ମୁଣ୍ଡାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ପରୀକ୍ଷା ପ୍ରମାଣପତ୍ର ବିତରଣ
ବେତନଟୀ ( ଉଦିତ କୁମାର ପରିଡା ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ରଘୁପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ଠାକୁରଟୋଟା ପ୍ରାଥମିକ ବିଦ୍ୟାଳୟରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ମୁଣ୍ଡାରୀ ଭାଷା ଆନ୍ଦୋଳନ ସଚେତନତା କାର୍ଯ୍ୟକ୍ରମରେ ଗତ ଜୁନ୍ ୮ ତାରିଖରେ ଅନୁଷ୍ଠିତ ମୁଣ୍ଡାରୀ ଭାଷା ବାର୍ଷିକ ପରୀକ୍ଷାର କୃତି ପରୀକ୍ଷାର୍ଥୀ ମାନଙ୍କୁ ମୁଣ୍ଡାରୀ ଭାଷା ଶିକ୍ଷା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ତରଫରୁ ତୃଣମୂଳ ସ୍ତରରେ ଥିବା ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ମୁଣ୍ଡାରୀ ଭାଷା ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ଭାଷା ଆନ୍ଦୋଳନ ଆଗାମୀ ଦିନରେ ସବୁ ମୁଣ୍ଡାରୀ ଭାଷାଭାଷୀ ଅଧ୍ୟୁଷିତ ଗ୍ରାମଗୁଡିକରେ ବ୍ୟାପକ ଭାବେ ଦେଖିବାକୁ ମିଳିବ ବୋଲି ବକ୍ତାମାନେ ବକ୍ତବ୍ୟ ଦେଇଥିଲେ । ଏଥିରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର କେନ୍ଦ୍ରୀୟ ଆବାହକ ବିରବଲ ସିଂ, ସାଧାରଣ ସମ୍ପାଦକ ଇଂ ସୁନାରାମ ସିଂ, ମୁଣ୍ଡାରୀ ଶିକ୍ଷା ପରିଷଦ ସମ୍ପାଦକ ବୁଧିଆ ସିଂ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ବେତନଟୀ ବ୍ଲକ ଆବାହକ ତପନ ସିଂ ଆଦି ବକ୍ତା ଭାବରେ ଉପସ୍ଥାପିତ ଥିଲେ । ଉକ୍ତ ବୈଠକରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋଚନା କରାଯାଇଥିଲା । ମୁଣ୍ଡାରୀ ଭାଷାର ସାମାଜିକ ଏବଂ ସାମ୍ବିଧାନିକ ସ୍ବୀକୃତି ହାସଲ ଓ ତା’ର ସମ୍ମାନର ସୁରକ୍ଷା ହେଉଛି ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ମୁଖ୍ୟ ଲକ୍ଷ୍ୟ । ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ବୀକୃତି ଦେବା ଦାବିରେ ଆଗାମୀ ଶୀତକାଳୀନ ଅଧିବେଶନରେ ଦିଲ୍ଲୀ ଯିବା ନିମନ୍ତେ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଠାକୁରଟୋଟା ଗ୍ରାମରେ ପ୍ରତ୍ୟେକ ରବିବାର ମୁଣ୍ଡାରୀ ଭାଷା ଶିକ୍ଷା ନିମନ୍ତେ ଥିବା ବିଦ୍ୟାଳୟରେ ସମସ୍ତଙ୍କ ପାଇଁ ଶିକ୍ଷା ଗ୍ରହଣର ସୁବିଧା କରାଯିବା ପାଇଁ ଆହ୍ବାନ ଦିଆଯାଇଥିଲା । ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ସଦସ୍ୟତା ଅଭିଯାନକୁ ଲୋକାଭିମୁଖୀ କରିବାକୁ ନୂତନ ସଦସ୍ୟଙ୍କୁ ବାର୍ଷିକ ପଞ୍ଜିକରଣ କରିବାକୁ ଆହ୍ବାନ ଦିଆଯାଇଥିଲା । ଉପସ୍ଥିତ ବକ୍ତାଗଣ ମୁଣ୍ଡାରୀ ଭାଷା ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପ୍ରେରଣା ଦେଇଥିଲେ । ଏହି ଅବସରରେ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ନିମନ୍ତେ ଗ୍ରାମବାସୀଙ୍କ ସ୍ବାକ୍ଷରିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଗଲା । ବେତନଟୀ ବ୍ଲକ ଆବାହକ ତପନ ସିଂ ସଭା ପରିଚାଳନା କରିଥିଲାବେଳେ ମୁଣ୍ଡାରୀ ବିଦ୍ୟାଳୟର ସହଶିକ୍ଷୟିତ୍ରୀ ପାର୍ବତୀ ସିଂ ଅତିଥି ପରିଚୟ ଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀ ସବିତା ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।