ସୁନାମି ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର

ଛତ୍ରପୁର ତା. ୨୦.୦୯.୨୦୨୫ ଗଞ୍ଜାମ ଜିଲ୍ଲା ସୁନାମି ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଶନିବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଡେପୁଟି କଲେକ୍ଟର ଅଭିଷେକ ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା । ଏହା ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ଓ ସୁନାମୀ ପ୍ରବଣ ଜିଲ୍ଲା ଭାବେ ପରିଚିତ । ଗଞ୍ଜାମ ଜିଲ୍ଲାର ଚାରି ଗୋଟି ବ୍ଲକ୍ ର ୪୨ ଟି ଗ୍ରାମ ଓ ଦୁଇ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦର 23 ଗୋଟି ଓ୍ବାର୍ଡ ସୁନାମି ପ୍ରବଣ ଅଟେ । ସୁନାମୀ ମୁକାବିଲା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି । ୨୦୨୦  ମସିହାରେ ଜିଲ୍ଲାର ଭେଙ୍କଟ ରାୟପୁର ଗ୍ରାମ ଏବଂ ୨୦୨୪  ମସିହାରେ ପ୍ରୟାଗୀ, କଣ୍ଟିଆଗଡ,ଉପୁଲାପୁଟି ଓ ମାର୍କଣ୍ଡି ଗ୍ରାମକୁ ସୁନାମୀ ରେଡି ଗ୍ରାମ ଭାବେ ମାନ୍ୟତା ମିଳିଥିବା କହିଥିଲେ  । ବନ୍ୟା, ବାତ୍ୟା, ସୁନାମୀ ପ୍ରାକୃତିକ ଦୁର୍ବିପାକ ଭଳି ସର୍ପାଘାତ ଓ ବଜ୍ରାଘାତରୁ ମଧ୍ୟ ରକ୍ଷା ପାଇବା ପାଇଁ ସଚେତନତା ଜରୁରୀ ହୋଇ ପଡିଥିବା କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ହେଲେ ପ୍ରାକ୍ ସତର୍କତା ଓ ସଚେତନତା ନିହାତି ଜରୁରୀ । ସୁନାମି ଆସିବାର ଦୁଇ ଘଣ୍ଟା ପୂର୍ବରୁ ଜଣାପଡିଥାଏ । ଏଣୁ ସ୍ଥାନୀୟ ଗୋଷ୍ଠୀ (କମ୍ୟୁନିଟି) ର ଭୂମିକା ଗୁରୁତ୍ବପୂର୍ଣ୍ଣ । ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେଯେ, ଜିଲ୍ଲାର ରଙ୍ଗେଇଲୁଣ୍ଡା, ଗଞ୍ଜାମ, ଛତ୍ରପୁର ଓ ଚିକିଟି ଏହି ଚାରିଗୋଟି ବ୍ଲକ୍ ସୁନାମି ପ୍ରବଣ ଅଟେ । ଜିଲ୍ଲାର ସମସ୍ତ ବିଭାଗର ସମନ୍ବୟରେ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରିବା । ବିପର୍ଯ୍ୟୟ ସମୟରେ ପଛଘୁଞ୍ଚା ନ ଦେଇ ନିଜନିଜ କର୍ତ୍ତବ୍ୟରେ ଲାଗିପଡିଲେ ଆମେ ଏହାର ସହଜରେ ମୁକାବିଲା କରିପାରିବା ।  ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ସୁନାମି ସମୟରେ କିପରି ସତର୍କତା ଅବଲମ୍ବନ କରାଯାଇପାରିବ ସେ ସମ୍ପର୍କରେ ସବିଶେଷ ବୁଝାଇ ଥିଲେ । ସୁନାମିର ଉତ୍ପତ୍ତି, କାରଣ ଓ ଲକ୍ଷଣ ବିଷୟରେ ବିସ୍ତୃତଭାବେ ଆଲୋଚନା କରିଥିଲେ । ମତ୍ସ୍ୟଜୀବୀମାନେ ମାଛମାରିବାକୁ ସମୁଦ୍ରକୁ ଯାଇଥିଲେ ସୁନାମି ସମୟରେ ସେମାନେ କୂଳ ଆଡକୁ ନଆସି ସମୁଦ୍ର ଭିତରକୁ ପଳାଇଯିବା ଉଚିତ୍ । କାରଣ କୂଳ ଆଡକୁ ଉଚ୍ଚ ଲହରି ମାନ ଆସିଥାଏ । ସୁନାମି ସମୟରେ ସମୁଦ୍ରର ଢେଉ ସ୍ଥଳ ଭାଗ ଆଡକୁ ୮୦୦ ରୁ ୯୦୦ କିଲୋମିଟର ବେଗରେ 30 ରୁ 40ମିଟର ଉଚ୍ଚତାରେ ମାଡିଆସେ । ସୁନାମି ସମୟରେ ସମୁଦ୍ର କୂଳରୁ ବିପରିତ ଦିଗରେ ଦୁଇ ତିନି କିଲୋମିଟର ଦୂରରେ ଥିବା ଉଚ୍ଚ ସ୍ଥାନକୁ ପଲେଇଗଲେ ଜୀବନ ରକ୍ଷା କରିପାରିବା । ସୁନାମୀ ପରେପରେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ଲୋକମାନେ ନିଜନିଜ ଘରକୁ ଫେରିଲା ବେଳେ ଘରକୁ ତନ୍ନତନ୍ନ କରି ଦେଖିବା ସହ ବୈଦ୍ୟୁତିକ ଉପକରଣ ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଥିଲା ।  ନଭେମ୍ବର ୫  ତାରିଖକୁ ବିଶ୍ବ ସୁନାମୀ ଦିବସ ଭାବେ ପାଳନ କରାଯାଉଛି । ସମସ୍ତ ବିଭାଗ ନିଜନିଜ ଦାୟିତ୍ବ ସୂଚାରୁ ରୂପେ ନିର୍ବାହ କରିପାରିଲେ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସହଜରେ ମୁକାବିଲା କରିପାରିବା । ସୁନାମି ମୁକାବିଲା ନିମନ୍ତେ ଗୋଷ୍ଠୀ ସମୁଦାୟର ଭୁମିକା ଗୁରୁତ୍ବପୂର୍ଣ୍ଣ । ଓଡିଶାର ୨୬ ଗୋଟି ଗ୍ରାମକୁ ସୁନାମିରେଡି ଗ୍ରାମ ଭାବେ ମାନ୍ୟତା ମିଳିସାରିଛି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସପ୍ତାହରେ ଥରେ ସୁନାମି ସଚେତନମତା ଉପରେ କ୍ଲାସ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମହିଳା ଓ ଶିଶୁ ବିଭାଗର ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଏହି ବର୍ଷ ଶେଷ ସୁଦ୍ଧା ଆହୁରି 15 ଗୋଟି ଗ୍ରାମ ଯଥା- ଗଞ୍ଜାମ ବ୍ଲକର ପାଳିବନ୍ଧ ଲକ୍ଷ୍ମୀପୁର,  କଲରାବାଡି, ମୟୁରପଦା,ରଙ୍ଗେଇଲୁଣ୍ଡା ବ୍ଲକର ଲଉଡିଗାଁ, କିର୍ତ୍ତିପୁର, ନୂଆ ଗୋଳାବନ୍ଧ, ହାତୀପାଦ,  1008 ଓଡିଆରପି, ଚିକିଟି ବ୍ଲକ୍ ର ଏକସିଙ୍ଗି, ଅଲଡିପୁର, ରାମେୟାପାଟଣା , ଛତ୍ରପୁର ବ୍ଲକ୍ ର ଅଗସ୍ତିନୂଆଗାଁ, ନୋଳିଆ ନୂଆଗାଁ କେ ଆର୍ଯ୍ୟପଲ୍ଲୀକୁ ସୁନାମି ରେଡି ଗ୍ରାମ ଭାବେ ଘୋଷଣା କରାଯିବାପାଇଁ ସ୍ଥିର କରାଯ।ଇଛି । ପଥପ୍ରାନ୍ତ ନାଟକ, କାନ୍ଥରେ ସୂଚନା ଲିପିବଦ୍ଧ କରି, ପ୍ରଚାର ପତ୍ର ମାଧ୍ୟମରେ ସୁନାମି ସଚେତନତା କରାଯାଇପାରିବ । ସୁନାମି ମକ୍ ଏକସରସାଇଜ୍ ଅକ୍ଟୋବର ମାସରେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସପ୍ତାହରେ କରାଯିବା ପାଇଁ ସ୍ଥିର କରାଗଲା ।  ବୈଠକରେ ସମସ୍ତ ବ୍ଲକ୍ ନୋଡାଲ ଅଧିକାରୀ, ବ୍ଲକ୍ ପ୍ରୋଜେକ୍ଟ କୋ ଅର୍ଡିନେଟର, ଶିକ୍ଷକଶିକ୍ଷୟିତ୍ରୀ, ଅଗ୍ନିଶମ ସେବା ବିଭାଗ, ସ୍ବାସ୍ଥ୍ୟ ବିଭାଗ, ମତ୍ସ୍ୟ ବିଭାଗ, ଓଡ୍ରାଫ୍ ଟିମ୍, ସ୍ବେଚ୍ଛାସେବା ଅନୁଷ୍ଠାନ ଓ ଅନ୍ୟାନ୍ଯ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ