କନ୍ୟାକୁମାରୀରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା  ସାନଖେମୁଣ୍ଡି ବ୍ଲକ ପଦ୍ମପୁର  ପଞ୍ଚାୟତ ମଣିପୁର ଗ୍ରାମ ଡୁମାଖାଳି  ହରିଜନ ସାହି ର ଦାଦନ ଶ୍ରମିକ ଅଜୟ ନାୟକ (୨୦) ଙ୍କ ତାମିଲନାଡୁ ର କନ୍ୟାକୁମାରୀ ଠାରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ବୁଧବାର ବିଳମ୍ବିତ ରାତିରେ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ଖବରପାଇ ଗୁରୁବାର ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର ମିଶ୍ର,ସରପଞ୍ଚ ସିମାଞ୍ଚଳ ପ୍ରଧାନ ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ର ଚେକ୍ ଏବଂ ହରିଶ୍ଚନ୍ଦ୍ର ଯୋଜନାରେ  ୩ ହଜାର ଟଙ୍କା ପ୍ରଦାନ କରି ଫେରିଥିବା ଜଣାପଡିଛି। ଅଜୟ ସେଠାକାର ଏକ ଦିଆସିଲି କାରଖାନାରେ କାମ କରୁଥିଲେ। ସେ ଆକସ୍ମିକ ଅସୁସ୍ଥ ହୋଇପଡ଼ିବାରୁ ଗତ ୪ ଦିନ ହେଲା  ସେଠାକାର ଏକ ମେଡ଼ିକାଲ ରେ ସେ ଚିକିତ୍ସିତ ହେଉଥିଲେ। ରବିବାର ଘରକୁ ଫୋନ୍ କରି ଚିକିତ୍ସା ପାଇଁ ୧ ହଜାର ଟଙ୍କା ତାଙ୍କ ମା ଙ୍କୁ ପଠାଇବାକୁ କହିଥିଲେ। ସନ୍ଧ୍ୟାରେ ସେ ମୃତ୍ୟୁବରଣ କରିଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ମା ଙ୍କୁ ଫୋନ କରି ଜଣାଇଥିଲେ। ଅଜୟ ଙ୍କ ମା ଏନେଇ ସ୍ଥାନୀୟ ସରପଞ୍ଚ ସିମାଞ୍ଚଳ ପ୍ରଧାନ ଙ୍କୁ ଜଣାଇବା ପରେ ସରପଞ୍ଚ ଏନେଇ ଗଞ୍ଜାମ ଜିଲା ଶ୍ରମ ଅଧିକାରୀ ଙ୍କୁ ସୂଚନା ଦେବା ସହ ମୃତଦେହ କୁ ଗାଁ କୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ସେଠାକାର ଜିଲା ଶ୍ରମ ବିଭାଗ ଅଧିକାରୀ ଓ ପୋଲିସ ସହାୟତାରେ ମୃତଦେହ କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ଅଜୟ ଦାଦନ ଖଟିବାକୁ ସୁଦୂର ତାମିଲନାଡୁ ଯାଇ ଜନ୍ମ ମାଟି କୁ  ଶବ ହୋଇ ଫେରିଥିବା ଦେଖିବାକୁ ମିଳିଛି। ଅଜୟ ତାଙ୍କ ବାପା ଙ୍କ ମୃତ୍ୟୁ ପରେ ମା ଓ ଭଉଣୀ ଙ୍କ ସହ ଗାଁ ରେ ରହୁଥିଲେ। ଦାଦନ ଖଟି ଦୁଇ ପଇସା ରୋଜଗାର କରି ପରିବାର ଚଳାଇବା ପାଇଁ ଚିନ୍ତା କରି ସେ ଜଣେ ଦାଦନ ସର୍ଦ୍ଦାର ଙ୍କ ସହ ତାମିଲନାଡୁ  ର କନ୍ୟାକୁମାରୀ ଯାଇ ସେଠାକାର  ଦିଆସିଲି କାରଖାନାରେ ସ୍ବଳ୍ପ ମଜୁରୀ ରେ କାମ କରୁଥିଲେ ବୋଲି ତାଙ୍କ ଭଉଣୀ ବନିତା କହିଛନ୍ତି। ରାଜ୍ୟ ସରକାରଙ୍କ  ପକ୍ଷରୁ ମୃତକଙ୍କ ପରିବାରକୁ  ସାହାଯ୍ୟ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ