ସମବାୟ ଚିନିଶିଳ୍ପରେ ଖାଲିପଡିଥିବା ପଦବୀ ପୂରଣ ଦାବୀ

ଆସିକା  (ୱାଇଏନ୍‍ଏସ୍‍) ଗଞ୍ଜାମ ଜିଲ୍ଲାର ଏକ ମାତ୍ର କୃଷି ଭିତ୍ତିକ ଶିଳ୍ପାନୁଷ୍ଟାନ ରୂପେ ସୁଖ୍ୟାତି ଅର୍ଜନ କରି ଆସୁଥିବା ଆସିକା ସମବାୟ ଚିନିଶିଳ୍ପରେ ଦୀର୍ଘ ଦିନ ହେଲା ଖାଲି ପଡିଥିବା ବହୁ ଗୁରୁତ୍ୱପୁର୍ଣ୍ଣ ପଦପଦବୀ ଗୁଡିକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରୀୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଆଖୁଚାଷର ବହୁଳ ପ୍ରସାର ଓ ଆଖୁଚାଷୀଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ଲାଗି ୧୯୫୮ମସିହାରେ ଆସିକା ସମବାୟ ଚିନିଶିଳ୍ପ ପ୍ରତିଷ୍ଟା ହୋଇଥିଲା। ଉନ୍ନତ ମାନର ଚିନି ଉତ୍ପନ୍ନ ଓ ବୋତଲ ମଦ ଉତ୍ପାଦନ କ୍ଷେତ୍ରରେ ସମଗ୍ର ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆସିକା ସମବାୟ ଚିନିଶିଳ୍ପରେ ଦୀର୍ଘ ଦିନ ହେଲା କର୍ମଚାରୀ ବର୍ଗ ପରିଚାଳକ (ପର୍ସନାଲ୍‍ ମେନେଜର୍‍),ମାର୍କେଟିଂ ମେନେଜର, ମୁଖ୍ୟଯନ୍ତ୍ରୀ, ଇନ୍‍ଷ୍ଟ୍ରୁମେଣ୍ଟ ମେକାନିକ୍‍, ଇଲେକ୍ଟ୍ରିକାଲ୍‍ ଫୋର୍‍ମ୍ୟାନ୍‍, ଫାର୍ମାସିଷ୍ଟ, ଆଖୁ ଉନ୍ନୟନ ସହାୟକ, ଆଖୁ ଉନ୍ନୟନ ସୁପରଭାଇଜର୍‍, କିରାଣୀ, ଇଲେକ୍ଟ୍ରିସିଆନ୍‍, ପାନ୍‍ମ୍ୟାନ୍‍, ସହାୟକ ପାନ୍‍ମ୍ୟାନ୍‍ ସମେତ ବିଭିନ୍ନ ବିଭାଗରେ ବହୁ ପଦପଦବୀ ଖାଲି ପଡିଥିବା ବେଳେ ସେଗୁଡିକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ନାନା ସମସ୍ୟ ସୃଷ୍ଟି ହେଉଛି। ଆସିକା ସମବାୟ ଚିନିଶିଳ୍ପରେ ଖାଲି ପଡିଥିବା ପଦପଦବୀ ଗୁଡିକୁ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବୀ ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଆଲୋଚିତ ହେଉଛି। ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟରତ ଥିବା ସ୍ଥାୟୀ କର୍ମଚାରୀ ମାନଙ୍କ ମଧ୍ୟରୁ କେତେକ କର୍ମଚାରୀ ପ୍ରତ୍ୟେକ ମାସରେ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରୁଥିଲା ବେଳେ ସେମାନଙ୍କ ସ୍ଥାନରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ ନାହିଁ। ଆସିକା ସମବାୟ ଚିନିଶିଳ୍ପରେ ସ୍ଥାୟୀ କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ସିଜନାଲ୍‌, ଏନ୍‌ଏମ୍‌ଆର୍‌, କଣ୍ଟିଜେଣ୍ଟ, ଆଉଟ୍‌ସୋର୍ସିଂ କର୍ମଚାରୀ ମାନେ ବିଭିନ୍ନ ବିଭାଗରେ କାର୍ଯ୍ୟକରୀ ଅସୁଛନ୍ତି। ଗଞ୍ଜାମ ଜିଲ୍ଲାର ଏକ ମାତ୍ର କୃଷି ଭିତ୍ତିକ ଶିଳ୍ପାନୁଷ୍ଟାନ ରୂପେ ପରିଚିତ ଥିବା ଆସିକା ସମବାୟ ଚିନିଶିଳ୍ପରେ ଅତୀତରେ ବିଭିନ୍ନ ବିଭାଗରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ବର୍ଗର କର୍ମଚାରୀ କାର୍ଯ୍ୟକରି ଆସୁଥିଲା ବେଳେ ବର୍ତ୍ତମାନ ତାହା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ସମବାୟ ଚିନିଶିଳ୍ପରେ ଖାଲି ପଡିଥିବା ପଦପଦବୀ ଗୁଡିକୁ ପୂରଣ କରିବାରେ ବିଳମ୍ବ କରାଯାଉଥିବା ଯୋଗୁଁ ଆଖୁପେଡା ଋତୁରେ ଘରୋଇ ଠିକାଦାରଙ୍କ ଜରିଆରେ ଦୀର୍ଘବର୍ଷ ହେଲା ଶିକ୍ଷିତ ବେକାର ଯୁବକ ମାନଙ୍କୁ ନିଯୁକ୍ତି ଦିଆଯାଇ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରାଯାଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ତଥା ସମବାୟ ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ଆସିକା ସମବାୟ ଚିନିଶିଳ୍ପରେ ଖାଲିପଡିଥିବା ପଦପଦବୀ ଗୁଡିକୁ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ସମବାୟ ପ୍ରେମୀ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ