ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲର ୧୩ ତମ ବାର୍ଷିକୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଏନ୍ . ରାଜକିଶୋର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ର ମାନଙ୍କୁ ପାଠପଢ଼ା ଭିତରେ ଆବଦ୍ଧ ନ କରି ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁଁ ଉପସ୍ଥିତ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଦିଗପହଣ୍ଡି ସହରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ସହର ରୂପେ ଗଢ଼ିବା ପାଇଁ ସେ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ । ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , ଦିଗପହଣ୍ଡି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନୀଲ କୁମାର ଦାସ , ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ବନାଥ ପାତ୍ର , ସମ୍ପାଦକ ଶୁଭଶ୍ରୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ସ୍କୁଲ ଉପାଧ୍ୟକ୍ଷା ସୁଷମା ଗୌଡ଼ ଏବଂ ଶିକ୍ଷକ ରାକେଶ ନାୟକ ସଭାରେ ମିଳିତ ସଂଯୋଜନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ବୃନ୍ଦ ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ । ପରିଶେଷରେ ସ୍କୁଲ ଛାତ୍ରୀଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସ୍କୁଲ ର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


