ବେଆଇନ ଇଟାଭାଟି ଭାଙ୍ଗିଲା ଦିଗପହଣ୍ଡି ତହସିଲ ପ୍ରଶାସନ
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ବ ସର୍କଲରେ ବେଆଇନ ଭାବେ ଚାଲିଥିବା ଇଟାଭାଟି ଉପରେ ପ୍ରଶାସନ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ସେଗୁଡିକୁ ଭାଙ୍ଗି ଦିଆଯାଇଥିବା ଜଣାପଡିଛି । ସୋମବାର ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ନେତୃତ୍ଵରେ ବାଙ୍ଗରଡା ରାଜସ୍ବ ସର୍କଲର ଜଲମେରୀପଲ୍ଲୀ ଏବଂ ଧେରେଣ୍ଡି ଗ୍ରାମ ର ୨ ଇଟାଭାଟି, ଭୀଷ୍ମଗିରୀ ରାଜସ୍ବ ସର୍କଲ ର ବାବୁଲି ବନ୍ଧ ଏବଂ ବାଲିପାଟ ଗ୍ରାମର ୨ ଟି ଇଟାଭାଟି ଏବଂ ଭ୍ରମରପୁର ସର୍କଲ ଅଧିନରେ ଥିବା ସମାସିଙ୍ଗି ଗ୍ରାମର ୭ ଟି ଓ ଚୌଧୁରୀ ଟିକରପଡା ଗ୍ରାମର ୩ ଟି ବେଆଇନ ଇଟାଭାଟି ଉପରେ ପ୍ରଶାସନ ଚଢ଼ାଉ କରି ହିଟାଚି ମେସିନ ସାହାଯ୍ୟରେ ଭାଙ୍ଗି ଦେଇଥିବା ଜଣାପଡିଛି । ଦିଗପହଣ୍ଡି ଅଞ୍ଚଳରେ ଦୀର୍ଘବର୍ଷ ହେଲା କିଛି ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ଭାବେ ଇଟାଭାଟି କରି ବ୍ୟବସାୟ କରି ଆସୁଥିଲେ । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ସହ ଇଟାଭାଟି ଯୋଗୁଁ ଗ୍ରାମାଞ୍ଚଳରେ ବାୟୁ ପ୍ରଦୂଷଣ ହେବା ସହ ତାପମାତ୍ରା ବୃଦ୍ଧି ପାଉଥିବା ଜଣାପଡିଛି । ଯାହାକୁ ନେଇ ସମ୍ପୃକ୍ତ ଅଞ୍ଚଳବାସୀ ପୂର୍ବରୁ ଅଭିଯୋଗ କରି ଆସୁଥିଲେ । ଅଭିଯୋଗକୁ ଭିତ୍ତି କରି ତହସିଲଦାର ପୁଲିସ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ବେଆଇନ ଭାବେ ଗଢି ଉଠିଥିବା ୧୪ ଟି ଇଟାଭାଟି ଉପରେ ଚଢ଼ାଉ କରାଯିବା ସହ ସେଗୁଡିକୁ ଭାଙ୍ଗି ଚୁରମାର କରିଥିବା ଜଣାପଡିଛି । ଏହି ଚଢ଼ାଉ ସମୟରେ ତହସିଲଦାର ଙ୍କ ସମେତ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ , ରେଭେନ୍ଯୁ ସୁପ୍ରଭାଇଜର ବାବୁ ସେଠୀ , କେ . ନୂଆଗାଁ ଥାନା ଅଧିନ ନୂଆପଡା ଫାଣ୍ଡି ଅଧିକାରୀ , ଅଗ୍ନିଶମ ଅଧିକାରୀ ବିକାଶ ଚନ୍ଦ୍ର ମୁଦୁଲି , ବାଙ୍ଗରଡା ରାଜସ୍ବ ନୀରିକ୍ଷକ ମନୋଜ କୁମାର ବେହେରା , ଭୀଷ୍ମଗିରୀ ରାଜସ୍ବ ନୀରିକ୍ଷକ ସୁଶାନ୍ତ କୁମାର ବେହେରା , ଭ୍ରମରପୁର ରାଜସ୍ବ ନୀରିକ୍ଷକ ସୁନୀଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।