କଟକ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ ପାଳିତ
କଟକ (ଓ୍ବାଇଏନଏସ): ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ କଟକ ଶହୀଦ ଭବନ ଠାରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ବର୍ତ୍ତମାନ ସାମାଜିକ ପରିସ୍ଥିତିରେ ସେମାନଙ୍କର ସ୍ଵାଧୀନତା ଜୀବନ ଯାପନ ବିଷୟରେ ମତାମତ ରଖି ସମାଜରେ ସେମାନଙ୍କୁ ସବୁ ସମୟରେ ଭଲପାଇବା ଓ ସହୋଜୋଗ କରିବା ଉପରେ ଗୁରୁତ୍ବ ଦେଇଥିଲେ।ବରିଷ୍ଠ ତଥା ବୃଦ୍ଧଙ୍କର ମାନସିକ ପରିସ୍ଥିତି ଭଲ ରଖିବା ତଥା ସେମାନଙ୍କର ସ୍ବାସ୍ଥ୍ୟ ରକ୍ଷା ପାଇଁ ଆମ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷ ନିଜ ନିଜ ପରିବାରର ଏହି ସଦସ୍ୟଙ୍କ ପ୍ରତି ଯତ୍ନବାନ ହେବା ନିମନ୍ତେ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ। ଏଥି ସହ ବରିଷ୍ଠ ନାଗରିକ ଓ ବୃଦ୍ଧ ମାନଙ୍କ ପାଇଁ ସରକାର ପ୍ରତିଵୋଧଭାବେ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ସଂପର୍କରେ ଆଲୋକପାତ କରି ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ତଥା ସେମାନେ ଯେପରି ଉପେକ୍ଷିତ ନ ହେବେ ସେ ଦିଗରେ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରଶାନ୍ତ କୁମାର ହୋତା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରମୋଦ କୁମାର ସାହୁ ଯୋଗଦେଇ ନିଜନିଜର ମତ ରଖିଥିଲେ । ଅନ୍ୟାନଙ୍କ ମଧ୍ୟରେ କଟକ ବରିଷ୍ଠ ନାଗରିକ ମହାସଭାର ସଭାପତି ପ୍ର.ଡଃ କୃପାସିନ୍ଧୁ ପଣ୍ଡା, ସଂପାଦକ ଶ୍ରୀ ବିଷ୍ଣୁମୋହନ ଦାସସାମନ୍ତ, ଓଡିଆ ଦୈନିକ ସମାଜର ପୂର୍ବତନ ସଂପାଦକ ଶ୍ରୀ ପ୍ରମୋଦ କୁମାର ମହାପାତ୍ର, ପୂର୍ବତନ ମହିଳା ଆୟୁକ୍ତ ନମୀତା ପଣ୍ଡା ଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟା ଓ ଦାବି ସଂପର୍କରେ ଆଲୋଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ରଥ ସ୍ଵାଗତ ଭାଷଣ ପ୍ରଦାନ ସହ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ନଗର ତଥା ବ୍ଲକ ସଂଘର ୪୫୦ ଜଣ ବରିଷ୍ଠ ନାଗରିକ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୭ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ତତସହିତ ବିଭିନ୍ନ ବ୍ଲକସ୍ତରରେ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତକାର୍ଯ୍ୟ ହୋଇଥିବା ୪୨ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥି ସହ ଯୋଗ ଏବଂ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କାର୍ଯ୍ୟକ୍ରମ ପରିଶେଷରେ ଲକ୍ଷ୍ୟ ଏବଂ ସଂସ୍କୃତ କଳା ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ଜିଲ୍ଲାର ସମସ୍ତ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧକାରୀ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।