ବିଇଓଙ୍କ ନିର୍ଦ୍ଦେଶକୁ ଅବମାନନା: ୪ତାରିଖରୁ ବଦଳି ନିର୍ଦ୍ଦେଶ ସତ୍ତ୍ୱେ ହେଉନି କାର୍ଯ୍ୟକାରୀ
ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କୁ ଅବମାନନା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ମୁଗୁପୁରୁ ନୋଡାଲ ସ୍କୁଲରେ ଜଣେ ଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଗତ ୪ତାରିଖରୁ ବଦଳି କରିଥିଲେ ବି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନହେବାକୁ ନେଇ ଉଠିଛି ପ୍ରଶ୍ନବାଚୀ। ଅଭିଯୋଗରୁ ଜଣା ଯାଇଛି ଯେ ମୁଗୁପୁରୁ ନୋଡାଲ ସ୍କୁଲରେ ଜଣେ ଶିକ୍ଷକ ଦୀର୍ଘ ୧୪ବର୍ଷ ଧରି ଏହି ସ୍କୁଲରେ କାର୍ଯ୍ଯ କରୁଥିବା ବେଳେ ଏକ ରାଜନୈତିକ ଦଳର ହତବାରିଶି ସାଜି ଅଭିଭାବକ ମାନଙ୍କୁ ଉପଯୁକ୍ତ ବ୍ୟବହାର ଦେଖାଉ ନଥିଲେ। ଅଧିକାଂଶ ସମୟ ସ୍କୁଲରେ ଅନୁପସ୍ଥିତ ରହିବାରୁ ଅଭିଭାବକ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ୱାର୍ଡ ସଭ୍ୟା ଦମୟନ୍ତୀ ଜେନା, ଦୁର୍ଯ୍ୟୋ ଧନ ବରାଳ, ନିରଞ୍ଜନ ଦ୍ୱିବେଦୀ, ଅଭୟ କୁମାର ଓଝା, ସୁରେନ୍ଦ୍ର ଓଝା , ସୁରେନ୍ଦ୍ର ପଣ୍ଡା, ଚିନ୍ମୟ ଓଝା, ମୁରଲିଧର ଜେନା, ଵିନୋଦ ଜେନା, ହିରନ୍ୟ ଜେନା, ବାବୁ ଜେନା, ଆବୁଆ ଜେନା, ସଙ୍ଗୀତା ପାତ୍ର, ବଳରାମ ଦଳେଇ ରାମଚନ୍ଦ୍ର ଦଳେଇଙ୍କ ସମେତ ଶତାଧିକ ଅଭିଭାବକ ଲିଖିତ ଭାବେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କ ଚିଠି ନଂ ୩୧୯୨ ତା ୪/୯/୨୦୨୫ ରେ ଉକ୍ତ ଶିକ୍ଷକଙ୍କୁ ଆମ୍ବୋ ସ୍କୁଲକୁ ବଦଳି କରିଥିଲେ। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚିଠି ମିଳି ନଥିବା କହି ତାଙ୍କୁ ରିଲିଭ୍ କରି ନଥିଲେ। ଗତ ୮ତାରିଖରେ ସିଆରସିସି ଚିଠି ନେଇ ହାତାହାତି ପ୍ରଧାନଶିକ୍ଷକଙ୍କୁ ଦେବାପରେ ମଧ୍ଯ ଆଜି ପର୍ଯ୍ୟନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉ ନଥିବାରୁ ଅଭିଯୋଗକାରୀ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ସହିତ ଯଦି ଦିନେ ଦୁଇଦିନ ଭିତରେ ତାଙ୍କୁ ରିଲିଭ କରା ନାଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଅଭିଯୋଗକାରୀ ମାନେ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରି ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି କହିଛନ୍ତି।