କୋର୍ଟରେ ସମ୍ବିଧାନ ଦିବସ ଅବସରରେ ଆଲୋଚନା ସଭା
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ଦିଗପହଣ୍ଡି ଜେଏମଏଫସି କୋର୍ଟ ର ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ , ଆଇନଜୀବି ବୃନ୍ଦ ଏବଂ କୋର୍ଟ କର୍ମଚାରୀ ବୃନ୍ଦ ସାମୁହିକ ଭାବେ ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ। ଅପରାହ୍ନରେ ଖେମୁଣ୍ଡି ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁ ଙ୍କ ସଂଯୋଜନା ରେ ଆୟୋଜିତ ଆଲୋଚନା ସଭାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ନିଳିମା ଷଡ଼ଙ୍ଗୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ନାଗରିକଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଉଥିବା ପ୍ରକାଶ କରିଥିଲେ।ସମ୍ବିଧାନରେ ବର୍ଣ୍ଣିତ ମୌଳିକ କର୍ତ୍ତବ୍ୟ ନାଗରିକଙ୍କ ଦାୟିତ୍ଵ ସମ୍ପର୍କରେ ସଚେତନ କରାଉଥିବା ସମୟରେ ମୌଳିକ ଅଧିକାର ଗୁଡ଼ିକ ନାଗରିକଙ୍କ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଥିବା ସେ କହିଥିଲେ। ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ, ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ, ସମ୍ପାଦକ ପ୍ରଦୀପ କୁମାର ନାୟକ, ପୂର୍ବତନ ସମ୍ପାଦକ କୁରେଶୁ ପଣ୍ଡା, ବିଚାର ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ଶତପଥୀ, ସସ୍ମିତା ମହାରଣା, ଅଶ୍ବିନୀ କୁମାର ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।କୋର୍ଟର ଅନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ତାଲୁକ ଆଇନ ସହାୟତା କମିଟି ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।


