ଡାଲା ଅଟୋର ଚାହିଦା ବୃଦ୍ଧି : ବେଉସା ହରାଇବାକୁ ବସିଲେଣି ଟ୍ରଲି ଚାଳକ
ଆସିକା (ୱାଇଏନ୍ଏସ୍) ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବହୁ ଟ୍ରଲି ଚାଳକ ଗତ କିଛି ମାସ ହେଲା ନିଜର ବେଉସା ହରାଇବାକୁ ବସିଲେଣି । ଦିନକୁ ଦିନ ଡାଲାଅଟୋର ଚାହିଦା ବୃଦ୍ଧି ଯୋଗୁଁ ଟ୍ରଲି ଚାଳକ ନିଜର ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା କଷ୍ଟସାଧ୍ୟ ହୋପଡିଲାଣି । ବର୍ଷ ବର୍ଷ ଧରି ଟ୍ରଲି ଟାଣି ପେଟ ପୋଷୁଥିବା ଟ୍ରଲିଚାଳକ ମାନଙ୍କ ମଧ୍ୟରୁ କେତେକ ବର୍ତ୍ତମାନ ଦିନ ମଜୁରିଆ କାମ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ବିଗତ ଦିନ ମାନଙ୍କରେ ଆସିକା ସହରର ପ୍ରମୁଖ ବ୍ୟବସାୟିକ ଅଞ୍ଚଳ ଗୁଡିକ ଟ୍ରଲି ଚାଳକଙ୍କ ପାଇଁ ଭାତହାଣ୍ଡି ଥିଲା । ତେବେ ଯେଉଁ ଦିନ ଠାରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଡାଲା ଅଟୋ ଚାଲିଲା ଟ୍ରଲି ଚାଳକ ମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଯେଉଁ ପ୍ରାପ୍ୟ ପାଉଥିଲେ ସେହି ଅର୍ଥ ପ୍ରଦାନରେ ସ୍ୱଳ୍ପ ସମୟରେ ଡାଲା ଅଟୋ ମିଳିଯାଉଥିବା ଯୋଗୁଁ ଟ୍ରଲି ଚାଳକଙ୍କ ଜୀବନଜିବୀକା ଦୁର୍ବିସହ ହେବାକୁ ବସିଛି । କାଁଭାଁକେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଛାଡିଦେଲେ ଆସିକା ସହରରେ ଆଉ ଆଗଭଳି ଟ୍ରଲି ପାଇବା ବଡ କଷ୍ଟକର ବ୍ୟାପାର ହୋଇପଡୁଛି । ମହଙ୍ଗା ବଜାରରେ ଟ୍ରଲି ଚଳାଇ ପରିବାର ପ୍ରତିପୋଷଣ କରିବା ଆଉ ସମ୍ଭବ ହେଉ ନାହିଁ ବୋଲି କେତେକ ଟ୍ରଲିଚାଳକ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରୁଛନ୍ତି । ଅତୀତରେ ଜଣେ ଜଣେ ଟ୍ରଲିଚାଳକ ଦିନତମାମ କଠିନ ପରିଶ୍ରମ କରି ୫ ଶହରୁ ୮ ଶହ ଟଙ୍କା ଦୈନିକ ରୋଜଗାର କରୁଥିବା ବେଳେ ବର୍ତ୍ତମାନ ଟ୍ରଲି ଟାଣି ଦିନକୁ ୫୦ ଟଙ୍କା ରୋଜଗାର କରିବା ମଧ୍ୟ କଷ୍ଟ ହୋଇପଡିଲାଣି । ଆଗାମୀ ଦିନରେ ଏହି ଟ୍ରଲି ଜନମାନସରୁ ଲିଭିଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି କେତେକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


