ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର
ବାଲେଶ୍ଵର, (ସରୋଜ ପଣ୍ଡା): ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଉଦ୍ୟମରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ (ସାଧାରଣ) ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ତାଲିମ ଶିବିରର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶିକା ଡା. ମଧୁସ୍ମିତା ସାମନ୍ତରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ପୂର୍ଣ୍ଣିମା ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗୋହିରାଙ୍କ ସମେତ ଅନ୍ୟ ଅଧିକାରୀ ମାନେ ମଧ୍ୟ ମଞ୍ଚାସୀନ ହୋଇ କିଶୋରୀ ବାଳିକା ମାନଙ୍କର ଉଜ୍ଜ୍ୱଳ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ବିଭିନ୍ନ ପ୍ରକାରର ଦକ୍ଷତା ବିକାଶର ଆବଶ୍ୟକତା ରହିଛି ବୋଲି ଦର୍ଶାଇଥିଲେ। ଭଲ ସୂଚନା ଗୁଡ଼ିକ ନିଜେ ଜାଣିବା ସହିତ ଅନ୍ୟ ମାନଙ୍କୁ ଜଣାଇବା ଆବଶ୍ୟକ। ଚାକିରି ପଛରେ ନ ଧାଇଁ ଲୋକ ମାନଙ୍କୁ ଚାକିରି ଦେବା ପାଇଁ ଅତିଥିମାନେ କିଶୋରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମରେ ୧୦ ରୁ ୧୯ ବର୍ଷ ବୟସର କିଶୋରୀମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ଏହି ତାଲିମ ଶିବିରରେ ୪୦ ରୁ ଉର୍ଦ୍ଧ୍ବ କିଶୋରୀ ମାନେ ଭାଗ ନେଇଥିଲେ । ଏଠାରେ ମୌଳିକ କମ୍ପ୍ୟୁଟର ଶିକ୍ଷା, ଇଣ୍ଟରନେଟ୍ ବ୍ୟବହାର, ଇମେଲ୍ ସେଟଅପ୍, ସୁରକ୍ଷିତ ଡିଜିଟାଲ୍ ଅଭ୍ୟାସ, ପ୍ରଭାବଶାଳୀ ଯୋଗାଯୋଗ ଦକ୍ଷତା, ଉପସ୍ଥାପନା ଦକ୍ଷତା, ଆନ୍ତଃବ୍ୟକ୍ତିଗତ ଦକ୍ଷତା, ଦଳଗତ କାର୍ଯ୍ୟ ଏବଂ ବୃତ୍ତିଗତ ଶିଷ୍ଟାଚାର, ବୃତ୍ତିଗତ ଦକ୍ଷତା, ଉନ୍ନତ କୌଶଳ ସହିତ ବ୍ୟବହାରିକ ତାଲିମ, ଏକ ଛୋଟ ପ୍ରକଳ୍ପର ପ୍ରସ୍ତୁତି ଇତ୍ୟାଦି ଦକ୍ଷତା ଉପରେ କିଶୋରୀମାନଙ୍କୁ ତାଲିମ ଦିଆଯାଇଥିଲା। ଏହି ଅବସରରେ ତାଲିମ ପ୍ରଦାନ କରିବା ପାଇଁ ଆସିଥିବା ଅଧିକାରୀ ମାନେ ହେଲେ, ସରକାରୀ ଆଇ ଟି ଆଇ କଲେଜର ଆଇ ଟି ମୁଖ୍ୟ, କଲେଜର ଇଂରାଜୀ ଅଧ୍ୟାପକ, ନିଯୁକ୍ତି କାର୍ଯ୍ୟାଳୟର ପ୍ରଶିକ୍ଷକ ଏବଂ ଲିଡ୍ ବ୍ୟାଙ୍କ୍ ର ମୁଖ୍ୟ ଉପସ୍ଥିତ ରହି କିଶୋରୀ ବାଳିକାମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ ଦକ୍ଷତା ବିକାଶ କରିବା ଏବଂ ଆଗାମୀ ଦିନରେ କିପରି ଆର୍ଥିକ ସ୍ଥିରତା ବଜାୟ ରହିବ, ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। କିଶୋରୀ ବାଳିକାମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧିକ ସାରସ୍ୱତ କରିବା ପାଇଁ ଜିଲ୍ଲାର ସମସ୍ତ ଶିଶୁ ପ୍ରକଳ୍ପ ଅଧିକାରୀ, କିଶୋରୀ ବାଳିକା, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଓ ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟଳୟର ସମସ୍ତ କର୍ମକର୍ତ୍ତା ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ପ୍ରୋଟେକସନ୍ ଅଧିକାରୀ ଶ୍ରୀମତୀ ଯୁଥିକାରାଣୀ ରାୟ ଉପସ୍ଥିତ ଅତିଥିବୃନ୍ଦ, ସମ୍ବଳ ବ୍ୟକ୍ତିତ୍ୱ, ସହଯୋଗୀ କର୍ମକର୍ତ୍ତା, ଶିଶୁ ପ୍ରକଳ୍ପ ଅଧିକାରୀ ସମେତ ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।


