ଦିଗପହଣ୍ଡି ଠାକୁରାଣୀ ଯାତ୍ରା : ମା’ ଘରେ ପୂଜା ପାଇ ଭଉଣୀ ଫୁଲସୁନ୍ଦରୀଙ୍କୁ ଭେଟ ହେଲେ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଶନିବାର ୬ ଷ୍ଠ ଦିନ ବିତିଛି। ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠ ଆଶ୍ୱିନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ସେବା ପୂଜା ମଣୋହି କରାଯାଇଥିଲା। ମା ‘ ଙ୍କୁ ଦର୍ଶନ ଓ ପୂଜା ପାଇଁ ଶ୍ରଦ୍ଧାଳୁ ଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ମା ‘ ଙ୍କୁ ସାନ୍ଧ୍ୟ ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା ‘ ଙ୍କୁ ଆବାହନ କରିଥିଲେ।ମା ‘ ଙ୍କ ଆଜ୍ଞାମାଳ ପରେ ପାର୍ଶ୍ଵ ଘଟ ଧାରୀ ମହିଳା ମାନେ ମା ‘ ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ।ମୁଖ୍ୟ ଘଟ କୁ ସମ୍ମୁଖ ଭାଗରେ ରଖାଯିବା ପରେ ମା ‘ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣା ର ତାଳେ ତାଳେ ଝୁଲି ଝୁଲି ଯାତ୍ରାପୀଠ ରୁ ଶୋଭାଯାତ୍ରା ରେ ବାହାରି ଜନତାଲେନ ଦେଇ ଧୋବା ସାହି, ଆଠଗଡିଆ ସାହି ପରିକ୍ରମା କରି ସହରର ସର୍ବପୁରାତନ ବସ୍ତି ଗଡ ଚୈତନ୍ୟପୁର ଶାସନ ସାହି ରେ ପହଞ୍ଚିଥିଲେ। ସାହି ସମ୍ମୁଖରେ ମା ‘ ଦୂର୍ଗାପୂଜା କମିଟି ପକ୍ଷରୁ ମା ‘ ବୁଢ଼ୀ ଠାକୁରାଣୀଙ୍କୁ ଧୂପ,ଦୀପ, ନୈବେଦ୍ୟ ପ୍ରଦାନ ପୂର୍ବକ ନିମନ୍ତ୍ରଣ କରାଯାଇଥିଲା। ଦୂର୍ଗା ମଣ୍ଡପରେ ମା ‘ ବୁଢ଼ୀ ଠାକୁରାଣୀ ଏବଂ ମା ‘ ଦୂର୍ଗା ଙ୍କ ଭେଟ ପୂଜା ନୀତି କାନ୍ତି ଅନୁଯାୟୀ କରାଯାଇଥିଲା।ପରେ ମା ‘ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ସେବାୟତ ମାନେ ପରିବାର ସହ ରହୁଥିବା ଚିକିଟିଆ ସାହି ରେ ପହଞ୍ଚିଥିଲେ।ଶାଶୁ ଘରୁ ମାଆ ଘରକୁ ବୁଲି ଆସିଥିବା ବୁଢ଼ୀ ଠାକୁରାଣୀଙ୍କୁ ସେବାୟତ ମାନେ ଘର ମଧ୍ୟକୁ ନେଇ ପୂଜାର୍ଚ୍ଚନା କରିଥିଲେ।ସେଠାରେ ଖିରି,କାକରା,ପିଠା ପଣା ଖାଇ ସାହି ର ସ୍ବର୍ଗତ ନଟବର ମିଶ୍ର ଙ୍କ ଘର ସମ୍ମୁଖରେ ପୂଜା ପାଉଥିବା ଭଉଣୀ ମା ‘ ଫୁଲସୁନ୍ଦରୀ ଙ୍କ ମଣ୍ଡପରେ ବିଜେ ହୋଇଥିଲେ।ବିଧି ମୁତାବକ ମା ‘ ଙ୍କୁ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମା ‘ ଭୋଇ ବାଉରୀ ସାହି,କୁମ୍ଭାର ସାହି ଓ ବଜାର ସାହି ପରିକ୍ରମା କରି ଯାତ୍ରା ପୀଠ କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଯାତ୍ରାପୀଠ ରେ ସକାଳେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ପୌରାଣିକ ଭାରତ ଲୀଳା ବା ସୁଭଦ୍ରା ପରିଣୟ ନାଟକ ପରିବେଷଣ କରାଯାଇଥିଲା। ରାତି ପ୍ରାୟ ୧୧ ଟାରେ ଦିଗପହଣ୍ଡି ମା ‘ ଫୁଲ ସୁନ୍ଦରୀ ନାଟ୍ୟ ସଂସଦ ପକ୍ଷରୁ ନିର୍ଦ୍ଦେଶକ ସୁଶାନ୍ତ କୁମାର ସାହୁ ଙ୍କ ନିର୍ଦ୍ଦେଶନାରେ ‘ କାନ୍ଦେନା ଲୁହ ସରିଯିବ ‘ ଅପେରା ମଞ୍ଚସ୍ଥ ହୋଇଥିଲା। ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ବିକାଶ ପଶୁପାଳକ , ଏ . ସାକିଲି , ବିଚିତ୍ରାନନ୍ଦ ପଟ୍ଟନାୟକ , ଦୀପକ କୁମାର ମିଶ୍ର , ଆଶିଷ ପଟ୍ଟନାୟକ , କୁରେଶୁ ମହାରଣା , ନୀଳମାଧବ ଗୌଡ , ପ୍ରଦୀପ କୁମାର ପଣ୍ଡା , ରବିନ୍ଦ୍ର ମାର୍ଥା , ଶିବଶଙ୍କର ମହାଙ୍କୁଡ , ଏ . ଗୋବିନ୍ଦ ଙ୍କ ସମେତ ଅନ୍ୟାନ୍ୟ ଯାତ୍ରା କମିଟି ସଦସ୍ୟ ଓ ପୋଲିସ ବାହିନୀ ଉପସ୍ଥିତ ରହି ଯାତ୍ରା ରେ ଭିଡ ନିୟନ୍ତ୍ରଣ କରିଥିଲେ ।