ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଅନଶନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ପୂର୍ବତଟ ରେଳ ପଥର ୱେଲ୍ଟୟାର, ସମ୍ବଲପୁର ସମେତ ଖୋର୍ଧା ମଣ୍ଡର ବିଭିନ୍ନ କର୍ମୀଦଳ ନିୟନ୍ତ୍ରକ କାର୍ଯ୍ୟାଳୟ ସ୍ନମୁଖରେ ଆଜି ରେଲଚାଳକ, ସହଚାଳକ ଓ ଟ୍ରେନ ପରିଚାଳକ ମାନେ ଅଖିଆ ଅପିଆ ପୂର୍ବ ତଟ ରେଳପଥ ଶ୍ରମିକ କଂଗ୍ରେସର ନେତୃତ୍ୱରେ ଅନଶନରେ ବସିଛନ୍ତି।ଏହାକୁ ଅଖିଳ ଭାରତୀୟ ରେଲଚାଳକ ସଙ୍ଘ ପୂର୍ଣ ସମର୍ଥନ ଜଣାଇଛି। ସୂଚନାରୁ ପ୍ରକାଶ ଯେ, ୧୨୦କିଲୋମିଟର ଦୈନିକ ମାଇଲେଜ ଭତ୍ତା ପ୍ରଦାନ କରିବା, ରେଳ ଚାଳକଙ୍କ ୦୯ଘଣ୍ଟା କାର୍ଯ୍ୟ ସମୟ ଲାଗୁ କରିବା, ବେନିୟମ ଭାବରେ କାର୍ଯ୍ୟ ସମୟକୁ କାଟିଦେବା, ଦୁଇ ରାତି ଡ୍ୟୁଟି କଲାପରେ ରାତ୍ରି ବିଶ୍ରାମ ଦେବା, ରେଳ ଚାଳକଙ୍କୁ ୩୬ଘଣ୍ଟା ଭିତରେ ନିଜ ମୁଖ୍ୟାଳୟକୁ ଫେରାଇ ଆଣିବା, ରେଳ ବୋର୍ଡର ନିୟମ ଅନୁଯାୟୀ ରନିଂ ରୁମ ଖୋଲିବା, ଟ୍ରାଙ୍ଗୁଲାର କାର୍ଯ୍ୟ ଶୈଳୀକୁ ବନ୍ଦ କରିବା, ଗାର୍ଡ ବ୍ରେକ ଭ୍ୟାନର ଉପଯୁକ୍ତ ମରାମତି କରିବା, ସମସ୍ତ ରେଳ ଇଂଜିନରେ ଏସି ଲଗାଇବା ସହିତ ଖରାପ ଏସି ଗୁଡିକର ତୁରନ୍ତ ମରାମତି କରିବା, ଇଞ୍ଜିନରେ ଟୁଲ ବକ୍ସ ଓ ଲାଇନ ବକ୍ସ ର ବ୍ୟବସ୍ତା କରିବା ଆଦି ୧୧ଦଫା ଦାବି ନେଇ ରେଳ ଚାଳକ ଓ ରେଳ ପରିଚାଳକ ମାନେ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି।ମାତ୍ର ରେଳ ପ୍ରଶାସନ ସର୍ବଦା ଏହାକୁ ଅଣଦେଖା କରି ଆସୁଅଛି। ଏହାର ପ୍ରତିବାଦରେ ଆଜି ଠାରୁ ଖୋର୍ଧା, ପାରାଦୀପ, ତାଳଚେର, ଜଖପୁରା ପ୍ରଭୃତି ସ୍ଥାନ ସମେତ କେନ୍ଦୁଝର ଗଡ଼ରେ କାର୍ଯ୍ୟରତ ରେଲଚାଳକ, ସହଚାଳକ ଓ ରେଳ ପରିଚାଳକ ମାନେ ଅନଶନରେ ବସିଛନ୍ତି। ଯୋନ ସ୍ତରରେ ଅନୁଷ୍ଠିତ ହେଉଥିବା ଏହି ଧର୍ମଘଟରେ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ସାହୁ ନେତୃତ୍ୱ ନେଉଥିବା ବେଳେ ମଣ୍ଡଳ ସ୍ତରରେ ଭଞ୍ଜ, କେନ୍ଦୁଝରରେ ଆଶିଷ କୁମାର ମହାନ୍ତ ପ୍ରମୁଖ ନେତୃତ୍ୱ ନେଉଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ସହିତ ଆବଶ୍ୟକ ପଡ଼ିଲେ ଚକା ବନ୍ଦ କରାଯିବ ବୋଲି ସଂଗଠନ ତରଫରୁ ରେଳ ପ୍ରଶାସଙ୍କୁ ଚେତାବନୀ ଦିଆଯାଇଛି।