ପିଏମ୍‍ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟରେ ନାମଲେଖା ମେଳା

ଆସିକା (ୱାଇଏନ୍‍ଏସ୍‍): ଅଧାରୁ ପାଠ ଛାଡିଥିବା ଓ ବିଦ୍ୟାଳୟରେ ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍‍ କରିବା ଏବଂ ସେମାନଙ୍କୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପ୍ରଦାନ କରିବାରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ପାଠ୍ୟକ୍ରମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ଶିକ୍ଷାହାର ବୃଦ୍ଧି କରିବା ନେଇ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଥିଲା ବେଳେ ଏହି ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମର ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରି ସଫଳ ରୂପାୟନ ପାଇଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତିଙ୍କ ମାର୍ଗଦର୍ଶନରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଏବଂ ଭଂଜ ବେହେରା ଓ ପିଏମ୍‍ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟରେ ଖୋଲିଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଠ୍ୟକ୍ରମର ସଂଯୋଜକ ତଥା ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କ ସମେତ ଶିକ୍ଷାବିଭାଗର ପଦାଧିକାରୀମାନେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା), ଗଞ୍ଜାମ ଜିଲ୍ଲା ଶିକ୍ଷାବିଭାଗ, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୁରବାର ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ପକ୍ଷରୁ ଏକ ବୃହତ୍‍ ନାମଲେଖା ମେଳା ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପିଏମ୍‍ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ସଂଯୋଜକ ତଥା ଶିକ୍ଷାନୁଷ୍ଠାନକ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ଓ ସହସଂଯୋଜକ ତଥା ସହକାରୀ ଶିକ୍ଷକ ରଂଜିତ୍‍ କୁମାର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି ଓ ସମ୍ମାନିତ ଅତିଥି ରୂପେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଆଲିପୁର ସ୍ଥିତ ଶ୍ରୀକ୍ଷେତ୍ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଗୌଡ, ରିଷିପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ନାହାକ, ସରକାରୀ ଟେକନିକାଲ୍‍ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପଣ୍ଡା, ବରଗାଁ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟ, ଭେଟନଇ ଭୀମସେନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧାଂଶୁ ଶେଖର ପାଢୀ ପ୍ରମୁଖ ଯୋଗଦେଇ ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ନାମ ଲେଖାଇବା ପାଇଁ ଥିବା ବିଭିନ୍ନ ନୀତିନିୟମ ଉପରେ ବିସ୍ତୃତ ଭାବେ ବୁଝାଇବା ସାଙ୍ଗକୁ ଏକାଗ୍ରତା ଓ ଆତ୍ମବିଶ୍ୱାସର ସହ ପାଠପଢି ଉତ୍ତୀର୍ଣ୍ଣ ହେବାକୁ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ଗତ ସେପ୍ଟେମ୍ବର ମାସ ପହିଲାରୁ ଚଳିତ ଜାନୁୟାରୀ ମାସ ୧୪ ତାରିଖ ସୁଦ୍ଧା ୧୪୬ ଜଣ ନାମ ଲେଖାଇଥିଲା ବେଳେ ଆଜି ଅନୁଷ୍ଠିତ କର୍ମଶାଳା ଓ ନାମଲେଖା ମେଳାରେ ୧୪ ଜଣ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ଜଣାପଡିଛି । ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ଦଶମ ଶ୍ରେଣୀରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ଚତୁର୍ଥ ପାସ୍‍ ରହିଥିଲା ବେଳେ ୧୪ ରୁ ୧୮ ବର୍ଷ ବୟସର ପିଲାଙ୍କୁ ମାଗଣାରେ ନାମ ଲେଖାଯାଉଥିବା ଶିକ୍ଷାବିଭାଗ ସୂତ୍ରରୁ ପ୍ରକାଶ । ଆସିକା ଶିକ୍ଷାବିଭାଗ ପକ୍ଷରୁ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ଅନୁଷ୍ଠିତ ବୃହତ୍‍ ନାମଲେଖା ମେଳା ଓ କର୍ମଶାଳାରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଆଗ୍ରହୀ ଯୁବପିଢୀ ଯୋଗଦେଇଥିଲା ବେଳେ ସେମାନଙ୍କୁ ଶିକ୍ଷାବିଭାଗ ପକ୍ଷରୁ ନାମଲେଖା ସଂକ୍ରାନ୍ତୀୟ ପୁସ୍ତିକା ଓ ମାଗଣା ପାଠ୍ୟକ୍ରମ ବହି ଯୋଗାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ