ଆୟବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଶୁଭେଛା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ରାଜ୍ୟସ୍ତରୀୟ ହାକାଥନ୍ ୩.୦ ରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ କେନ୍ଦ୍ରାପଡ଼ା ବ୍ଲକର ଆୟବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ମାର୍ଗଦର୍ଶକ ଶିକ୍ଷକଙ୍କୁ ଜିଲ୍ଲାପାଳ ରଘୁରାମ ଆର. ଆୟର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସୁଗମ୍ୟତା, ଇ-କମର୍ସ ଏବଂ ସାଇବର ବିଷୟବସ୍ତୁ ଅନ୍ତର୍ଗତ ପ୍ରସ୍ତୁତ ଅଭିନବ ପ୍ରକଳ୍ପ “ହାଣ୍ଡସ୍-ଫ୍ରି ହ୍ୱିଲଚେୟାର ମୁଭମେଣ୍ଟ ବାଏ ହେଡ୍ କଣ୍ଟ୍ରୋଲ୍’ (ମୁଣ୍ଡର ଗତିବିଧି ଦ୍ୱାରା ନିୟନ୍ତ୍ରିତ ଚଳନକ୍ଷମ ହ୍ୱିଲଚେୟାର) ଏକ ଉଲ୍ଲେଖନୀୟ ସଫଳତା। ଯାହା ଆମ ଯୁବପିଢ଼ିଙ୍କ ସୃଜନଶୀଳତା, ନବସୃଜନ ତଥା ସମସ୍ୟା ସମାଧାନର ଦକ୍ଷତାକୁ ପ୍ରତିଫଳିତ କରେ। ମାର୍ଗଦର୍ଶକ ଶିକ୍ଷୟିତ୍ରୀ ବିନ୍ଦୁସ୍ମିତା ସାହୁ ଏବଂ ସମଗ୍ର ଛାତ୍ରଛାତ୍ରୀ ଦଳ ଶ୍ରଦ୍ଧାଞ୍ଜଳି ସ୍ୱାଇଁ (ଦଳ ନେତ୍ରୀ), ସ୍ୱପ୍ନାରାଣୀ ସାହୁ, ଅଙ୍କିତା ମଲ୍ଲିକ, ମୋନାଲିସା ପ୍ରଧାନ ଏବଂ ଆର.ପି. ସ୍ମୃତି ସାହୁଙ୍କୁ ସେମାନଙ୍କର ନିଷ୍ଠା ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜିଲ୍ଲାପାଳ ଶ୍ରୀ ଆୟର ଆନ୍ତରିକ ପ୍ରଶଂସା ଜଣାଇଛନ୍ତି। ଏହି ସଫଳତା କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ଆମ ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ପ୍ରତିଭାର ଏକ ଜ୍ୱଳନ୍ତ ଉଦାହରଣ। ସମଗ୍ର ଦଳର ଆଗାମୀ ଭବିଷ୍ୟତର ଉଦ୍ୟମଗୁଡ଼ିକ ପାଇଁ ମୁଁ ନିରନ୍ତର ସଫଳତା କାମନା କରୁଛି ବୋଲି ଜିଲ୍ଲାପାଳ କହିଛନ୍ତି। ନୂତନ ଉଦ୍ଭାବନ ଜାରି ରଖନ୍ତୁ ଏବଂ ସମସ୍ତଙ୍କୁ ପ୍ରେରଣା ଯୋଗାଉଥାନ୍ତୁ ବୋଲି ଜିଲ୍ଲାପାଳ ଛାତ୍ରୀମାନଙ୍କ ସୁଉଜ୍ଜ୍ୱଳ ଭବିଷ୍ୟତ କାମନା କରି କହିଛନ୍ତି!


