ରେଡକ୍ରସ ବ୍ଲଡ ବ୍ୟାଙ୍କ ନିର୍ଦ୍ଦେଶକ ଭାବେ ପୂର୍ଣ୍ଣକାଳୀନ ଡାକ୍ତରୀ ନିଯୁକ୍ତି ଦାବି

ଭୁବନେଶ୍ୱର, (ଓ୍ବାଇଏନଏସ): ଓଡ଼ିଶା ରକ୍ତଦାତା ମହାସଂଘର ଏକ ପ୍ରତିନିଧି ଦଳ ନଭେମ୍ବର ୨୦ ତାରିଖ ଦିନ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଚିବ ଗଣେଶ ପାତ୍ରଙ୍କୁ ଭେଟି ରାଜଧାନୀ ଭୁବନେଶ୍ୱର ସ୍ଥିତ ରେଡକ୍ରସ ବ୍ଲଡ ବ୍ୟାଙ୍କର ଇନଚାର୍ଜ ଅଶୋକ କୁମାର ମହାନ୍ତି, ଯାହାଙ୍କ ଡାକ୍ତରୀ ପୃଷ୍ଠଭୂମି ନାହିଁ, ତାଙ୍କୁ ତୁରନ୍ତ ହଟାଇ ପୂର୍ଣ୍ଣକାଳୀନ ଯୋଗ୍ୟ ବ୍ଲଡ ବ୍ୟାଙ୍କ ଡାଇରେକ୍ଟର/ମେଡିକାଲ୍ ଅଫିସର ନିଯୁକ୍ତି ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମହାସଂଘର ସଭାପତି ଅକ୍ଷୟ କୁମାର ରାଉତ, ସମ୍ପାଦକ ତ୍ରିଲୋଚନ ଦାଶ ଏବଂ ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି ଯେ, ରାଜ୍ୟର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ବ୍ଲଡ ବ୍ୟାଙ୍କ ଜଣେ ଅଣ-ଡାକ୍ତରୀ ଅଧିକାରୀଙ୍କ ହାତରେ ରହିଥିବାରୁ ବ୍ଲଡ ବ୍ୟାଙ୍କ ପରିଚାଳନା, କମ୍ପୋନେଣ୍ଟ ବିଭାଜନ ଓ ରୋଗୀମାନଙ୍କୁ ରକ୍ତ ଯୋଗାଇଦେବାରେ ବହୁ ଅସୁବିଧା ସୃଷ୍ଟି ହେଉଛି। “କ୍ୟାମ୍ପରୁ ସଂଗୃହୀତ ରକ୍ତରୁ ଶତ ପ୍ରତିଶତ କମ୍ପୋନେଣ୍ଟ (ପ୍ଲାଟେଲେଟ୍, ପ୍ଲାଜ୍ମା ଆଦି) ପ୍ରସ୍ତୁତ ହେଉନାହିଁ। ଫଳରେ ରକ୍ତର ଅପଚୟ ହେଉଛି ଏବଂ ଜରୁରୀ ସମୟରେ ରୋଗୀମାନେ କମ୍ପୋନେଣ୍ଟ ପାଇପାରୁ ନାହାନ୍ତି। ଏହା ରୋଗୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି” , ବୋଲି ସଂଘ ସ୍ମାରକପତ୍ରରେ ଉଲ୍ଲେଖ କରିଛି। ରକ୍ତ ଦାତା ମହାସଂଘର ମୁଖ୍ୟ ଦାବିଗୁଡ଼ିକ ହେଲା  :- ୧. ଅଶୋକ କୁମାର ମହାନ୍ତିଙ୍କୁ ବ୍ଲଡ ବ୍ୟାଙ୍କ ଦାୟିତ୍ୱରୁ ତୁରନ୍ତ ଅନ୍ତର କରିବା। ୨. ପୂର୍ଣ୍ଣକାଳୀନ ଯୋଗ୍ୟ ବ୍ଲଡ ବ୍ୟାଙ୍କ ଡାଇରେକ୍ଟର/ମେଡିକାଲ୍ ଅଫିସରଙ୍କୁ ନିଯୁକ୍ତି ଦେବା। ୩. କ୍ୟାମ୍ପରୁ ସଂଗୃହୀତ ରକ୍ତର ୧୦୦% କମ୍ପୋନେଣ୍ଟ ବିଭାଜନ କରିବା। ୪. ଡ୍ରଗ୍ସ ଓ କସମାଟିକ ଆଇନ ଏବଂ NBTC/NACO ନିର୍ଦ୍ଦେଶାବଳୀର ପାଳନ। ଏହି ଦାବି ଗୁଡିକୁ ପଢିବା ପରେ ରେଡକ୍ରସ ସଚିବ ଗଣେଶ ପାତ୍ର ମହୋଦୟ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି। ଦାବି ଗୁଡିକ ପୁରାଣ କରିବାରେ ଅବହେଳା ହେଲେ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତା ବୃନ୍ଦ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ