ଅଙ୍ଗନବାଡି ଗୃହ ନିର୍ମାଣରେ ବିଳମ୍ବକୁ ନେଇ ବଢୁଛି ଅସନ୍ତୋଷ, ଜିଲ୍ଲାପାଳଙ୍କୁ ଦାବିପତ୍ର
ହାଟଡିହି (ଓ୍ବାଇଏନଏସ): ସିଙ୍ଗଡବ ୧୨ନଂ ୱାର୍ଡ ଅଙ୍ଗନବାଡି ଗୃହ ନିର୍ମାଣରେ ଅଯଥା ବିଳମ୍ବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସିଙ୍ଗଡବ ଗ୍ରାମରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଓମବାଡ଼ସୀ ତରଫରୁ ଅନୁଦାନ ଯୋଗାଇ ଦିଆ ଯାଇଥିଲା। ଅଙ୍ଗନବାଡି ଘର ନଥିବାରୁ ପିଲାମାନେ ନିକଟସ୍ଥ ସ୍କୁଲରେ ପଢୁଥିଲେ। ମୋଟ ୩୦ ଜଣ ଶିଶୁଙ୍କ ମଧ୍ୟରୁ ପୁରୁଣା ସିଙ୍ଗଡୋବର ୧୨ନଂ ୱାର୍ଡ ର ୨୭ଜଣ ଶିଶୁ ଏହି ଅଙ୍ଗନବାଡି କେନ୍ଦ୍ରରେ ପଢ଼ୁ ଥିବାରୁ ଗ୍ରାମବାସୀ ମାନେ ତାଙ୍କ ୱାର୍ଡରେ ଅଙ୍ଗନବାଡି ଘର ନିର୍ମାଣ ପାଇଁ ଦାବି କରିଥିଲେ। ଏପରିକି ରାଜସ୍ବ ନିରୀକ୍ଷକ ଅଙ୍ଗନବାଡି ଘର ନିର୍ମାଣ ପାଇଁ ସ୍ଥାନ ପରିଦର୍ଶନ କରି ଖାତା ନମ୍ବର ୩୬୬ ପ୍ଲଟ ନଂ ୧୨୫୫ର ୧୨ଡ଼ିସିମିଲ ପତିତ କିସମ ଜମିରୁ ୬ଡ଼ିସିମିଲ ଜମିରେ ଅଙ୍ଗନବାଡି ଘର ନିର୍ମାଣ ପାଇଁ ତହସିଲଦାର ଙ୍କୁ ଜଣାଇବା ପରେ ତହସିଲଦାରଙ୍କ ଚିଠି ନଂ ୫୭୨୯ ତା ୮/୧୨/୨୦୨୫ରେ ସିଡିପିଓ ଙ୍କୁ ଜଣାଇଥିଲେ । ସିଡିପିଓ ଏନେଇ ତାଙ୍କ ଚିଠି ନଂ ୧୨୦୫ ତା ୧୭/୧୨/୨୦୨୫ରେ ବିଡ଼ିଓ ଙ୍କୁ ଅବଗତ କରାଇ ନୂତନ ଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ନେବାକୁ ଜଣାଇ ଥିଲେ। ମାତ୍ର ମାସଧିକ କାଳ ଅତିକ୍ରାନ୍ତ ହୋଇଥିଲେ ବି କୌଣସି ପଦକ୍ଷେପ ନେଇ ନଥିବାରୁ ଛୁଆ ମାନେ ସ୍କୁଲ ବାରଣ୍ଡାରେ ବସୁଛନ୍ତି ବୋଲି ବିଜୟ କୁମାର ବେହେରା, ଶ୍ରୀଧର ଖଟୁଆ, ଗୌତମ ବେହେରା, ନିରଞ୍ଜନ ବେହେରା, ଶ୍ରୀଧର ବେହେରା, ସ୍ଵପ୍ନେଶ୍ଵର ବେହେରା, ପଦ୍ମନାଭ ଖଟୁଆ, ଦୀପକ ବେହେରା, ସାଗର ଖଟୁଆ, ନିରାକାର ଖଟୁଆ, ଜଗବନ୍ଧୁ ବେହରା, କୁର୍ତ୍ତିବାସ ଖଟୁଆ ପ୍ରମୁଖ ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।


