ନିଷ୍ଠା ଓ ଭକ୍ତିର ସହ ଆଗେଇଚାଲିଛି ଦଣ୍ଡନାଚ
ଆସିକା (ୱାଇଏନ୍ଏସ୍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ପାରମ୍ପରିକ ପର୍ବ ମଧ୍ୟରେ ଦଣ୍ଡନାଚ ନିଆରା । ଏହାର ସାଧନା ଓ ପରମ୍ପରା ମଧ୍ୟ ବିଶ୍ୱବିଦିତ । ଦଣ୍ଡନାଚ ଆସିକା ଅଞ୍ଚଳର ଏକ ଐତିହାସିକ ଯାତ୍ରା । ମହାବିଷୁବ ସଂକ୍ରାନ୍ତିର ୨୧ ଦିନ, ୧୮ ଦିନ, ୧୩ ଦିନ ପୂର୍ବରୁ ମାନସିକଧାରୀ ଦଣ୍ଡୁଆମାନେ ଗୃହତ୍ୟାଗ କରି ପ୍ରଭୂ ଶିବ ଓ ମହାମାୟୀ କାଳୀଙ୍କୁ ଉପାସନା କରି ପାଟଭୁକ୍ତାଙ୍କ ନେତୃତ୍ୱରେ ବିଭିନ୍ନ ଦଣ୍ଡଦଳରେ ସାମିଲ୍ ହୋଇ ଦଣ୍ଡନୃତ୍ୟ ପରିବେଷଣ କରିଥାନ୍ତି । ଦଣ୍ଡନାଚରେ ଅଂଶଗ୍ରହଣ କରୁଥିବା ମାନସିକଧାରୀ ଦଣ୍ଡୁଆ ଓ ତାଙ୍କ ପରିବାର ସମସ୍ତ ନୀତିନିୟମ ନିଷ୍ଠା ଓ ତ୍ୟାଗର ସହ ପାଳନ କରୁଥିବା ଦେଖିବାକୁ ମିଳୁଛି ଯାହା ଦଣ୍ଡନାଚର ସ୍ୱତନ୍ତ୍ରତାକୁ ପ୍ରତିପାଦନ କରେ । ଦଣ୍ଡନାଚରେ ସାମିଲ୍ ହେଉଥିବା ମାନସିକଧାରୀ ଦଣ୍ଡୁଆମାନେ ସଂକଳ୍ପ ହୋଇ ଭକ୍ତି ଭାବନାରେ ରହି ବହୁ କଷ୍ଟ ସହ୍ୟ କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ସେହି ମାନସିକଧାରୀ ଦଣ୍ଡୁଆଙ୍କ ପରିବାର ସଦସ୍ୟମାନେ ମଧ୍ୟ ଦଣ୍ଡଯାତ୍ରା ସମୟରେ କେମିତି ଦୈନନ୍ଦିନ ଜୀବନଯାପନ କରିଥାନ୍ତି ତାହା ଅନେକ ଲୋକଙ୍କୁ ଅଜଣା ରହିଥାଏ । ମାନସିକଧାରୀ ଦଣ୍ଡୁଆଙ୍କ ପରି ସେମାନଙ୍କ ପରିବାର ସଦସ୍ୟମାନେ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହ ସମସ୍ତ ନିୟମ ପାଳନ କରିଥାନ୍ତି । ପରିବାରର ଯଦି କେହି ବ୍ୟକ୍ତି ଦଣ୍ଡନାଚକୁ ଯିବାକୁ ମାନସିକ କରିଥାଏ ତେବେ କିଛି ଦିନ ପୂର୍ବରୁ ପରିବାରର ସମସ୍ତ ସଦସ୍ୟ ସଂକଳ୍ପ ହୋଇଥାନ୍ତି । ଦଣ୍ଡନାଚ ସମୟରେ ମାନସିକଧାରୀ ଦଣ୍ଡୁଆଙ୍କ ପରିବାରର ସଦସ୍ୟମାନେ ଭୋର୍ ସମୟରେ ଉଠି ସ୍ନାନଶୌଚାଦି କାର୍ଯ୍ୟ ସାରିଥାନ୍ତି । ମାନସିକଧାରୀ ଦଣ୍ଡୁଆଙ୍କ ପରିବାରବର୍ଗ ବିନା କଟା ଓ ବଟା ସାଙ୍ଗକୁ ବିନା ପିଆଜ ରସୁଣରେ ପ୍ରସ୍ତୁତ ଦରଫୁଟା ଓ ଦରସିଜା ଖାଦ୍ୟ କେବଳ ରାତ୍ର ସମୟରେ ହିଁ ପୂଜାର୍ଚ୍ଚନା ସାରି ଖାଇଥାନ୍ତି । ସେହିପରି ଦଣ୍ଡନାଚର ପ୍ରଥମ ଦିନ ଠାରୁ ଶେଷ ଦିନ ପର୍ଯ୍ୟନ୍ତ ମାନସିକଧାରୀ ଦଣ୍ଡୁଆଙ୍କ ପରିବାରବର୍ଗ ଅତ୍ୟନ୍ତ ନିଷ୍ଠାର ସହ ଦେବଦେବ ମହାଦେବ ଓ ମହାମାୟୀ କାଳୀଙ୍କ ନିକଟରେ ନିଜକୁ ସମର୍ପଣ କରିି ପରିବାରର କୌଣସି ସଦସ୍ୟ ସାବୁନ୍ ବ୍ୟବହାର କରି ନଗାଧୋଇବା, ମୁଣ୍ଡ ନକୁଣ୍ଡାଇବା, ଘରୁ ଝାଡୁ ନକରିବା ସାଙ୍ଗକୁ ଅଳିଆ ଆବର୍ଜନା ଘର ବାହାରେ ପକାଇବାକୁ ବାରଣ ଥିବା ଜଣାପଡିଛି । ଘରର କୌଣସି ସାମଗ୍ରୀ ଅନ୍ୟ କାହାରିକୁ ଏହି ଦଣ୍ଡଯାତ୍ରା ସମୟରେ ମାନସିକଧାରୀ ଦଣ୍ଡୁଆଙ୍କ ପରିବାରବର୍ଗ ନଦେବା ଓ ନିଜ ଘରକୁ ନ ଆଣିବା ମଧ୍ୟ ନିୟମ ରହିଛି । ଦଣ୍ଡଯାତ୍ରା ସମୟରେ ମାନସିକଧାରୀ ଦଣ୍ଡୁଆଙ୍କ ପରିବାରବର୍ଗ ନିଜ ଘରର ପିଲାଛୁଆଙ୍କୁ ନ ବାଡେଇବା ପାଇଁ ମଧ୍ୟ ବିଧି ରହିଥିବା ଜଣାପଡିଛି । କଳା, ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର ଆସିକା ଅଞ୍ଚଳରେ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇଆସୁଛି ଦଣ୍ଡଯାତ୍ରା । ନିଜ ଶରୀରକୁ କଷ୍ଟ ଦେଇ ଇଶ୍ୱରପ୍ରାପ୍ତି ପାଇଁ ଆରାଧନାକୁ ହଟଯୋଗ କୁହାଯାଏ । ଆଉ ଏହା ହିଁ ଦଣ୍ଡଯାତ୍ରା । ଯାହାକି ନିଷ୍ଠା, ଭକ୍ତି ଓ ସଂସ୍କୃତିର ନିଦର୍ଶନ । ମା ଦଣ୍ଡକାଳୀ ଓ ଦେବଦେବ ମହାଦେବଙ୍କୁ ଅତି ନିଷ୍ଠାର ସହ ଆରାଧନା କରିବାର ପରମ୍ପରା କେଉଁ ଆବାହମାନ କାଳରୁ ରହିଆସିଛି । ଦଣ୍ଡଯାତ୍ରାରେ ମାନସିକଧାରୀ ଦଣ୍ଡୁଆମାନେ ଋଷିପୁତ୍ରର ମାନ୍ୟତା ଦିଆଯାଉଥିଲା ବେଳେ ସେମାନେ ଦଣ୍ଡଯାତ୍ରା ସଂପୁର୍ଣ୍ଣ ନ ହେଲା ପର୍ଯ୍ୟନ୍ତ ସରଳ ଜୀବନଯାପନ କରିଥାନ୍ତି । ମାନସିକଧାରୀ ଦଣ୍ଡୁଆମାନେ ଦଣ୍ଡଯାତ୍ରା ସମୟରେ ନିଜ ଘରକୁ ଯାଆନ୍ତି ନାହିଁ କି ପରିବାରବର୍ଗଙ୍କ ସହ ସଂପର୍କ ମଧ୍ୟ ରଖନ୍ତି ନାହିଁ । ଏପରିକି ସେମାନେ ରାଜସିକ ଓ ତାମସିକ ଖାଦ୍ୟ ଠାରୁ ନିଜକୁ ସଂପୁର୍ଣ୍ଣ ଦୂରେଇ ରଖି ସାତ୍ୱିକ ଭୋଜନ କରିଥାନ୍ତି । ମାନସିକଧାରୀ ଦଣ୍ଡୁଆଙ୍କ ପରିବାର ଲୋକେ ମଧ୍ୟ ଏହି ସମୟ ମଧ୍ୟରେ ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି । ୁପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ହେଉଥିବା ଏହି ଦଣ୍ଡନାଚ ଆସିକା ଅଞ୍ଚଳର ପ୍ରସିଦ୍ଧ ସାଧନା, ପରମ୍ପରା ଓ ଉପାସନାର ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । ମହାବିଷୁବ ସଂକ୍ରାନ୍ତିର ଦୀର୍ଘ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଦଣ୍ଡଯାତ୍ରା ବିଭିନ୍ନ ଦଣ୍ଡଦଳର ନୀତିକାନ୍ତି ଅନୁଯାୟୀ ମାସନ୍ତ ମେରୁ ଓ ସଂକ୍ରାନ୍ତି ମେରୁରେ ଉଦ୍ଯାପିତ ହୋଇଥାଏ ।