ଅବକାରୀ ଚଢାଉ, ନକଲି ବିଦେଶୀ ମଦ ଜବତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ ସଦଳବଳେ ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର ବ୍ୟବସାୟୀ ଶାନ୍ତନୁ ବିଷୋୟୀ ଙ୍କ ଘରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ବିକ୍ରୀ ପାଇଁ ମହଜୁଦ ଥିବା ଦେଖିବାକୁ ପାଇଥିଲେ। ଉକ୍ତ ଘର ମଧ୍ୟରୁ ବିଭିନ୍ନ ନାମୀ ଦାମୀ କମ୍ପାନୀ ର ଲେବୁଲ ଲାଗିଥିବା ବହୁ ସଂଖ୍ୟକ ବିଦେଶୀ ମଦ ବୋତଲ ଏବଂ ଜରି ଅଖା ରେ ଥିବା ବିପୁଳ ପରିମାଣର ଦେଶୀ ମଦ ପାଉଚ ଜବତ କରିଥିଲେ। ଅବକାରୀ କର୍ମଚାରୀ ବୃନ୍ଦ ଖାନ ତଲାସ କରି ସେଠାରୁ ନକଲି ବିଦେଶୀ ମଦ, ମଦ ପ୍ରସ୍ତୁତି ସରଞ୍ଜାମ , ବହୁ ସଂଖ୍ୟକ ଖାଲି ବୋତଲ ଓ ଦୁଇଟି ବଟଲିଂ ମେସିନ ଜବତ କରିଥିଲେ।ଉକ୍ତ ଘର ମଧ୍ୟରୁ ୭୫୦ ମିଲି ମିଟର ବିଶିଷ୍ଟ ୩୦ ଟି ଖାଲି ବୋତଲ,୧୮୦ ମି. ମି ବିଶିଷ୍ଟ ୫୦ ଟି ବୋତଲ,୧୭ ଟି ଖାଲି ପେପର କାର୍ଟୁନ୍,୨୨ ଲିଟର ୫୦୦ ମିଲି ମିଟର ନକଲି ବିଦେଶୀ ମଦ, ୨୦ ଲିଟର ୭୦୦ ବିଦେଶୀ ମଦ,୪୪.୨ ଲିଟର ବିୟର ମଦ,୮ ଲିଟର ସରକାରୀ ଦେଶୀ ମଦ ଜବତ କରିଥିଲେ।ସେଠାରେ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ଜବତ ତାଲିକା ପ୍ରସ୍ତୁତ କରାଯିବା ସହ ଜବତ ସମସ୍ତ ନକଲି ମଦ ରୁ କେମିକାଲ ପରୀକ୍ଷା ନିମନ୍ତେ ନମୂନା ସଂଗ୍ରହ କରାଯାଇ ପେପର ସିଲ୍ କରାଯାଇଥିଲା।ପରେ ଶାନ୍ତନୁ ଙ୍କୁ ଗିରଫ କରି ଅବକାରୀ ଥାନାକୁ ଉଠାଇ ଅଣାଯାଇଥିଲା। ପରେ ଅବକାରୀ ଥାନା ମାମଲା ନଂ.୧୦୩/୨୬-୨୭ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିଲା।ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଚଢାଉ ଧରପଗଡରେ ଏଏସଆଇ ଏନ୍. ତ୍ରିପତି, କନେଷ୍ଟବଳ ରାଜେଶ ଜେନା, ବଳରାମ ପାତ୍ର,ଏସ.କେ. ରାଜେଶ ଉଦ୍ଦିନ୍, ଆଲଫ ଲତା ସାହୁ ପ୍ରମୁଖ ସାମିଲ ଥିଲେ। ପ୍ରାପ୍ତ ସୂଚନା କୁ ଭିତ୍ତି କରି ଅବକାରୀ ଟିମ୍ ଉକ୍ତ ଘରେ ଚଢ଼ାଉ କରି ବିଭିନ୍ନ ନାମୀ ଦାମୀ କମ୍ପାନୀ ର ଲେବୁଲ ଲାଗିଥିବା ବହୁ ସଂଖ୍ୟକ ବିଦେଶୀ ମଦ ବୋତଲ ଏବଂ ଜରି ଅଖା ରେ ଥିବା ବିପୁଳ ପରିମାଣର ଦେଶୀ ମଦ ପାଉଚ ଜବତ କରିଥିବା ଜଣାପଡ଼ିଛି।ଶାନ୍ତନୁ ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କୁ ଚୋରା ଚାଲାଣ କରୁଥିଲେ ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଥିବା ଅବକାରୀ ଓଆଇସି କହିଛନ୍ତି।


