ଆଗକୁ ଆଲୋକର ପର୍ବ ଦୀପାବଳୀ: ଆସିକାରେ କାଉଁରିଆ କାଠିର ଘୋର ଅଭାବ
ଆସିକା (ୱାଇଏନ୍ଏସ୍) :ଆଲୋକର ପର୍ବ ଦୀପାବଳୀ ଆସିଲେ ଖୋଜି ପଡିଥାଏ କାଉଁରିଆ କାଠି । ଦୀପାବଳୀ ହିନ୍ଦୁ ସଂପ୍ରଦାୟର ଅନ୍ୟତମ ତଥା ଅନନ୍ୟ ମହାନ୍ ପର୍ବ ରୂପେ କେଉଁ ଆବାହମାନ କାଳରୁ ପରିଚିତ ହୋଇଆସିଛି । ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ଆଲୋକର ପର୍ବ ଦୀପାବଳୀ ଦିନ ହିନ୍ଦୁ ସଂପ୍ରଦାୟର ଶ୍ରଦ୍ଧାଳୁମାନେ କାଉଁରିଆ କାଠି ଜାଳି ପିତୃପୁରୁଷ ଓ ପୂର୍ବଜଙ୍କୁ ଆବାହନ କରିଥାନ୍ତି ଓ ଯଦ୍ୱାରାକି ପୂର୍ବ ପୁରୁଷମାନେ ପରିବାର ସଦସ୍ୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ତେବେ ଆଲୋକର ପର୍ବ ଦୀପାବଳୀ ପାଳନକୁ ଆଉମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କାଉଁରିଆ କାଠିର ଘୋର ଅଭାବ ପରିଲକ୍ଷିତ ହୋଇଥିବା ଯୋଗୁଁ ଶ୍ରଦ୍ଧାଳୁମାନେ କିପରି ବଡ ବଡୁଆ ଓ ପୂର୍ବଜଙ୍କୁ କାଉଁରିିଆ କାଠି ଜାଳି ଡାକିବେ ସେ ନେଇ ଚିନ୍ତିତ ହୋଇପଡିଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲାର କେତେକ ଅଞ୍ଚଳରୁ ବହୁ ବ୍ୟବସାୟୀ ଶ୍ରଦ୍ଧାଳୁ ଭକ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାଉଁରିଆ କାଠି ଆଣି ବିକ୍ରୀ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡୁଆଙ୍କୁ ଡାକ ହେଉ କିମ୍ବା ସୁରକ୍ଷିତ ଦୂରତ୍ୱରେ ରହି ବାଣ ଫୁଟାଇବା ହେଉ ଉଭୟ କାମରେ ପ୍ରାୟତଃ ଲାଗିଥାଏ କାଉଁରିଆ କାଠି । କିନ୍ତୁ ବର୍ଷକର ଥରେ ଏହି କାଉଁରିଆ କାଠିର ବିଶେଷ ଭାବେ ଆବଶ୍ୟକତା ପଡିଥାଏ । ଆଲୋକର ପର୍ବ ଦୀପାବଳୀରେ କେବଳ ବିଧି ରକ୍ଷା ପାଇଁ ବହୁ ଶ୍ରଦ୍ଧାଳୁ କାଉଁରିଆ କାଠିକୁ ଖୋଜିଥାନ୍ତି । ପୂର୍ବ ପୁରୁଷ ତଥା ପିତୃଲୋକଙ୍କୁ ଶ୍ରାଦ୍ଧ ଦେଇ ଆଲୋକର ପର୍ବ ଦୀପାବଳୀ ଅବସରରେ ସେମାନଙ୍କ ପ୍ରତି ସମ୍ମାନ ଜଣାଇ ବିଧିବିଧାନ ଅନୁଯାୟୀ ହିନ୍ଦୁ ସଂପ୍ରଦାୟର ଶ୍ରଦ୍ଧାଳୁମାନେ କାଉଁରିଆ କାଠି ଜାଳି ବଡବଡିଆଙ୍କୁ ଡାକ ପକାଇଥାନ୍ତି । ଆଲୋକର ପର୍ବ ଦୀପାବଳୀ ପାଳନକୁ ଆଉମାତ୍ର କିଛି ଦିନ ବାକିଥିଲା ବେଳେ ଆସିକା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା କାଉଁରିଆ କାଠି ମିଳିବା କଷ୍ଟକର ହୋଇପଡିଥିବା ଦେଖିବାକୁ ମିଳୁଛି । ଜିଲ୍ଲାର କେତେକ ଅଞ୍ଚଳର ବ୍ୟବସାୟୀମାନେ ସାଇକେଲରେ କାଉଁରିଆ କାଠି ଆଣି ସୁଲଭ ମୂଲ୍ୟରେ ସାହିବସ୍ତିକୁ ବୁଲି ଗ୍ରାହକଙ୍କୁ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି ।


