ଅଧାରେ ଅଟକିଛି ମା’ ମଙ୍ଗଳା ପୀଠ ଉନ୍ନୟନ କାର୍ଯ୍ୟ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ପୁଣ୍ୟତୋୟା ପ୍ରାଚୀ ନଦୀ କୂଳରେ ଅବସ୍ଥିତ କାକଟପୁର ଅଧିଷ୍ଠାତ୍ରୀ ମା’ ମଙ୍ଗଳା ପୀଠର ବିକାଶ କାର୍ଯ୍ୟ ଏବେ ଅଧାରେ। ଅକ୍ଟୋବର ପ୍ରଥମ ସପ୍ତାହରୁ ପ୍ରସିଦ୍ଧ ଷୋଡଶ ଉପଚାର ଓ ଶାରଦୀୟ ପୂଜା ଆରମ୍ଭ ହେବ, ହେଲେ ୨୦୨୩ରେ ଆରମ୍ଭ ପ୍ରକଳ୍ପ ୩ ବର୍ଷ ପରେ ବି ସରୁନି। ୨୦୨୩ରେ ୫ଟି ଅନୁମୋଦନରେ ୧୦ କୋଟି ମଞ୍ଜୁର ହୋଇ ଓବିସିସି କୁ ଦିଆଯାଇଥିଲା। ନୂଆ ସରକାର ଆସି ଦେବୋତ୍ତର ବିଭାଗ ପ୍ଲାନ ରିଭ୍ୟୁ କଲା। ଗତ ୪ ଅଗଷ୍ଟ ୨୦୨୬ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଓବିସିସି ଏମଡି ଅନୁପମ ଶାହା ଲୋକସେବା ଭବନରେ ବୈଠକ କରି ସେପ୍ଟେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେପ୍ଟେମ୍ବର ସରିଲା କାମ ୫୦% ବି ସରିନି । ସବୁଠୁ ବଡ ଅଭିଯୋଗ ନିମ୍ନମାନର କାମ । ଗର୍ଭଗୃହ ଓ ଗୁମୁଟରୁ ପାଣି ଝରୁଛି, ଛାତର କାଠ ବିମ୍ ସଢିଲାଣି, ରଡ୍ ବାହାରିଲାଣି । ନୂଆ ରୋଷଘରେ ଚିମିନି ନାହିଁ, ଧୂଆଁ ବାହାରୁନି, ଆଡଜଷ୍ଟ ଫ୍ୟାନ ଲାଗିଛି, ବର୍ଷା ପାଣି ପଶୁଛି। ଖଣ୍ଡାଲାଇଟ ପଥର ଫାଟିଲାଣି, ପାର୍କିଂ କଚ୍ଚା, ଜଳ ନିଷ୍କାସନ ନାହିଁ, ଆଣ୍ଠୁଏ ପାଣି ଜମୁଛି। ଭୋଗ ଦୋକାନ ଟିଣ ତଳେ, ସେବାୟତ ଭବନ ଅଧା, ବିଜେସ୍ଥଳୀ ରଙ୍ଗ ଛାଡିଲାଣି। ସାଇଟରେ ଇଞ୍ଜିନିୟର ନାହାନ୍ତି, ଠିକାଦାର ମନମୁଖୀ। ମନ୍ତ୍ରୀଙ୍କ ମୁହଁରେ ଗୋଟିଏ ଶବ୍ଦ ଖୁବ ଶୀଘ୍ର । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ମଙ୍ଗଳବାର ସନ୍ଧ୍ୟାରେ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ମନ୍ଦିର ଗସ୍ତ କରି କହିଛନ୍ତି ପୂଜା ପୂର୍ବରୁ ସାରିବାର ଥିଲା ବିଳମ୍ବ ହେଲା ଅସ୍ଥାୟୀ ଭାବେ ସାରିବାକୁ ଓବିସିସି କୁ ନିର୍ଦ୍ଦେଶ ଦିଆଯାଇଛି। ସେବାୟତ କିଶୋର ଦୀକ୍ଷିତି କହିଛନ୍ତି କାମ ମନ୍ଥର ନିମ୍ନମାନ। ସୁବାସ ଦୀକ୍ଷିତି କହିଛନ୍ତି ରୋଷଘର ଅଧା କିପରି ଭୋଗ ହେବ । ପ୍ରଦୀପ୍ତ ଦୀକ୍ଷିତି କହିଛନ୍ତି ସେପ୍ଟେମ୍ବର ଶେଷ କହିଥିଲେ ଏବେ ଅକ୍ଟୋବର ଶେଷ କହୁଛନ୍ତି । ଭଦ୍ରକର ଶ୍ରଦ୍ଧାଳୁ ରାଧାମୋହନ ମିଶ୍ର କହିଛନ୍ତି କୋଟି ଟଙ୍କାର କାମ ଏମିତି ଯଦି ପୂଜା ପୂର୍ବରୁ ନ ସରେ ହଜାର ଭକ୍ତ ନିରାଶ ହେବେ।


