ହିତାଧିକାରୀଙ୍କୁ ଲୁଟୁଛନ୍ତି ଡିପୋ ମାଲିକ : ଅଧିକ ଦାମ୍ ନେଇ ଦେଉଛନ୍ତି କମ୍ ସାମଗ୍ରୀ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ବାଲି, ସିମେଣ୍ଟ ଓ ଚିପ୍ସ ବିକୁଥିବା ଡିପୋ ମାଲିକ ମାନେ ରାତାରାତି କୋଟିପତି ହେବାକୁ ନୂଆ ତରିକା ଆପଣାଇ ବେପାର କରୁଛନ୍ତି। ଏମାନଙ୍କୁ ଏହି କାମରେ ସହଯୋଗ କରୁଛନ୍ତି କେତେକ ପଂଚାୟତସ୍ତରୀୟ କୁଜି ନେତା, ଦଲାଲ ଏପରିକି କିଛି ତଳୁଆ ସରକାରୀ କର୍ମଚାରୀ। ୧୯୯୯ମହାବାତ୍ୟା ପରେ ସରକାରଙ୍କ ସହଯୋଗରେ ଗାଁ ଗହଳିରେ ପକ୍କାଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଗୃହ ନିର୍ମାଣ କରିବା ପାଈଁ ଅର୍ଥରାଶି ୨୨ ହଜାରରୁ ଆରମ୍ଭ ହୋଇ ଏବେ ପାଖାପାଖି ୨ ଲକ୍ଷ ଟଙ୍କାରେ ପହଂଚିଲାଣି। ଏହା ଶହ ଭିନ୍ନକ୍ଷମ, ଅସହାୟ ଲୋକଙ୍କୁ ୧ଲକ୍ଷ ୨୦ହଜାର ଟଙ୍କା ପାଖାପାଖି ପାଉଛନ୍ତି।ଖାଲି ସରକାରୀ ଯୋଜନା ରେ ଏହି ଗୃହ ନିର୍ମାଣ ନୁହେଁ ଲୋକ ନିଜ ଉଦ୍ୟମ ରେ ମଧ୍ୟ ନିର୍ମାଣ କରୁଛନ୍ତି ଅନେକ କୋଠାଘର। ହେଲେ ଏହି କୋଠାଘର ନିର୍ମାଣ ପାଈଁ ଆବଶ୍ୟକ ହେଉଥିବା ଚିପ୍ସ, ବାଲି, ସିମେଣ୍ଟ, ରଡ଼ କିଣାରେ ହିତାଧିକାରୀଙ୍କୁ ଶୋଷଣ କରୁଛନ୍ତି ଡିପୋ ମାଲିକମାନେ। ଗ୍ରାହକଙ୍କ ଠାରୁ ୧୦୦ଫୁଟର ସାମଗ୍ରୀ ଲାଗି ଟଙ୍କା ନେଇ ଦେଉଛନ୍ତି ୮୦ରୁ ୮୫ଫୁଟର ସାମଗ୍ରୀ। ଏହି ବେପାର କରୁଥିବା ଡିପୋ ମାଲିକ ମାନେ ଏମିତି କରି ରାତାରାତି ଅଧିକ ଅର୍ଥ ଉପାର୍ଜନ କରୁଥିବା ଅଭିଯୋଗ ହୋଇଛି। ଏହି ସାମଗ୍ରୀ ବିକିବା ପାଈଁ ମାଲିକ ମାନେ ନିଜର ଖଣ୍ଡେ ୨ ଖଣ୍ଡ ଲେଖାଏଁ ଟ୍ରାକ୍ଟର, ଟାଟା ଏସି କିମ୍ବା ହାଇୱା ରଖିଛନ୍ତି। ଯେଉଁ ମାଲିକ ମାନଙ୍କର ଟ୍ରାକ୍ଟର ନାହିଁ ସେମାନେ ଅନ୍ୟ କାହା ଠାରୁ ଲିଜରେ ଟ୍ରାକ୍ଟର ଆଣି ସାମଗ୍ରୀ ବିକ୍ରି କରୁଛନ୍ତି। ଯଦି କୌଣସି ଗ୍ରାହକ ନିଜ ପସନ୍ଦର ବା ନିଜର ଟ୍ରାକ୍ଟର ଧରି ସାମଗ୍ରୀ ନେବାକୁ ଆସେ ତାହାହେଲେ ତାକୁ ସାମଗ୍ରୀ ମଧ୍ୟ ଦେଉନଥିବା ଜଣାଯାଇଛି। ଅର୍ଥାତ ଡିପୋ ମାଲିକ ମାନେ ବ୍ୟବହାର କରୁଥିବା ଟ୍ରାକ୍ଟର ଗାଡି ଡାଲା ଗୁଡିକ କାଟି ଛୋଟ କରିଛନ୍ତି। ଯେପରି ସେଥିରେ ସର୍ବାଧିକ ୮୦ରୁ ୮୫ଫୁଟ ସାମଗ୍ରୀ ଧରିବ। ସାଧାରଣ ଲୋକଙ୍କ ହିସାବରେ ଗୋଟେ ଟ୍ରିପ ଟ୍ରାକ୍ଟରରେ ୧୦୦ଫୁଟ ବାଲି ଧରେ। ତେଣୁ ଟ୍ରିପ ବାବଦକୁ ୧୦୦ଫୁଟ ହିସାବରେ ସେମାନେ ଡିପୋ ମାଲିକଙ୍କୁ ଟଙ୍କା ପ୍ରଦାନ କରିଥାନ୍ତି। ହେଲେ ଡିପୋ ମାଲିକ ୮୦ଫୁଟର ସାମଗ୍ରୀ ଦେଇ ସିଧା ସଳଖ ୨୦ଫୁଟର ଟଙ୍କା ଅନାୟାସ ପାଇଯାଉଛନ୍ତି। ବର୍ତମାନ ଚିପ୍ସ ଫୁଟ ୯୦ଟଙ୍କା, ବାଲି ଫୁଟ ୨୨ଟଙ୍କା, ପଥର ଫୁଟ ୧୦୫ଟଙ୍କା ହିସାବରେ ବଜାର ଦର ଚାଲୁଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳରେ କିଛି ଡିପୋ ମାଲିକ ୧୦୦ଫୁଟ ଚିପ୍ସ ଦାମ୍ ନେଇ ୮୦ଫୁଟ ମାଲ ଦିଏ ତାହା ହେଲେ ସିଧାସଳଖ ଟ୍ରିପରେ ୧୨ଶହ ଟଙ୍କା ଅତିରିକ୍ତ ଲାଭ ରଖୁଛନ୍ତି। ଅର୍ଥାତ ଦିନକୁ ୫ରୁ ୧୦ଟ୍ରିପ ବିକ୍ରି କରାଯାଏ ଉପୁରି ଟଙ୍କା ୬ରୁ ୧୨ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭ କରୁଛନ୍ତି। ଏ ପଟେ ୧୦୦ଫୁଟ ସାମଗ୍ରୀ ଦାମ୍ ଦେଇ ୮୦ଫୁଟ ସାମଗ୍ରୀ ନେଇ ଠକାମୀ ର ଶିକାର ହେଉଛନ୍ତି ହିତାଧିକାରୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଅସ୍ତରଙ୍ଗ,ପୋଟଳଛକ, ଶିଶୁଅ, କୋରଣା, ଆଳସାହି, ଅସ୍ତରଙ୍ଗ, କଣମଣ,ଆଳଙ୍ଗପୁର, ଖଣ୍ଡାସାହି, କୁଣ୍ଡେଶ୍ୱର ହୀରାଦେଇପୁର, ତାଳଦା, ଅସ୍ତରଙ୍ଗ ବଜାର ରେ ଥିବା ଡିପୋ ରେ ଏପରି ଗ୍ରାହକଙ୍କୁ ଦିନ ଦ୍ବିପ୍ରହରରେ ଠକୁଛନ୍ତି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ଲୋକଙ୍କ ଠକୁଥିବା ଅସାଧୁ ଡିପୋ ବେପାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।


