କୋର୍ଟ ରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତା ଫଳାଫଳ: ବିଶ୍ଵରଞ୍ଜନ ପ୍ରଥମ ଏବଂ ଶୁଭାଂଶି ଦ୍ଵିତୀୟ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ସହଯୋଗ କ୍ରମେ ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଗତ ୨୩ ତାରିଖରେ ଏକ ଚିତ୍ରାଙ୍କନ ଓ ଭାବମୟ ଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ କେଟେଗୋରି -୧ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ହୋଇଥିବା ଏହି ପ୍ରତିଯୋଗିତାରେ ସାନଖେମୁଣ୍ଡି ବ୍ଲକ ସାତପେଣ୍ଠ ଗୋପାଳପୁର ଗ୍ରାମ ନୋଡାଲ ହାଇସ୍କୁଲ ର ସପ୍ତମଶ୍ରେଣୀ ଛାତ୍ର ବିଶ୍ଵରଞ୍ଜନ ପ୍ରଧାନ ସମଗ୍ର ଗଞ୍ଜାମ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ରୀ ଶୁଭାଂଶି ପ୍ରିୟଦର୍ଶିନୀ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି। ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟିର ଅଧ୍ୟକ୍ଷା ତଥା ସିଭିଲ ସିନିୟର ଡିଭିଜନ କୋର୍ଟ ର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ଏବଂ ଜେଏମଏଫସି କୋର୍ଟ ର ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଦିଗପହଣ୍ଡି ତାଲୁକ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ ଛାତ୍ର ଅଂଶଗ୍ରହଣ କରିଥିଲେ। ଏଥିରେ ଶିଶୁମାନଙ୍କ ଅଧିକାର, ବାଲ୍ୟ ବିବାହ ନିରୋଧ, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ଶିଶୁଙ୍କ ଉପରେ ସାମାଜିକ ଗଣମାଧ୍ୟମର କୁପ୍ରଭାବ ଭଳି ବିଭିନ୍ନ ସାମାଜିକ ସଂସ୍କାର ଭିତ୍ତିକ ଚିତ୍ର ଆଙ୍କିବାକୁ କୁହାଯାଇଥିଲା। ତାଲୁକ ଆଇନ ସହାୟତା କମିଟି ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥଲେ। ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଜିଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନପତ୍ର ସହ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।


