ବିଦ୍ୟାଧରପୁରରେ ପୁସ୍ତକ ଲୋକାର୍ପଣ ଓ ସମ୍ବର୍ଦ୍ଧନା ସଭା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବିଦ୍ୟାଧରପୁର ଠାରେ ସାହିତ୍ୟିକ ତଥା କବି ନରହରି ପାତ୍ରଙ୍କ ଲିଖିତ ଦୁଇଟି ପୁସ୍ତଜର ଲୋକାର୍ପଣ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଯୋଗଦେଇ ରାଜନୀତି ସମାଜକୁ ବିଭାଜନ କରୁଥିବା ବେଳେ ସାହିତ୍ୟ ସମାଜକୁ ସଂଯଜନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତାଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରମାକାନ୍ତ ନାୟକ ଯୋଗଦେଇ ବର୍ତ୍ତମାନ ସମୟରେ ଉପନ୍ୟାସ ସଂଖ୍ୟା କମି କମି ଯାଉଥିବା ବେଳେ ନରହରି ପାତ୍ରଙ୍କ ଏହି ଉପନ୍ୟାସ ଅନ୍ୟ ମାନଙ୍କୁ ଦିଗଦର୍ଶନ ଦେବ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ମାନ୍ୟବର ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ଯୋଗଦେଇ ସାରସ୍ୱତ ସମାରୋହ ସବୁବେଳେ ରାଜନୀତିର ଉର୍ଦ୍ଧରେ ରହିଥାଏ ବୋଲି କହିଥିଲେ। ପୂର୍ବର ଖ୍ୟାତନାମା କବି ଓ ସାହିତ୍ୟିକ ମାନଙ୍କୁ ମନେ ପକାଇବା ପାଇଁ ସାହିତ୍ୟ ସଂସଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଯୋଗଦେଇ ସାହିତ୍ୟ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମାଧ୍ୟମ ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଯୋଗଦେଇ ଇଂରାଜୀ ଭାଷାକୁ ଦୁରେଇ ଓଡ଼ିଆ ଭାଷା ସାହିତ୍ୟକୁ ପ୍ରାଧାନ୍ୟ ଦେବା ଜରୁରୀ। ଯାହାଦ୍ୱାରା ଓଡ଼ିଆ ମାତୃ ଭାଷାର ପ୍ରଚାର ପ୍ରସାର ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ହାଟଡିହି ପଞ୍ଚାୟତ ସମିତି ଅଧକ୍ଷା ସାବିତ୍ରୀ ସେଠୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ସୁସାହିତ୍ୟିକ ଓ କବି ଡ଼. ଅଶୋକ ପୁହାଣ, ସୁସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା, ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁ ପ୍ରମୁଖ ଯୋଗଦେଇ ନରହରି ପାତ୍ରଙ୍କ ଲିଖିତ ଏହି ପୁସ୍ତକ ସମାଜକୁ ଦିଗଦର୍ଶନ ଦେବାରେ ସହାୟକ ହେବ ବୋଲି ମତ ଦେଇଥିଲେ। ଏହି ଅବସରରେ ସାହିତ୍ୟିକ ତଥା କବି ନରହରି ପାତ୍ରଙ୍କ ଲିଖିତ ଜ୍ୟେଷ୍ଠ କୌନ୍ତେୟ ଓ ଉଡ଼ନ୍ତା ପକ୍ଷୀର ଛାଇ ପୁସ୍ତକକୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ସେହିପରି ଶିକ୍ଷାବିତ ରଘୁନାଥ ପତି, ଶଙ୍ଖାଳି ରାଉଳ, ନାରାୟଣ ଲେଙ୍କା, ମୋହନ କୁମାର ମହାନ୍ତି, ରମାକାନ୍ତ ଜେନା, ଅମୀୟ ଘଡେଇ, ସାମ୍ବାଦିକ ଗୋପାଳ ରାଉତ, ହେମନ୍ତ ସିଂ, ନାଟ୍ୟ ନିର୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି ଅବସରରେ କାଞ୍ଚନଲତା ଜେନାଙ୍କ ସଂଯୋଜନାରେ ଆଖପାଖ ଅଞ୍ଚଳର ଅନେକ କବି, କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ମାନ ଆବୃତ୍ତି କରିଥିଲେ। ବିଶ୍ୱରଂଜନ ପାଣିଗ୍ରାହୀଙ୍କ ସମେତ ପାତ୍ର ପରିବାର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


