କାଳୀଆମ୍ବ ଗ୍ରାମରେ ପାନୀୟଜଳ ସମସ୍ୟା: ବିଡ଼ିଓଙ୍କୁ ଭେଟିଲେ ଗ୍ରାମବାସୀ

ହାଟଡିହି(ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ଅଧୀନ ୫ନଂ ୱାର୍ଡ କାଳିଆମ୍ବ ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଛି। ଏନେଇ  କାଳିଆମ୍ବ ଗ୍ରାମବାସୀ ମାନେ ବିଡିଓଙ୍କ ନିକଟରେ ଗତକାଲି ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ ୧୦ଦିନ ପୂର୍ବେ ପଞ୍ଚାୟତ ଓଭରହେଡ୍ ପାଣିଟାଙ୍କିରେ ସଂଯୋଗ ହୋଇଥିବା ପାଣି ମଟର ପୋଡ଼ିଯିବା କାରଣରୁ ଗ୍ରାମବାସୀ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହି ଗ୍ରାମରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ପଞ୍ଚାୟତ ଓଭରହେଡ୍‌ ପାଣି ହିଁ ସେମାନଙ୍କ ପାଇଁ ଏକମାତ୍ର ଭରସା । ପ୍ରକାଶ ଥାଉକି, କାଳିଆମ୍ବ ଗାଁରେ ମେଗା ପାନୀୟଜଳ ପ୍ରକଳ୍ପ ଯୋଜନା ତରଫରୁ ଏକ ବିରାଟ ପାଣିଟାଙ୍କି ନିର୍ମାଣ ହୋଇଛି। କିନ୍ତୁ ଦୁଃଖର ବିଷୟ ଗାଁକୁ ପାଣି ପାଇପ୍ ସଂଯୋଗ ନଥିବାରୁ ଗ୍ରାମବାସୀ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ମେଗା ପାନୀୟଜଳ  ପ୍ରକଳ୍ପ ଉପରେ ବୀଣାପାଟିଆ, ଜଲଦା, ଚାପଲ, ଡ଼ଙ୍ଗାଚୁଆ, କାଳିଆମ୍ବ ମାଝୀ ସାହି ଓ ନାଇକ ସାହି ବାସିନ୍ଦା ନିର୍ଭର କରୁଥିଲା ବେଳେ ସେଥିରୁ ଏଯାଏଁ ପାନୀୟଜଳ ଯୋଗାଣ ହୋଇପାରିଲା ଆଜିଯାଏଁ ନାହିଁ । ମେଗା ପାନୀୟଜଳ ପ୍ରକଳ୍ପ ଅଧୂକାରୀ ଓ କର୍ମଚାରୀଙ୍କ ଅବହେଳା ପାଇଁ ଆଜିଯାଏଁ ପାନୀୟଜଳ ବ୍ୟବସ୍ଥା ହୋଇପାରିନି । ଏହି ଗାଁ ମାନଙ୍କରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ, ବର୍ତମାନ ପାଣି ପାଇଁ ପ୍ରାୟ ୬ଶହରୁ ଊର୍ଦ୍ଧ୍ବ ଲୋକେ ହନ୍ତସନ୍ତ ହେଉଛନ୍ତି। କାଳିଆମ୍ବ ଗ୍ରାମରେ ପାନୀୟଜଳ ସମସ୍ୟା ତୁରନ୍ତ ଦୂର କରିବାକୁ ଗ୍ରାମର  ସୁରେଶ କପୁଣ୍ଡିଆ, ବନ ମୁର୍ମୁ, ପରଦେଶୀ ନାଇକ, ସୁବର୍ଣ୍ଣ ଦଣ୍ଡପାଟ, ବସନ୍ତ ନାଇକ, ସୁଦର୍ଶନ ଦଣ୍ଡପାଟ, ରମେଶ ଟୁଡୁ, ବିବେକାନନ୍ଦ ଖଣ୍ଡେଇ, ବିଷ୍ଣୁ ମୁର୍ମୁ ପ୍ରମୁଖ  ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।  ସୋମ‌ବାର ସୁଦ୍ଧା ସମସ୍ୟାର ସମାଧାନ କରାଯିବା ନେଇ ବିଡିଓ ରଞ୍ଜନ କୁମାର ପରିଡ଼ା ପ୍ରତିଶ୍ରୁତି ଦେବା ସହିତ ସୋମବାର ଯାଏଁ ପ୍ରତିଦିନ ୨ବେଳା ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ