ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ-2025 ତାଲିମ ଶିବିର
ଛତ୍ରପୁର (ଓ୍ବାଇଏନଏସ): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ-2025 ସମ୍ପର୍କିତ ତାଲିମ ଶିବିର ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପ୍ରକଳ୍ପ ସଂଯୋଜକ ଦେବବ୍ରତ ମାହୁନ୍ତ ସମସ୍ତଙ୍କୁ ସ୍ବାଗତ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପୋଷଣ ମାସ ପାଳନ କରାଯାଉଥିବା ପ୍ରକାଶ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ ଲକ୍ଷ୍ମୀ ବେହେରା ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଶ୍ରୀମତୀ ବେହେରା କହିଥିଲେଯେ, ପୁଷ୍ଟି, ସ୍ବାସ୍ଥ୍ୟ ଓ ଶିକ୍ଷା ଅଙ୍ଗାଙ୍ଗୀ ଭାବେ ଜଡିତ । ଶିଶୁ ଜନ୍ମ ପରେ ମା କ୍ଷୀର ହେଉଛି ତାର ପୋଷଣ । ଶିଶୁଟି ସୁସ୍ଥ ପୋଷଣରେ ସୁସ୍ଥ ଶରୀର ଓ ସୁସ୍ଥ ଶିକ୍ଷା ପାଇ ପାରିବ । ଖାଦ୍ୟରେ ଚିନି, ଲୁଣ ଓ ତେଲର ବ୍ୟବହାର କମ୍ କଲେ ମେଦ ବହୁଳତାରୁ ରକ୍ଷା ପାଇପାରିବା । ନବ ଜାତ ଶିଶୁର ଉତ୍ତମ ପୋଷଣ ଉପରେ ଗୁରୁତ୍ବ ଦେଲେ ଶିଶୁଟି ଉତ୍ତମ ପୁଷ୍ଟି ପାଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ଯୋଗ ଦେଇ କହିଥିଲେଯେ, ପୁଷ୍ଟିସାର ଅଭାବ ହେଲେ ଶିଶୁମାନଙ୍କର ଶାରିରୀକ ଓ ବୌଦ୍ଧିକ ବିକାଶ ହେବ ନାହିଁ । ଏଣୁ ରାଜ୍ୟ ସରକାର ପୋଷଣ ମାସ ପାଳନ କରି ସଚେତନତା ସୃଷ୍ଟି କରୁଛନ୍ତି । ମାଆ ମାନେ ଗର୍ଭବତୀ ସମୟରେ ସଚେତନ ହେବା ଉଚିତ୍ । ଖାଇବା ଥାଳି ରେ ମିଲେଟ୍ ବ୍ୟବହାର କରିବା ଉଚିତ୍ । ସୁସ୍ଥ ଶିଶୁ ହେଉଛନ୍ତି ଭବିଷ୍ୟତର ନାଗରିକ । ପୋଷଣ ଉପରେ ସଚେତନତା ସୃଷ୍ଟି ପାଇଁ ସେପ୍ଟେମ୍ବର 17 ତାରିଖରୁ ଅକ୍ଟୋବର 16 ତାରିଖ ପର୍ଯ୍ୟନ୍ତ ପାଷଣ ମାସ ପାଳନ କରାଯାଉଛି । ମିଲେ୍ଟ ମିଶନ୍ କାର୍ଯ୍ୟକ୍ରମ ଜରିଆରେ ମାଣ୍ଡିଆର ବ୍ୟବହାରକୁ ବ୍ୟାପକ କରିବା ଉଚିତ୍, ମାଣ୍ଡିଆରେ ପ୍ରଚୁର ପରିମାଣରେ ଲୌହସାର ରହିଛି । ଗଞ୍ଜାମ ଜିଲ୍ଲାରୁ ହିଁ ମିଲେଟ୍ ମିଶନ୍ ର ଆରମ୍ଭ ହୋଇଥିବା କଥା କହି ଅଙ୍ଗନଓ୍ବାଡି କର୍ମୀ ମାନେ କୋଭିଡ୍ ସମୟରେ କରିଥିବା ସାହାସିକ କାର୍ଯ୍ୟକୁ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା ଭୂୟସୀ ପ୍ରଶଂସା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଅଧ୍ୟକ୍ଷତା କରି କହିଥିଲେ ଯେ, 2021 ମସିହାରୁ ପୋଷଣ ଅଭିଯାନ ଚାଲୁ କରାଯାଇଛି । ଶିଶୁଙ୍କୁ ଉପଯୁକ୍ତ ପୋଷଣ ଓ ଶିକ୍ଷା ପ୍ରଦାନ କରିବା ଦ୍ବାରା ଉତ୍ତମ ନାଗରିକ ହୋଇପାରିବେ । ଗର୍ଭବତୀ ଥିବା ସମୟରେ ମାଆ ମାନଙ୍କୁ ଏଥିପ୍ରତି ସଚେତନ କରିବା ସହ ଶିଶୁକୁ ତୃଣମୂଳ ସ୍ତରରେ ସଶକ୍ତିକରଣ କରାଯିବା ଉଚିତ୍ । ସୁସ୍ଥ ସମାଜ ଗଠନ ନିମନ୍ତେ ପୋଷଣ କାର୍ଯ୍ୟକ୍ରମ ଉପରେ ସମସ୍ତେ ସଚେତନ ହେବା ଉଚିତ୍ । ଶିଶୁଟିଏ ଜନ୍ମ ହେଲେ ଅଙ୍ଗନଓ୍ବାଡି କର୍ମୀ ତାଙ୍କ ବାପା ମାଆଙ୍କୁ ପାଞ୍ଚଟି ଚାରା ଗଛ ଲଗାଇବା ପାଇଁ ଦିଆଯାଉଥିବା ଶ୍ରୀ ପୃଷ୍ଟି ପ୍ରକାଶ କରିଥିଲେ । ମା କେ ନାମ୍ ପର ଏକ ପେଡ୍ କାର୍ଯ୍ୟକ୍ରମରେ ଏକ ଲକ୍ଷ ପଞ୍ଚସ୍ତରୀ ହଜାର ଚାରା ବଣ୍ଟନ କରାଯାଇଥିବା କହିଥିଲେ । ଜିଲ୍ଲା କୃଷି ଅଧିକାରୀ ଡ. ଅଜୟ କୁମାର କର ମାଣ୍ଡିଆ ଚାଷ ଓ ଏଥିରୁ କିପରି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଇ ପାରିବ ତାହା ବୁଝାଇ ଥିଲେ । ପ୍ରଚୁର ଫଳମୂଳ ଓ ପନିପରିବା ପାଇଁ ବଜାର ଉପରେ ନିର୍ଭର ନକରି ନିଜ ବଗିଚାରେ ଜୈବିକ ସାର ପ୍ରୟୋଗ କରି ଉତ୍ପାଦନ ବୃଦ୍ଧି କରିବାକୁ କହିଥିଲେ । ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଏ. ଜେନା କହିଥିଲେ ଯେ, ଜଳବାୟୁର ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ ଯୋଗୁଁ ଖାଦ୍ୟ ବିଷାକ୍ତ ହେବାରେ ଲାଗିଛି । ଲେମ୍ବ, ସଜନାଶାଗ, ଛୁଇଁ , ଅମୃତ ଭଣ୍ଡା, କଞ୍ଚାକଦଳୀ ଆଦିରୁ ମଧ୍ୟ ପୋଷଣ ପାଇ ପାରିବା । ଜିଲ୍ଲାର ଅଙ୍ଗନଓ୍ବାଡି କେନ୍ଦ୍ରକୁ 5 ଟି ଲେଖାଏଁ ଚାରା ଗଛ ଯୋଗାଇ ଦେବେ ଓ ଏଗୁଡିକରେ ରାସାୟନିକ ସାର ବଦଳରେ ଜୈବିକ ଖତ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ. ପ୍ରଶାନ୍ତ କୁମାର ପାତ୍ର ଯୋଗଦେଇ କହିଥିଲେ ଯେ, ବିକଶିତ ଓ ସଶକ୍ତ ଭାରତ ଗଠନରେ ପୋଷଣର ଭୂମିକା ଗୁରୁତ୍ବପୂର୍ଣ୍ଣ । ସ୍ବାସ୍ଥ୍ୟ, ଶିକ୍ଷା ଓ ପୋଷଣ ପରସ୍ପର ପରିପୂରକ । ଶରୀର ଦରକାର କରୁଥିବା ଉପଯୁକ୍ତ ଉପାଦାନ ଖାଦ୍ୟରୁ ପାଇ ପାରିଲେ କୁପୋଷଣ ହେବନାହିଁ । ଜଙ୍କ ଫୁଡ୍କୁ ସମସ୍ତେ ପ୍ରତିହତ କରିବା ଉଚିତ୍ । କୁ ପୋଷଣ ଏକ ସାମାଜିକ ସମସ୍ୟା ଭାବେ ଦେଖାଯାଇଛି । ଛୁଆ ମାନଙ୍କୁ ଖୁଆଇବା ସମୟରେ ମୋବାଇଲ୍ ଠାରୁ ଦୂରେଇ ରଖିବା ଉଚିତ୍ । ଗର୍ଭବତୀ ମହିଳା ନିଜର ଉପଯୁକ୍ତ ଯତ୍ନ ନେଲେ ପୋଷଣର ଅଭାବ ହେବନାହିଁ । ଆନିମିଆ, ତରଳ ଝାଡାର ଉପଚାର, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିଥିଲେ । ପୋଷଣ କାର୍ଯ୍ୟକ୍ରମକୁ ଆଗେଇ ନେଇଥିବାରୁ ସାନଖେମୁଣ୍ଡି ସିଡିପିଓ ଭବାନୀ ବେହେରା, ବ୍ଲକ୍ କୋ ଅର୍ଡିନେଟର୍ ଶିବ ଶଙ୍କର ଆଚାର୍ଯ୍ୟ, ଦୀପୁ ପ୍ରଧାନ ବେଗୁନିଆପଡା ବ୍ଲକ୍, ମାନସ ରଞ୍ଜନ ଦାଶ ବେଲଗୁଣ୍ଠା ବ୍ଲକ୍, ସୁନୀତା ଜେନା ଜଗନ୍ନାଥ ପ୍ରସାଦ ବ୍ଲକ୍, ଗୋପାଳ କୃଷ୍ଣ ପଟ୍ଟନାୟକ ଛତ୍ରପୁର ବ୍ଲକ୍, ବ୍ରହ୍ମପୁର ଲେଡି ସୁପରଭାଇଜର୍ ସବିତା ଜେନା ଓ ଆସ୍କା ଲେଡି ସୁପରଭାଇଜର୍ କୁମାରୀ ଦୀପ୍ତିଙ୍କୁ ପ୍ରମାଣ ପତ୍ର, ଉପଢୌକନ ସହ ସମ୍ମାନୀତ କରାଯାଇଥିଲା । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସମସ୍ତ ସିଡିପିଓ, ମହିଳା ସୁପରଭାଇଜର୍, ଅଙ୍ଗନଓ୍ବାଡି କର୍ମୀ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗର କର୍ମକର୍ତ୍ତାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।