ଜିଲ୍ଲାସ୍ତରୀୟ କୋଟିଏ ହସ-ବାର୍ଷିକ ଶିଶୁ ମହୋତ୍ସବ
ବାଲେଶ୍ଵର (ଓ୍ବାଇଏନଏସ): ଶିଶୁ ଦିବସ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ସହଯୋଗରେ ଜିଲ୍ଲାସ୍ତରୀୟ “କୋଟିଏ ହସ-ବାର୍ଷିକ ଶିଶୁ ମହୋତ୍ସବ ୨୦୨୬” ଆଜି ମ୍ୟୁନିସିପାଲିଟି ପ୍ରକଳ୍ପ ଅଧିନସ୍ଥ ପଟାପୋଲ ଅଙ୍ଗନବାଡ଼ି କେନ୍ଦ୍ରର ସଭାଗୃହରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ସଂଯୋଜକ (ମମତା) ବାମଦେବ ପାଣିଗ୍ରାହୀ ମଞ୍ଚ ସଞ୍ଚାଳନ କରିବା ସହିତ ମହୋତ୍ସବର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତି ଯୋଗଦାନ କରି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ ପୂର୍ବକ ଶିଶୁମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ସବିତା ସାହୁ, ଅଧ୍ୟକ୍ଷା ମ୍ୟୁନିସିପାଲିଟି, ଏସ୍ କେ ନାଉସାଦ୍ ଅଲ୍ଲୀ, ୱାର୍ଡ କାଉସିଲର, ପ୍ରୋଟେକ୍ସନ ଅଫିସର ଶ୍ରୀମତୀ ଯୁଥିକାରାଣୀ ରାୟ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଗିରିବାଲା ମହନ୍ତ, ପ୍ରମୁଖ ଯୋଗ ଦେଇ କହିଥିଲେ ଶିଶୁମାନେ ହେଉଛନ୍ତି ଆମ ଦେଶର ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତ। ପ୍ରତ୍ୟେକ ଶିଶୁ ମୁହଁରେ ହସ ଫୁଟାଇବା ଆମ ସମସ୍ତଙ୍କର ଉତ୍ତମ ଦାୟିତ୍ଵ ଓ କର୍ତ୍ତବ୍ୟ। ସୁସ୍ଥ ପୋଷଣ, ଉତ୍ତମ ଶିକ୍ଷା ଏବଂ ସୁରକ୍ଷିତ ପରିବେଶ ମିଳିଲେ ହିଁ ଶିଶୁମାନଙ୍କର ମାନସିକ ଓ ଶାରିରୀକ ହେବା ସହିତ ସେମାନେ ଆଗକୁ ବଢ଼ି ପାରିବେ। କୋଟିଏ ହସ କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବାରେ ସହାୟକ ହେବ। ଏହି ଅବସରରେ ଶିଶୁମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ସହିତ ପୋଷଣ ପ୍ରଦର୍ଶନୀ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଶିଶୁ ଅଧିକାର ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ପ୍ରକଳ୍ପ ସୁପରଭାଇଜର, ପ୍ରକଳ୍ପ କର୍ମଚାରୀ, ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମକର୍ତ୍ତାଗଣ, ମହିଳା ସଶକ୍ତିକରଣ କାର୍ଯ୍ୟଳୟର କର୍ମକର୍ତ୍ତାଗଣ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ବିଭିନ୍ନ ଅଙ୍ଗନବାଡ଼ିର ଶିଶୁଗଣ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ କିଶୋରୀ ବାଳିକାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ଭାରପ୍ରାପ୍ତ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ମଧୁସ୍ମିତା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ।


