ବୁଲା ଗୋରୁ ଓ କୁକୁର ମୁକ୍ତ ହେବ କଟକ: ଟାଙ୍ଗୀରେ ହେବ ସ୍ବତନ୍ତ୍ର କରିଡର
କଟକ, (ଓ୍ବାଇଏନଏସ): ରାସ୍ତାରେ ବୁଲିବେନି ଗୋରୁ ଓ ମାଳମାଳ କୁକୁର। ଯେଉଁଠୁ ଅଭିଯୋଗ ଆସିବ ସ୍ବତନ୍ତ୍ର ଗାଡ଼ି ଆସି ସେମାନଙ୍କୁ ଧରିନେବ। ଏପରି ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି କଟକ ମହାନଗର ନିଗମ (ସିଏମ୍ସି)। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ବୁଲା ଗୋରୁ ଓ କୁକୁରଙ୍କ ନିମନ୍ତେ ଟାଙ୍ଗୀରେ ନିର୍ମାଣ ହେବ ସ୍ବତନ୍ତ୍ର କରିଡର। ଏଥିଲାଗି ୨୫ ଏକର ଜମି ଚିହ୍ନଟ ହୋଇଥିବା ବେଳେ ଖୁବ୍ଶୀଘ୍ର ସମୀକ୍ଷା କରାଯାଇ ପ୍ରକଳ୍ପକୁ ତ୍ବରାନ୍ବିତ କରାଯିବ। ଫଳରେ ସହରରେ ବୁଲା ଗୋରୁ ଓ କୁକୁରଙ୍କୁ ନେଇ ଉପୁଜିଥିବା ସମସ୍ୟା ଦୂର ହେବା ନେଇ ଆଶା ସୃଷ୍ଟି ହୋଇଛି। ସହର ରାସ୍ତାରେ ମାଳମାଳ ଗୋରୁ, କୁକୁର ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ଗୋରୁଗାଈ ରାସ୍ତା ଅବରୋଧ କରି ରଖୁଛନ୍ତି। ଏହା ଦ୍ବାରା ଦୈନିକ ଲୋକ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଛନ୍ତି। ବିଶେଷ କରି ରାତି ସମୟରେ ରାସ୍ତାରେ ଗୋରୁଗାଈଙ୍କ ରାଜୁତି ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଭାରୀଯାନ ଧକ୍କାରେ ଗୋରୁମାନେ ମଧ୍ୟ ରାସ୍ତାରେ ଆହତ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି। ସହରରେ ବହୁ ଲୋକେ ଗୋପାଳନ କରୁଛନ୍ତି। ମାତ୍ର ଅଧିକାଂଶ ଲୋକ ଗୋରୁକୁ ଘରେ ନ ବାନ୍ଧି ଖୋଲାରେ ଛାଡ଼ି ଦେଉଛନ୍ତି। ସେମାନେ ସକାଳେ ଓ ସନ୍ଧ୍ୟାରେ କ୍ଷୀର ଦୁହିଁ ସାରିବା ପରେ ବାହାରେ ଗାଈ ଓ ବାଛୁରୀ ଛାଡ଼ି ଦେଉଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାରେ ଗୋରୁଗାଈ ବୁଲିବା ଦ୍ବାରା ଦୁର୍ଘଟଣାର ମାତ୍ରା ବଢ଼ିବାରେ ଲାଗିଛି। କିଛିମାସ ହେବ ସହରରେ ବୁଲାଗୋରୁଙ୍କ ସଂଖ୍ୟା ବହୁ ଗୁଣ ହୋଇଥିବା ପରି ପରିଲକ୍ଷିତ ହେଉଛି। ରିଂ ବନ୍ଧ, ଦୋଳମୁଣ୍ଡାଇ ବିଡ଼ାନାସୀ ସମେତ ବିଭିନ୍ନ ସ୍ଥାନରେ ମାଳମାଳ ଗୋରୁ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି। ସିଏମ୍ସି ଅଧୀନରେ କାଞ୍ଜିଆହୁଦା ରହିଥିଲେ ମଧ୍ୟ ଏହାର ସଠିକ ଉପଯୋଗ ହୋଇପାରୁ ନାହିଁ। ଯାହାକୁ ନେଇ ସିଏମ୍ସି ନିକଟରେ ବହୁବାର ଅଭିଯୋଗ ହୋଇ ଆସୁଛି।


