ଡା.ବନମାଳୀ ସାହୁ ସ୍ମାରକୀ ପ୍ରବନ୍ଧ ପ୍ରତିଯୋଗିତା ପୁରସ୍କାର ପ୍ରଦାନ ସମାରୋହ
ଭୁବନେଶ୍ୱର, (ଓ୍ବାଇଏନଏସ): ରାଜ୍ୟର ବିଶିଷ୍ଟ ଚିକିତ୍ସକ ତଥା କବି ସ୍ୱର୍ଗତ ଡା. ବନମାଳୀ ସାହୁଙ୍କ ସ୍ମୃତିରେ ଆୟୋଜିତ ବାର୍ଷିକ ସ୍ମାରକୀ ପ୍ରବନ୍ଧ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆସେନସିଭ୍ ଏଜୁକେଆର ଲିମିଟେଡ ଓ ଗ୍ଲୋମାକ୍ସ ମ୍ୟାନପାୱାର ସଲ୍ୟୁଏସନ୍ର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା। ଏଥିରେ କୃତୀ ଛାତ୍ରୀମାନଙ୍କୁ ସମ୍ମାନିତ କରାଯିବା ସହ ଜଣାଶୁଣା ଲେଖକ ତଥା ଭାରତର ରାଷ୍ଟ୍ରଦୂତ ଅରୁଣ କୁମାର ସାହୁଙ୍କ ନୂତନ ଦ୍ୱିଭାଷୀ ପୁସ୍ତକ ‘Light Green Eyes’ ଉନ୍ମୋଚିତ ହୋଇଯାଇଛି। ଡା. ବନମାଳୀ ସାହୁଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ଲେଖକ ଅରୁଣ କୁମାର ସାହୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଦିଗରେ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ସ୍ମାରକୀ ପ୍ରବନ୍ଧ ପ୍ରତିଯୋଗିତା କରୁଛନ୍ତି। ଏଥିସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ରାଶି ପ୍ରଦାନ କରୁଛନ୍ତି। ଓଡ଼ିଆ ଭାଷା ସାହିତ୍ୟକୁ ଅଧିକ ପ୍ରଚାରପ୍ରସାର କରିବା ପାଇଁ ଶ୍ରୀ ସାହୁ ଏଭଳି ସୁନ୍ଦର ପଦକ୍ଷେପ ଗ୍ରହଣ କରିଛନ୍ତି। ଡା. ବନମାଳୀ ସାହୁ (୦୧.୦୩.୧୯୪୨ -୦୬.୦୪.୨୦୨୪) ରାଜ୍ୟର ଜଣେ ପ୍ରତିଷ୍ଠିତ ଚିକିତ୍ସକ ଓ କବି ଥିଲେ। ସେ ସୁଦୂର ଦେବଗଡ଼ ଜିଲ୍ଲାର ବନ୍ୟ କ୍ଷେତ୍ରରେ ବସବାସ କରୁଥିବା ବଞ୍ଚିତ ସମୁଦାୟଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ନିଜ ଜୀବନକୁ ସମର୍ପିତ କରିଥିଲେ। ସେ ଓଡ଼ିଆ ସାହିତ୍ୟ ସହିତ ଅଙ୍ଗାଙ୍ଗି ଭାବେ ଜଡ଼ିତ ରହିଥିଲେ। ବିଶେଷ କରି କବିତା କ୍ଷେତ୍ରରେ ତାଙ୍କର ମହତ୍ବପୂର୍ଣ୍ଣ ଭୂମିକା ରହିଥିଲା। ସେ ତାଙ୍କ ଜୀବନକାଳ ମଧ୍ୟରେ ୨୫ରୁ ଅଧିକ ପ୍ରକାଶିତ ଓ ଅପ୍ରକାଶିତ କୃତୀ ଛାଡ଼ି ଯାଇଛନ୍ତି। ଚଳିତ ବର୍ଷ ପ୍ରଥମ ପୁରସ୍କାର କେନ୍ଦ୍ରାପଡ଼ା ଜିଲ୍ଲାର ହାଟସାହି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜ୍ୟୋସ୍ନାରାଣୀ ନାୟକଙ୍କୁ ୫୦,୦୦୦ ଟଙ୍କା ଓ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ୧୦,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସେହିପରି ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଛନ୍ତି କିସ୍ର ୨ ଜଣ ଛାତ୍ରୀ। ଦ୍ୱିତୀୟ ପୁରସ୍ମାର ବିଜେତା ସନ୍ଧ୍ୟାରାଣୀ ସୋରେନଙ୍କୁ ୪୦, ୦୦୦ ଟଙ୍କା ଓ ତୃତୀୟ ପୁରସ୍କାର ବିଜେତା ଜ୍ୟୋତି ବିରୁଆଙ୍କୁ ୩୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ସେହିପରି କିସ୍ର ଶିକ୍ଷକଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରାଯାଇଛି।
ପରିଶେଷରେ ଲେଖକ ଶ୍ରୀ ସାହୁଙ୍କ ଦ୍ୱିଭାଷିକ ପୁସ୍କକ ‘Light Green Eyes’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଖ୍ୟାତାନାମା ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଜଣାଶୁଣା ସମାଲୋଚକ ଭଗବାନ ଜୟସିଂହ, ପ୍ରଦୀପ ବିଶ୍ୱାଳ, ଇପ୍ସିତା ପାଢ଼ୀ, ମୀନତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅଭିଷେକ ମଞ୍ଚ ପରିଚାଳନା କରିଥିବାବେଳେ ସୌମ୍ୟରଞ୍ଜନ ସାହୁ ସ୍ୱାଗତ ଅଭିଭାଷଣ ରଖିଥିଲେ। ସେହିପରି ସୋନାଲି ପ୍ରିୟଦର୍ଶିନୀ, ପିଣ୍ଟୁ ବଡ଼ଜେନା, ଶୁଭମ ମହାପାତ୍ର, ସୁଜିତ, ମଣ୍ଟୁ, ମାନସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


