ଘରର କାନ୍ଥ ଭାଙ୍ଗିପଡ଼ି ବୃଦ୍ଧା ମୃତ ଘଟଣା: ଦେଢ଼ବର୍ଷ ପରେବି ମିଳିଲାନି ସରକାରୀ ସହାୟତା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଓରାଳି ଗାଁରେ ଗତ ୨୦୨୪ମସିହା ସେପ୍ଟେମ୍ବର ମାସ ୨୪ ତାରିଖରେ ଘରର କାନ୍ଥ ଭାଙ୍ଗିପଡିବାରୁ ଜଣେ ୬୨ ବର୍ଷିୟ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା। ବୃଦ୍ଧାଙ୍କ ମୃତ୍ୟୁର ୨୨ ମାସ ପରେବି କୌଣସି ସରକାରୀ ସହାୟତା ପାଇପାରୁ ନାହାନ୍ତି ପରିବାର ଲୋକେ। ଏନେଇ ସେ ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ତାଙ୍କ ଅଭିଯୋଗକୁ କେହି ଗୁରୁତ୍ୱ ଦେଲେନି। ଯାହାକୁ ନେଇ ପରିବାର ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାଇ ୨୦୨୪ମସିହା ସେପ୍ଟେମ୍ବର ମାସ ୨୪ ତାରିଖରେ ଲଘୁରୂପ ଜନିତ ଲଗାଣ ବର୍ଷା ହେବା ଯୋଗୁ ମାଟି କାନ୍ଥଟି ଭିତର ପଟକୁ ଢଳି ରହିଥିଲା। ଦିନ ୧୧ଟା ବେଳେ ତରୁ ଯେନା ନାମକ ଏହି ବୃଦ୍ଧା ଜଣକ ନିଜ ଘରେ ବସି ଖାଉଥିବା ସମୟରେ ହଠାତ ମାଟି ଘରର କାନ୍ଥଟି ତାଙ୍କ ଉପରେ ଭାଙ୍ଗି ପଡିଥିଲା। ଫଳରେ କାନ୍ଥ ତଳେ ଚାପିହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହାଟଡିହି ଦମକଳ ବାହିନୀ ପହଞ୍ଚି ମୃତ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହିତ ନନ୍ଦିପଦା ପୋଲିସ ପହଞ୍ଚି ଶବକୁ ଜବତ୍ କରିବା ସହିତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ଓରାଳି ଆର. ଆଇ. ସର୍କଲର ରାଜସ୍ଵ ନିରିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଏହାର ନିରିକ୍ଷଣ ମଧ୍ୟ କରିଥିଲେ। ତରୁଙ୍କ ମୃତ୍ୟୁର ୨୨ମାସ ବିତିଥିଲେ ବି ତରୁଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିପାରିନି। ଏନେଇ ତରୁଙ୍କ ପୁଅ ପ୍ରଦୀପ ଜେନା ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ଗୁହାରୀ କରୁଥିଲେ ମଧ୍ୟ ସହାୟତା ତ ଦୁରର କଥା ତାଙ୍କ ଅଭିଯୋଗ କୃ ଠିକ୍ ଭାବେ ଗ୍ରହଣ କରୁନାହାନ୍ତି ବୋଲି ପ୍ରଦିପ ଅଭିଯୋଗ କରିଛନ୍ତି। ପ୍ରଦୀପ ଜଣେ ଗରିବ ପରିବାରର ବ୍ୟକ୍ତି ହୋଇଥିବା ବେଳେ ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି। କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ସମାଜସେବୀ ବୁବୁ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଅରୁଣ ପ୍ରଧାନ, ପ୍ରତାପ ଜେନା, ସମିତି ସଭ୍ୟ ଦେବବ୍ରତ ବେହେରା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଯେ ଏନେଇ ପୂର୍ବରୁ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲି। ସରକାରଙ୍କ ନୀତି ନିୟମ ଅନୁଯାଇ ଯାହା ସହାୟତା ମିଳିବାର ଥିବ ସେହି ଅନୁସାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ତହସିଲଦାର ସଞ୍ଜୟ ସାମନ୍ତରାୟଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୁଁ ତ ଏବେ କାର୍ଯ୍ୟଭାର ଗ୍ରହଣ କରିଛି, ସେ ବାବଦରେ ଜାଣିନି, ଫାଇଲ ଦେଖିବା ପରେ ଯାହା କହିବି ବୋଲି କହିଛନ୍ତି।


