ଭାରୀ ବର୍ଷା ଓ ବନ୍ୟା ପରିସ୍ଥିତି ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ବାଲେଶ୍ୱର,ବାଲେଶ୍ୱର ଜିଲ୍ଲାରେ ଭାରୀ ବର୍ଷା ଓ ବିଭିନ୍ନ ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଆଜି ଅପରାହ୍ନ ୧ଟା ସମୟରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ ମଧ୍ୟ ଉପସ୍ଥିତ ଥିଲେ।ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ତଥ୍ୟ ଅନୁଯାୟୀ, ଜିଲ୍ଲାର ୧୧ଟି ବ୍ଲକ୍ର ୧୨୬ଟି ଗ୍ରାମ ପଞ୍ଚାୟତ ଓ ୭୩୦ଟି ଗ୍ରାମ ପ୍ରଭାବିତ ହୋଇଛି। ପ୍ରାୟ ୩,୫୭,୪୬୬ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୬୭,୨୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୧୨ଟି ଅଗ୍ନିଶମ ଦଳ, ୪ଟି ଓଡ୍ରାଫ୍ ଦଳ, ୨ଟି ଏନ୍ଡିଆର୍ଏଫ୍ ଦଳ, ୬ଟି ମେଡିକାଲ୍ ଟିମ୍ ଓ ୧୭ଟି ପଶୁଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି।ଜିଲ୍ଲାରେ ୧୪୭ଟି ମାଗଣା ରୋଷେଇ କେନ୍ଦ୍ର/ରିଲିଫ୍ କେନ୍ଦ୍ର ମାଧ୍ୟମରେ ୬୭,୨୬୬ ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଜଳକା ଓ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ଥିବାବେଳେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ହ୍ରାସ ପାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ନିମ୍ନାଞ୍ଚଳ ଓ ବିପଦପ୍ରବଣ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।


