ହରିହର ଉଚ୍ଚବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଦାବୀ
ଆସିକା(ୱାଇଏନ୍ଏସ୍) : ଆସିକା ଏନ୍ଏସି ଅନ୍ତର୍ଗତ ଖମ୍ବେଶ୍ୱରୀପାଟଣାରେ ଥିବା ପୂର୍ଣ୍ଣ ଶତାୟୁ ପୁରାତନ ହରିହର ହାଇସ୍କୁଲକୁ ଉଚ୍ଚବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇ ଗତ ୨୦୨୨ ମସିହା ଜୁନ୍ ମାସ ୩ ତାରିଖରେ ଲୋକାର୍ପଣ କରାଯାଇଥିଲା। ଗୁଣାତ୍ମକ ଶିକ୍ଷାର ବାତାବରଣ ସୃଷ୍ଟି ପାଇଁ ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ ହାଇସ୍କୁଲରେ ରୂପାନ୍ତରଣ କରାଯାଇଥିଲା । ଯେଉଁଠି ଇ. ପାଠାଗାର ସମେତ ସ୍ମାର୍ଟ କ୍ଳାସ୍ରୁମ୍, କ୍ରୀଡା, କମ୍ପ୍ୟୁଟର୍ ରୁମ୍, ଅତ୍ୟାଧୁନିକ ବିଜ୍ଞାନାଗାର, ରିଡିଙ୍ଗ ରୁମ୍, ପାନୀୟ ଜଳ, ସ୍ମାର୍ଟ ଶୌଚାଳୟ ସମେତ ବିଭିନ୍ନ ଆଧୁନିକ ସୁବିଧା ଉପଲବ୍ଧ ହୋଇଛି । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ବିଦ୍ୟାଳୟର ଆଧୁନିକୀକରଣ ହେଉଛି । ୧୯୧୭ ମସିହାରେ ସ୍ଥାପିତ ହୋଇଥିବା ଶତାୟୁ ପୁରାତନ ଆସିକା ହରିହର ଉଚ୍ଚବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ଶିଶୁବାଟିକାରୁ ଦଶମ ଶ୍ରେଣୀରେ ପ୍ରାୟ ୪୦୮ଜଣ ବିଦ୍ୟାର୍ଥୀ ପାଠପଢୁଥିବା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଟାନରେ ବିଜ୍ଞାନ, କଳା, କମ୍ପ୍ୟୁଟର ଶିକ୍ଷକ ପଦବୀ ଖାଲି ପଡିଥିଲା ବେଳେ ସେ ଗୁଡିକ ପୂରଣ କରିବା ଦିଗରେ ଶିକ୍ଷାବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ଏହି ପୁରାତନ ଶିକ୍ଷାନୁଷ୍ଟାନରେ ଆବଶ୍ୟକୀୟ ଶିକ୍ଷକ ନଥିବା ଯୋଗୁଁ ବିଦ୍ୟାର୍ଥୀ ମାନେ ଯୁଗପୋଯୋଗୀ ଓ ଅଧୁନିକ ଶିକ୍ଷା କିପରି ପାଇବେ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି। ରାଜ୍ୟ ସରକାର ଶିକ୍ଷାବିଭାଗ ପାଇଁ ଆଣୁଥିବା ବହୁ ପ୍ରକାର ପ୍ରୟାସକୁ ଏହି ପୁରାତନ ଶିକ୍ଷାନୁଷ୍ଟାନରେ ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି। ଶିକ୍ଷାର ଗୁଣାତ୍ମକ ମାନ ଓ ଭିତ୍ତି ଭୂମୀ ବୃଦ୍ଧି କରିବା ସହ ଉତ୍ତମ ଜ୍ଞାନ କୌଶଳରେ ପିଲାଙ୍କୁ ପାଠ ପଢାଇବାର ମହତ୍ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ପ୍ରଚଳନ କରିଥିଲେ ରୂପାନ୍ତରିତ ୫-ଟି ବିଦ୍ୟାଳୟ। ଆସିକା ବ୍ଳକ ଓ ଏନଏସି ଅନ୍ତର୍ଗତ ୩୪ଟି ଉଭୟ ସରକାରୀ ଓ ବ୍ଳକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟକୁ ଅତୀତରେ ଏହି ଯୋଜନାରେ ସାମିଲ କରାଯାଇସାରିଛି। ସରକାର ୫-ଟି ଅଧିନରେ କେତେକ ଉଚ୍ଚ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ସ୍ମାର୍ଟ କରିବା ସହ ରୂପରେଖ ବଦଳାଇଲେ। ହେଲେ ବହୁ ସ୍ମାର୍ଟ ସ୍କୁଲ ବିଗତ କିଛି ଦିନ ହେଲା ନାନା ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି। ସରକାର ସିନା ସ୍କୁଲ ଗୁଡିକୁ ସ୍ମାର୍ଟ କରିଦେଲେ କିନ୍ତୁ ଭିତ୍ତିଭୂମୀକୁ ସଜାଡିବାକୁ ଭୁଲିଗଲେ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି। ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ଆସିକା ହରିହର ଉଚ୍ଚବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ସାଙ୍ଗକୁ ଅନ୍ୟାନ୍ୟ ବହୁବିଧ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବିିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି।