୫୩ନଂ ଜାତୀୟ ରାଜପଥରେ ଦ୍ୱିତୀୟ ଓଭରବ୍ରିଜ ନିର୍ମାଣ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା,୬ା୨:ପାରାଦୀପ- ଚଣ୍ଡିଖୋଲ ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଠାରେ ଦ୍ୱିତୀୟ ଓଭରବ୍ରିଜ ନିର୍ମାଣ ପାଇଁ କେନ୍ଦ୍ରାପଡାର ବିଭିନ୍ନ ସମାଜକଲ୍ୟାଣ ସଂଗଠନ ପକ୍ଷରୁ ଦାବି କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଦୁହୁରିଆ ଛକ କେନ୍ଦ୍ରାପଡାର ପ୍ରବେଶ ଦ୍ୱାର ହୋଇଥିବା ବେଳେ ଏହାର ପୂର୍ବରେ ଭଦ୍ରକ ଜିଲ୍ଲା, ପଶ୍ଚିମରେ କଟକ ଜିଲ୍ଲା, ଉତ୍ତରରେ ଯାଜପୁର ଜିଲ୍ଲା ଓ ଦକ୍ଷିଣରେ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଅଛି। ୫୩ନମ୍ବର ଜାତୀୟ ରାଜପଥଟି ଦୁହୁରିଆ ଛକରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥକୁ ଅତିକ୍ରମ କରୁଅଛି। ଏହି ଛକ ଦେଇ ଯାଇଥିବା ରାସ୍ତାଟି ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ସମେତ କେନ୍ଦ୍ରାପଡା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଭିତରକନିକା ଜାତୀୟ ଉଦ୍ୟାନ, ପୁରାତନ କୀର୍ତ୍ତିରାଜି ହୁକିଟୋଲା, ପୁରୀ ଶ୍ରୀକ୍ଷେତ୍ରର ଜଗନ୍ନାଥଙ୍କ ବଡଭାଇ ତୁଳସୀକ୍ଷେତ୍ରର ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପ୍ରଭୃତିକୁ ସଂଯୋଗ କରୁଅଛି। ଏତଦବ୍ୟତିତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥଟି ୪ଲେନ ବିଶିଷ୍ଟ ହେବାକୁ ଯାଉଥିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ନୋଟିଫିକେଶନ ନଂ- ୩୩୮୮୪ ତା ୩୦.୦୮.୨୦୨୫ରେ ପ୍ରକାଶିତ ହୋଇଛି। ଦୁହୁରିଆରେ ଅଣ୍ଡରପାସ ନିର୍ମାଣ ସମୟରେ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତିଶୃତି ଦେଇଥିଲେ ଯେ ଚଣ୍ଡିଖୋଲ ଓ ଜଗତପୁର ବାଇପାସ ଢାଞ୍ଚାରେ ଦୁହୁରିଆ ବାଇପାସ ନିର୍ମାଣ କରାଯିବ। ସେହି ଅନୁଯାଇ ଦୁହୁରିଆ ଠାରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଉଭୟ ପାଶ୍ୱର୍ରେ ଦୁଇଶହ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ଦୋକାନ ଗୁଡିକୁ ଉଠାଇ ଦିଆଯାଇ ସେହି ସ୍ଥାନକୁ ଖୋଳି ଦିଆଯାଇଥିଲା। ୫୩ନମ୍ବର ଜାତୀୟ ରାଜପଥର ଗୋପ, ଶ୍ୟାମସୁନ୍ଦରପୁର, ଅଳାବାଙ୍କ ଭଳି ଅନ୍ୟ ସ୍ଥାନ ଗୁଡିକର ସିଙ୍ଗିଲ ଲାଇନ ରାସ୍ତାରେ ୨୦ମିଟର ଚଉଡାର ଅଣ୍ଡରପାସ ନିର୍ମାଣ କରାଯାଇଥିବା ବେଳେ ଦୁହୁରିଆ ଠାରେ ମାତ୍ର ୧୭ମିଟର ଚଉଡାର ଅଣ୍ଡରପାସ ନିର୍ମାଣ କରାଗଲା। ଦୁହୁରିଆ ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ହୋଇଥିବା ବେଳେ ଏଠାରେ ଦୁଇଟି ଅଣ୍ଡରପାସ ନିର୍ମାଣର ଅତ୍ୟନ୍ତ ଆବଶ୍ୟକତା ରହିଛି। ଯଦି ଏହା କରାନଯାଏ ତାହାହେଲେ ଏଠାରେ ପ୍ରତିଦିନ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ନେବ। ଫଳରେ ଦୈନିକ ଦୁର୍ଘଟଣା ଘଟି ଲୋକଙ୍କ ଜୀବନହାନୀ ଘଟିବ। ଏହି ସମସ୍ୟା ସୃଷ୍ଟି ହେବା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଏହାସହ ଘଟଣାସ୍ଥଳରେ ଧାରଣା ଦେଇଥିଲେ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ପ୍ରତିଶୃତି ଦେଇଥିଲେ ଯେ ଏଠାରେ ଦୁଇଟି ଅଣ୍ଡରପାସ ନିର୍ମାଣ ହେବ। କିନ୍ତୁ ଏବେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଜ ପ୍ରତିଶୃତିରୁ ଓହରି ଯାଉଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କ ଦୁର୍ଦ୍ଦଶା କେତେଯେ ବଢିଝିବ ତାହା କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଦୁଇଟି ଅଣ୍ଡରପାସ ନିର୍ମାଣ କରାଯିବା ପାଇଁ ଜନସାଧାରଣ ଜିଲ୍ଲାପାଳ, ରାଜସ୍ୱ ଆୟୁକ୍ତ, ମୁଖ୍ୟଶାସନ ସଚିବ, କେନ୍ଦ୍ରାପଡା ସାଂସଦ,ବିଧାୟକ ପ୍ରଭୃତିଙ୍କୁ ଅବଗତ କରାଇଥିଲେ। କିନ୍ତୁ ଦୁଃଖର କେନ୍ଦ୍ରାପଡା ସାଂସଦ ଏସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲୁ ନାହାନ୍ତି। ଏହାଦ୍ୱାରା ଚାରୋଟି ଜିଲ୍ଲାର ଲୋକମାନେ ଛଟପଟ ହେବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। କୃଷକ ବିକାଶ ପରିଷଦ ସଭାପତି ଆଇନଜୀବୀ ବିଜୟ କୁମାର ପରିଡାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ଗୋବର୍ଦ୍ଧନ ରାଉତ, ସମ୍ପାଦକ ନୃସିଂହ ଚରଣ ରାଉତ, ଉପସଭାପତି ହାଡିବନ୍ଧୁ ସିଂ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ସନାତନ ମୁଦୁଲି, ଭାବଗ୍ରାହୀ ସାହୁ, ସୁଶାନ୍ତ କୁମାର ମହାନ୍ତି, ଗଗନବିହାରୀ ଦାସ, ଶୁକାନ୍ତ କୁମାର ପାତ୍ର, ଚୈତନ୍ୟ ଚରଣ ମଲ୍ଲିକ, ଅଙ୍କିତା ମିଶ୍ର, ନିହାରରଞ୍ଜନ ମହାପାତ୍ର,ଅକ୍ଷୟ କୁମାର ସେଠୀ, ବିଜୟ କୁମାର ବେହେରା ପ୍ରମୁଖ ସ୍ୱାକ୍ଷର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ