ଗାଁ ଗଣ୍ଡା ସହ ସ୍କୁଲ କଲେଜରେ ପଶିଲା ନରହନ୍ତା ଦନ୍ତା, ଲୋକେ ଭୟଭୀତ
ହାଟଡିହି(ଓ୍ବାଇଏନଏସ): ଜଙ୍ଗଲ ଛାଡି ଗାଁ ଗଣ୍ଡାରେ ପଶିଲା ଦନ୍ତା। ଆଜି ସକାଳୁ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ବିଭିନ୍ନ ଗାଁରେ ବୁଲୁଛି ଏହି ଦନ୍ତା। ଏପରିକି ହାଟଡିହି ହାଇସ୍କୁଲ ଭିତରେ ପଶିବା ସହିତ କଲେଜ ଭିତରକୁ ଯାଇ ବୁଲି ଆସିଥିଲା ଏହି ଦନ୍ତା। ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ହାତୀଟି ପ୍ରଥମେ ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ମାରିବା ପରେ ଢେଙ୍କା, ସୋସୋ ଦେଇ ଆସି ହଦଗଡ଼ ହସ୍ତୀ ଅଭୟାରଣ୍ୟ ଭିତରକୁ ପଶିଥିଲା। ମାତ୍ର ଦୁଇଦିନ ପରେ ଅଭୟାରଣ୍ୟ ମଧ୍ୟରୁ ବାହାରି ଆନନ୍ଦପୁର ବ୍ଲକର ବିଭିନ୍ନ ଗାଁ ବୁଲିବା ପରେ ବ୍ରାହ୍ମଣିପାଳ ଜଙ୍ଗଲକୁ ବନ ବିଭାଗ ଘୋଉଡାଇ ଦେଇଥିଲା। ହେଲେ ପୁନର୍ବାର ଗତକାଲି ଠାରୁ ହାତୀଟି ବରାଙ୍ଗ ଜଙ୍ଗଲ ଦେଇ ଘସିପୁରା ବ୍ଲକ ର ବିଭିନ୍ନ ଗାଁ ବୁଲିବା ପରେ ଆଜି ସକାଳୁ ବୈତରଣୀ ନଦୀ ପାରହୋଇ ହାଟଡିହିର ବ୍ଲକ ଆମ୍ବୋ, ଅଣତିରା, ବିରିଡି ଗାଁ ଦେଇ ବଡରମ୍ପାସ ଓ ନୂଆରମ୍ପାସ ଗାଁ ଭିତରେ ପଶିଥିଲା। ଯାହାକୁ ନେଇ ବିଭିନ୍ନ ଗାଁର ଲୋକମାନେ ଆତଙ୍କିତ ହୋଇ ପଡିଥିଲେ। ଗାଁ ଲୋକଙ୍କ ତାଟି କବାଟ ପଡିଯାଇଥିଲା। ବନ ବିଭାଗ କର୍ମଚାରୀ ମାନେ ଗାଁ ଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ କରି ହାତୀଟିକୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଥିଲେ। ପରେ ରମ୍ପାସ କେନାଲ ବାଟେ ସିଧା ଯାଇ ହାଟଡିହିରେ ବାହାରିଥିଲା। ୫୩ନଂ ରାଜ୍ୟ ରାଜପଥରେ ଯାଉଥିବା ବେଳେ ଗାଡି ମୋଟର ସବୁ ବନ୍ଦ ହୋଇଯାଇଥିଲା। ପ୍ରଥମେ ହାଇସ୍କୁଲ ଭିତରେ ବୁଲାବୁଲି କରିବା ପରେ କଲେଜ ଭିତରକୁ ଯାଇଥିଲା। କିନ୍ତୁ ସ୍କୁଲ କଲେଜ ଛୁଟି ଥିବାରୁ କିଛି ଅଘଟଣ ଘଟି ନଥିଲା। କଲେଜରୁ ଅନ୍ୟ ପଟେ ବାହାରିବାର ସୁଯୋଗ ନଥିବାରୁ ପୁନର୍ବାର ଫେରିବାପରେ ଜଙ୍ଗଲ ବିଭାଗ ତାକୁ ଜଙ୍ଗଲ ମୁଁହା କରାଇଥିଲା। ମଠ, କାପୁଣ୍ଡି, ପନ୍ଦାଡୋ ଗାଁ ଦେଇ ଝଣଝଣା ନିକଟରେ ବାହାରିଥିଲା। ଜଙ୍ଗଲ ବିଭାଗର କର୍ମଚାରୀ ମାନେ କଡା ସୁରକ୍ଷା ବଳୟ ଭିତରେ ହଡଗଡ଼ ଜଙ୍ଗଲ ଭିତରକୁ ନେବାପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଜଙ୍ଗଲ କୁ ନଯାଇ ବିଦ୍ୟାଧରପୁର ନିକଟରେ ଥିବା ଜଙ୍ଗଲ ବିଭାଗ ସୂଚନା ଦେଇଛି। ହାତୀଟି ଦୀର୍ଘ ବାଟ ଅତିକ୍ରମ କରିଥିଲେ ମଧ୍ୟ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ଘଟାଇ ନଥିବା ଜଣା ଯାଇଛି।


