ବନ୍ୟା କ୍ଷତିଗସ୍ତଙ୍କୁ ତୁରନ୍ତ ସହାୟତା ଦାବୀ: ବିଜେଡି ପକ୍ଷରୁ ଶୋଭାଯାତ୍ରା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ସାନଖେମୁଣ୍ଡି ବ୍ଲକ ଅଧିନ ସମସ୍ତ ଗ୍ରାମାଞ୍ଚଳ ରେ ବନ୍ୟା ପ୍ରପୀଡ଼ିତ ଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାଯିବା ଦାବୀ ରେ ସୋମବାର ବିଜୁ ଜନତା ଦଳ ସାନଖେମୁଣ୍ଡି ବ୍ଲକ କମିଟି ପକ୍ଷରୁ ପାଟପୁର ଠାରେ ସଭା ଓ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ବନ୍ୟା ନିୟନ୍ତ୍ରଣ ରେ ବିଫଳତା ଏବଂ ରିଲିଫ ବଣ୍ଟନ ରେ ଅନିୟମିତତା ପ୍ରତିବାଦରେ ପାଟପୁର ଗାନ୍ଧୀ ଛକ ଠାରୁ ସାନଖେମୁଣ୍ଡି ବିଜୁ ଜନତା ଦଳ ର ନେତୃବୃନ୍ଦ ଏବଂ କର୍ମୀ ଏକ ବିରାଟ ପଟୁଆର ରେ ଏକାଠି ହୋଇ ପ୍ରଥମେ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଓ ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିଥିଲେ। ସଭା,ଶୋଭାଯାତ୍ରା ରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଏବଂ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଭ୍ୟ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ଉପସଭାପତି ଯୋଗେନ୍ଦ୍ର ସ୍ୱାଇଁ,ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର ପ୍ରମୁଖ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଡବଲ ଇଞ୍ଜିନ ଭାଜପା ସରକାର ଏବଂ ପ୍ରଶାସନିକ ବିଫଳତା କୁ ସମାଲୋଚନା କରିଥିଲେ। ଜିଲା ପରିଷଦ ସଦସ୍ୟ ତଥା ବିଜେଡି ବ୍ଲକ କମିଟି ସଭାପତି ଅମିନ ପ୍ରଧାନ,ସୁନୀଲ ଗୌଡ଼,ମାଧବ ରାଓ,ସୀମାଞ୍ଚଳ ଗୌଡ଼ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଘେରାଉ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ତରଫରୁ ୧୦ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।


