ ବଜାରରେ ଡ୍ରଗ୍ସ, ଗଞ୍ଜେଇ କାରବାର ବୃଦ୍ଧି ପାଉଛି। ଏପରି ସ୍ଥିତିରେ ବାହାର ଜିଲ୍ଲାରୁ ଆସୁଥିବା ଯୁବକମାନଙ୍କର ବାଲି କାରବାର ନା ଡ୍ରଗ୍ସ, ଗଞ୍ଜେଇ କାରବାର ସହ କୌଣସି ସମ୍ପୃକ୍ତି ରହିଛି କି ?, ବାଲି ବୋଝେଇ ହାଇୱାଗୁଡ଼ିକର ଯାତାୟାତକୁ ସୁରକ୍ଷା ଦେବା କିମ୍ବା ଅନ୍ୟ କୌଣସି କାରଣରୁ ଏମାନେ ଅଞ୍ଚଳରେ ଏକାଠି ହେଉଛନ୍ତି, ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏପରି ଘଟଣାକ୍ରମରେ ଗତକାଲି ରାତିରେ ନନ୍ଦିପଦା ପୋଲିସ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା ତିନିଜଣ ଯୁବକଙ୍କୁ ଧରିଥିବା ଜଣାପଡ଼ିଛି। ପୋଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିବା ସୂଚନା ମିଳିଛି। ଭବିଷ୍ୟତରେ ବିଳମ୍ବିତ ରାତିରେ ଏଭଳି ଅନାବଶ୍ୟକ ଭାବେ ବୁଲାବୁଲି ନକରିବାକୁ ସେମାନେ ଲିଖିତ ଭାବେ ପୋଲିସକୁ ଜଣାଇଥିବା କୁହାଯାଉଛି। ତେବେ ତିନିଜଣ ଯୁବକଙ୍କୁ ଧରି ଛାଡ଼ିଦେବା ପରେ ମଧ୍ୟ ଅଞ୍ଚଳରେ ରାତି ସମୟରେ ବାହାର ଜିଲ୍ଲାର ଅଜଣା ଲୋକଙ୍କ ଯାତାୟାତକୁ ନେଇ ଚିନ୍ତା ଦୂର ହୋଇନାହିଁ। ଏଭଳି ଯୁବକମାନେ କେଉଁ ଉଦ୍ଦେଶ୍ୟରେ ଆସୁଛନ୍ତି, କେଉଁଠାରେ ରହୁଛନ୍ତି ଏବଂ କାହା ସହ ସେମାନଙ୍କର ସମ୍ପର୍କ ରହିଛି, ତାହାର ଯାଞ୍ଚ ହେବା ଆବଶ୍ୟକ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି। ସାଧାରଣ ଲୋକଙ୍କ ସୁରକ୍ଷା ଓ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନନ୍ଦିପଦା ପୋଲିସ ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବା ସହ ସନ୍ଦେହଜନକ ଗାଡ଼ି ଓ ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ ଦାବି ହେଉଛି।


