ବର୍ଷା ଦିନେ ଦୁଇ ଦିନକୁ ଥରେ ଦିଆ ଯାଉଛି ପିଇବା ପାଣି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମାରେ ବର୍ଷା ଦିନରେ ମଧ୍ୟ ପାନୀୟଜଳ ସମସ୍ୟା ଦେଖା ଦେଇଛି. ବର୍ଷା ଦିନେ ମଧ୍ୟ ଦୁଇ ଦିନକୁ ଥରେ ପାଇପ ଯୋଗେ ପିଇବା ପାଣି ଦିଆ ଯାଉଛି. ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି. ଗତ କିଛିଦିନ ହେବ ଲଗାଣ ବର୍ଷା ଯୋଗୁଁ ଚାରିଆଡ଼ ଜଳମୟ ହୋଇଥିବା ବେଳେ ରାୟଗଡ଼ବାସୀଙ୍କ ପାନୀୟଜଳ ସମସ୍ୟାରେ ସୁଧାର ଆସିପାରିନାହିଁ। ବର୍ଷା ଦିନରେ ମଧ୍ଯ ଦୁଇ ଦିନକୁ ଥରେ ପାନୀୟ ଜଳ ଯୋଗାଣକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶଯେ, ରାୟଗଡ଼ ଗ୍ରାମର ଜନସଂଖ୍ୟା ୮ ହଜାରରୁ ଉର୍ଦ୍ଧ ଅଟେ। ଏହି ଗ୍ରାମ ନିକଟରେ ଥିବା ମହେନ୍ଦ୍ରତନୟା ନଦୀରୁ ପାଇପ୍ ଯୋଗେ ପାଣି ଉଠାଇ ରାୟଗଡ଼ ଗ୍ରାମକୁ ଯୋଗାଇ ଦିଆଯାଉଛି। ପାଇପ୍ଲାଇନ ଯୋଗେ ଆସୁଥିବା ପାଣି ଉପରେ ହିଁ କେବଳ ଗ୍ରାମବାସୀ ନିର୍ଭର କରିଥାନ୍ତି | କିନ୍ତୁ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ଜଳସ୍ତର ହ୍ରାସ ପାଇଥିଲା। ଏଥିଯୋଗୁଁ ଲୋକଙ୍କୁ ପାନୀୟଜଳ ଯୋଗାଣରେ ସମସ୍ୟା ଦେଖା ଦେଇଥିଲା। ଏହାର ପ୍ରତିକାର ଦୃଷ୍ଟିରୁ ପଞ୍ଚାୟତ ପ୍ରଶାସନ ଉକ୍ତ ନଦୀ ନିକଟରେ ଏକ ବନ୍ଧ ବାନ୍ଧି ପାଣି ଗଚ୍ଛିତ ରଖି ଦୁଇ ଦିନକୁ ଥରେ ପାନୀୟଜଳ ଯୋଗାଇ ଦେଉଥିଲେ | ହେଲେ ବର୍ତ୍ତମାନ ଲଗାଣ ବର୍ଷାରେ ନଦୀ, ନାଳ, ପୋଖରି ଆଦି ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଦୁଇ ଦିନରେ ଥରେ ରାୟଗଡ଼କୁ ଜଳ ଯୋଗାଣ କରାଯାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।