ପଞ୍ଚକୋଷାତ୍ମକ ଶିକ୍ଷା ଦ୍ବାରା ବ୍ୟକ୍ତିର ଜୀବନ ପ୍ରଣାଳୀରେ ବିକାଶ ସମ୍ଭବ
କଟକ, (ଓ୍ବାଇଏନଏସ): ଏକ ବିକଶିତ ବ୍ୟକ୍ତିତ୍ଵ ହିଁ ରାଷ୍ଟ୍ର ପ୍ରତି ସମର୍ପିତ ହୋଇଥାଏ। ପରିବାର, ସମାଜ, ରାଷ୍ଟ୍ର ଓ ବିଶ୍ୱ ସହ ନିଜକୁ ଯୋଡ଼ି ପାରିଲେ ବ୍ୟକ୍ତିର ସମଗ୍ର ବିକାଶରେ ନିରନ୍ତରତା ଆସିପାରିବ। ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରିତ ପଞ୍ଚକୋଷାତ୍ମକ ଶିକ୍ଷା ଦ୍ବାରା ବ୍ୟକ୍ତିର ଜୀବନ ପ୍ରଣାଳୀରେ ବିକାଶ ହେବ ଏବଂ ଏହା ବ୍ୟକ୍ତି ଜୀବନକୁ ସମର୍ଥ ଓ ସୁପ୍ରତିଷ୍ଠିତ କରିପାରିବ ବୋଲି ବିଶିଷ୍ଟ ସଂସ୍କୃତବିତ ତଥା ରାଜ୍ୟ ବିଦ୍ୟାଳୟ ପାଠ୍ୟକ୍ରମ ପ୍ରାରୂପ ସମିତି ସଦସ୍ୟ ଡଃ ଗୋପାଳ ପ୍ରସାଦ ମହାପାତ୍ର ମତବ୍ୟକ୍ତ କରିଛନ୍ତି। ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ‘ପଞ୍ଚକୋଷାତ୍ମକ ସମଗ୍ର ବିକାଶ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସେ ଏହା କହିଥିଲେ। ଡକ୍ଟର ବି ସି ଦାସ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ସୁଦର୍ଶନ ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଶେଷ ଅତିଥି ଭାବେ ପ୍ରଫେସର ଶିବବ୍ରତ ଦାସ ଏବଂ ରାଜ୍ୟ ବିଦ୍ୟାଳୟ ପାଠ୍ୟକ୍ରମ ପ୍ରାରୂପ ସମିତି ସଦସ୍ୟ ଡଃ କିଶୋର ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ। ପ୍ରଫେସର ଶରତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଏଡ ବିଦ୍ୟାର୍ଥୀମାନଙ୍କ ଦ୍ବାରା ଦୀପ- ଚିତ୍ର କଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଡକ୍ଟର ତନୁଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।