ହାଟଡିହି ତହସିଲ ପ୍ରତି ଜିଲ୍ଲା ପ୍ରଶାସନର ଵୈମାତୃକ ମନୋଭାବ: ଅର୍ଦ୍ଧାଧିକ ପଦବୀ ଖାଲି
ହାଟଡିହି (ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲାର ସର୍ବ ବୃହତ ତହସିଲ ଭାବେ ପରିଚିତ ହାଟଡିହି ତହସିଲରେ କର୍ମଚାରୀ ଅଭାବ ଯୋଗୁଁ ଅଚଳାବସ୍ଥା ଦେଖା ଦେଇଛି। ଜିଲ୍ଲା ପ୍ରଶାସନର ଵୈମାତୃକ ମନୋଭାବ ଯୋଗୁଁ ତହସିଲରେ କୌଣସି ସରକାରୀ କାର୍ଯ୍ୟ ଠିକ୍ ଭାବେ ହୋଇ ପାରୁନି। ଏଠାରେ ଅଧିକାଂଶ ସମୟରେ ତହସିଲଦାର, ଅତିରିକ୍ତ ତହସିଲଦାର ପଦବୀ ପୂରଣ କରାଯାଉ ନଥିବା ବେଳେ ଅନେକ ବର୍ଷ ହେଲା କର୍ମଚାରୀ ନିଯୁକ୍ତି ପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଏଠାରେ ଗତ ୩ ବର୍ଷ ଭିତରେ ଜଣ ତହସିଲଦାରଙ୍କ ବଦଳି ହେଲାଣି। ଦୀର୍ଘଦିନ ପରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ତାଙ୍କୁ ଗତକାଲି ଏଠାରୁ ରିଲିଭ କରିଦିଆ ଯାଇଛି। ଜଣେମାତ୍ର ଅଧିକାରୀଙ୍କ ଦ୍ୱାରା କିପରି ଏତେବଡ ତହସିଲର କାର୍ଯ୍ୟ ଚାଲିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଧିକାରୀ ଓ କର୍ମଚାରୀ ଅଭାବ ଫଳରେ ଲୋକଙ୍କ ବିଭିନ୍ନ କାମ ଠିକ୍ ସମୟରେ ହୋଇ ପାରୁନି। ଏହି ତହସିଲରେ ୧୩ ଜଣ ପିଅନ ରହିବା ସ୍ଥଳେ ମାତ୍ର ଜଣେ ପିଅନ ଅଛନ୍ତି। ଆର.ଆଇ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ପିଅନ ପଦବୀ ଖାଲି ପଡ଼ିଛି | ଆର.ଆଇ କୌଣସି କାର୍ଯ୍ୟରେ ବାହାରକୁ ଗଲେ ଅଫିସରେ ତାଲା ପକାଇ ଯାଉଛନ୍ତି। ସେହିପରି ୧୧ଟି ଏ.ଆର.ଆଇ ପଦବୀ ମଧ୍ୟରୁ ମାତ୍ର ଦୁଇଜଣ ଏ.ଆର.ଆଇ ଅଛନ୍ତି। ୯ଟି ଏ.ଆର.ଆଇ ପବଦୀ ଖାଲି ପଡ଼ିଛି I ଏବେ ଆର.ଆଇ ମାନଙ୍କ ଉପରେ ଅନେକ ଗୁଡ଼ିଏ କାର୍ଯ୍ଯ ରହୁଥିବାରୁ ସେମାନେ କୌଣସି ଗୋଟିଏ କର୍ଯ୍ୟରେ ଗଲେ କାର୍ଯ୍ୟଳୟରେ ତାଲା ପକାଇ ଯାଉଛନ୍ତି। ଗତ ଜୁନ୍ ମାସରୁ କେନ୍ଦୁଝରରୁ ଜଣେ ଏ ଆରଆଇ ଭୋଲେଶ୍ୱର୍ ପାତ୍ରଙ୍କୁ ହାଟଡିହି ତହସିଲ୍ କୁ ବଦଳି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ କାର୍ଯ୍ୟରେ ଯୋଗ ଦେଇ ନଥିବା ଜଣା ଯାଇଛି। ସେହିପରି ୧୧ଟି ଅମିନ ପଦବୀ ଥିବାବେଳେ ସେଥି ମଧ୍ଯରୁ ୨ଜଣ ଅମିନ ଅଛନ୍ତି। ବିଶେଷ କରି ଅମିନ ଅଭାବ ଯୋଗୁଁ ଜମିଜମା ମାପ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି। ସେହିପରି ୪ ଟି ପ୍ରୋସେସ ସର୍ଭର ପଦବୀ ମଧ୍ଯ ଖାଲି ପଡ଼ିଛି। ଯାହାଦ୍ଵାରା ନୋଟିସ୍ ଓ ଚିଠି ପତ୍ର ପଠାଇବାରେ ସମ୍ପୁର୍ଣ୍ଣ ବ୍ୟାଘାତ ଘଟୁଛି। ୬ଟି ଚେନମ୍ୟାନ ପଦବୀ ମଧ୍ୟରୁ ୪ଟି ପଦବୀ ଖାଲି ପଡିଥିବା ବେଳେ ୨ଜଣ ଚେନ ମ୍ୟାନ ଅଛନ୍ତି। ତନ୍ମଧ୍ୟରୁ ଜଣକୁ ଡେପୁଟେଶନରେ ଘଷିପୁରା ତହସିଲ୍ କୁ ପଠା ଯାଇଛି। ୪ଟି ୱାଚମ୍ୟାନ ପଦବୀ ଥିବାବେଳେ ସମସ୍ତ ପଦବୀ ଖାଲି ରହିଛି। ସେକ୍ସନ ଅଫିସର ଜଣେ ପଦବୀ ଥିଲେ ବି ସେ ଡେପୁଟେସନରେ କେନ୍ଦୁଝରରେ ଅଛନ୍ତି। ସେହିପରି ରେଭିନ୍ୟୁ ସୁପରଭାଇଜର ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅଛନ୍ତି । ବିଶେଷ କରି ଆରଆଇ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟ ଠିକ୍ ଭାବରେ ହୋଇ ପାରୁ ନଥିବା ବେଳେ ଲୋକମାନେ ନାହି ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଅନ୍ୟ ପକ୍ଷରେ ହାଟଡିହି ତହସିଲ ଅଧିନରେ ୩୧ଟି ପଞ୍ଚାୟତ ୨୧୬ଟି ରାଜସ୍ବ ଗ୍ରାମ ଥିବାବେଳେ ଏଠାରେ ଜମି ଜମା ମାମଲା ଅଧିକ। ଏପରି ସ୍ଥିତିରେ ଆରଆଇ ସର୍କଲ ଗୁଡିକର ରାଜସ୍ବ ନିରୀକ୍ଷକ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କର୍ମଚାରୀ ଅଭାବ ଯୋଗୁଁ ଗୋତିଏ ଗୋଟିଏ ମାମଲା ବର୍ଷ ବର୍ଷ ଧରି ସମାଧାନ କରାଯାଇ ପାରୁନି। ସେହିପରି ରାଜସ୍ବ ଆଦାୟ ମଧ୍ୟ ଠିକ୍ ଭାବରେ ହୋଇ ପାରୁନି। ବିଭିନ୍ନ ସର୍କଲରେ ଥିବା ଲଘୁ ଖଣିଜ ସମ୍ପଦ ବେଆଇନ ଚୋରା ଚାଲାଣ ବୃଦ୍ଧି ପାଇବା ସହିତ ଗୋଚର, ଗୋଦାଣ୍ଡି ଓ ସରକାରୀ ଜମି ଜବରଦଖଲ ବୃଦ୍ଧି ପାଉଛି। ଯାହା ଫଳରେ ବିଭିନ୍ନ ଆରଆଇ ସର୍କଲରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଛି। ଏ ସମ୍ପର୍କରେ ତହସିଲଦାର ଶିବବ୍ରତ ତ୍ରିପାଠୀଙ୍କୁ ପଚାରିବାରେ ସେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିବା କହିଛନ୍ତି। ଅନ୍ୟ ପଟେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଚଳିତ ବିଧାନସଭା ରେ ତହସିଲ ପ୍ରସଙ୍ଗ ଉଠାଇ ରାଜସ୍ବ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଥିବା ତହସିଲର ଯଦି ଏପରି ଅଵସ୍ଥା ତେବେ କହିବା କାହାକୁ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି।


