କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ମାର୍ଚ୍ଚ ୧୫ରେ ଜିଲ୍ଲାସ୍ତରୀୟ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା): ଗତ ତିନିବର୍ଷ ଧରି ବାଲେଶ୍ୱରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି ପ୍ରତି ସରକାର କର୍ଣ୍ଣପାତ କରୁନଥିବାରୁ ଚଳିତ ମାର୍ଚ୍ଚ ମାସ ୧୫ ତାରିଖ ଦିନ ‘ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ସମିତି’ର ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀରେ ସମସ୍ତ ବ୍ଲକ୍ ଓ ଓ ପଞ୍ଚାୟତସ୍ତରର ପ୍ରତିନିଧି ଯୋଗଦେଇ ଆଗାମୀ ଦିନରେ ଚରମ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ସମ୍ମିଳନୀ ପ୍ରସ୍ତୁତି କମିଟି ବୈଠକରେ ଆହ୍ୱାନ ଦିଆଯାଇଛି। ରବିବାର ଦିନ ଅପରାହ୍ନରେ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମିତିର ସଭାପତି ଡ. କେଶବ ଚରଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ସାଧାରଣ ସଂପାଦକ ଅଭୟ କୁମାର ମିଶ୍ର ଆଗାମୀ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ଷ୍ଟେସନ କ୍ଲବ୍‌ରେ ଅନୁଷ୍ଠିତ ହେବ ବୋଲି ଜଣାଇଥିଲେ। ନିରଞ୍ଜନ ପରିଡ଼ା ଓ ଗିରୀଶ ଚନ୍ଦ୍ର ଦାଶ କହିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଉପରେ ଗୁରୁତ୍ୱ ଦେଉଥିବାବେଳେ ଉତ୍ତର ଓଡ଼ିଶାର କୃଷି ଓ କୃଷକର ହିତ ଦୃଷ୍ଟିରୁ କୃଷି ସଂପର୍କିତ ଏକ ବୈଷୟିକ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦାବି ପ୍ରତି ଗୁରୁତ୍ୱ ନ ଦେବା ଘଟଣା ଜିଲ୍ଲାବାସୀଙ୍କୁ ବିସ୍ମିତ କରିଛି। ଏହି ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ବ୍ଲକ୍ କମିଟି ପକ୍ଷରୁ ଦିଲ୍ଲୀପ ଗିରି, ମହେଶ୍ୱର ପଣ୍ଡା, ଗୋବିନ୍ଦ ଚନ୍ଦ୍ର ଭୋଇ, ଅଜିତ୍ କୁମାର ମହାନ୍ତିଙ୍କ ସମେତ ରମେଶ ଚନ୍ଦ୍ର ଜେନା, ଭୂପତି କୁମାର ପାତ୍ର, ଭାସ୍କର ଚନ୍ଦ୍ର ପାଢ଼ୀ, ହରନାରାୟଣ ମଢ଼ୁଆଳ, ପ୍ରଫୁଲ୍ଲ ଦାସ, ଅକ୍ଷୟ କୁମାର ତ୍ରିପାଠୀ, ଶ୍ୟାମାଚରଣ ଦାସ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ଆସନ୍ତା ସମ୍ମିଳନୀରେ ବାଲେଶ୍ୱର ସାଂସଦ ଓ ସମସ୍ତ ବିଧାୟକ, ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚଙ୍କ ସମେତ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, କୃଷକ ସଂଗଠନମାନଙ୍କୁ ଯୋଗଦେବାପାଇଁ ନିମନ୍ତ୍ରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସରସ୍ୱତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ