ଫକୀରମୋହନ କଲେଜଛାତ୍ରୀ ଆତ୍ମାହୁତି ପ୍ରସଙ୍ଗ: ଆସନ୍ତା ୧୬ରେ ବାଲେଶ୍ୱର ବନ୍ଦ ପାଇଁ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା): ଫକୀରମୋହନ ମହାବିଦ୍ୟାଳୟର ଜନୈକା ଚାତ୍ରୀ ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ଓ ମାନସିକ ନିର୍ଯାତନାର ଶିକାର ହୋଇ ଗତ ୧୨ ତାରିଖ ଦିନ ଆତ୍ମଦାହ ପାଇଁ ଉଦ୍ୟମ କରିବା ଘଟଣାରେ ବାଲେଶ୍ୱର ସିଭିଲ୍ ସୋସାଇଟି ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ସୋସାଇଟିର ଏକ ଜରୁରୀ ବୈଠକ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ପିଡ଼ିତା ଛାତ୍ରୀ ମୁମୂର୍ଷୁ ଅବସ୍ଥାରେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। ଛାତ୍ରୀଜଣକ ଏପରି ଏକ ଚରମ ନିଷ୍ପତ୍ତି ନେବା ପୂର୍ବରୁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ପୋଲିସକୁ ଓ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଜଣାଇଥିଲେ। କିନ୍ତୁ କୌଣସି ମହଲରୁ ନ୍ୟାୟ ନପାଇବାରୁ ଛାତ୍ରୀଜଣକ ଆତ୍ମହତ୍ୟା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବାଲେଶ୍ୱରରେ ଜନୈକ ବରିଷ୍ଠ ଆଇନଜୀବୀଙ୍କୁ ଥାନା ଭିତରେ ଆକ୍ରମଣ ଘଟଣାରେ ପୋଲିସ୍ ଏତଲାକୁ ପଞ୍ଜିକୃତ କଲାନାହିଁ। ବାଲେଶ୍ୱରରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବ୍ୟାହତ ହୋଇଛି ବୋଲି ସଂପାଦକ ମନୋଜ ନାୟକ ଅଭିଯୋଗ କରିଥିଲେ। ତେଣୁ ବାଲେଶ୍ୱର ବନ୍ଦ ପାଇଁ ବୈଠକରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ତେଣୁ ଆସନ୍ତା ୧୬ ତାରିଖ, ବୁଧବାର ଦିନ ଅପରାହ୍ନ ୪ଟାରେ ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ ଏକ ପରିବର୍ଦ୍ଧିତ ବୈଠକରେ ବାଲେଶ୍ୱର ବନ୍ଦ ପାଇଁ ତାରିଖ ଓ ତରିକା ଧାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉକ୍ତ ବୈଠକରେ ବାଲେଶ୍ୱରର ସମସ୍ତ ସାମାଜିକ ଓ ଗଣସଂଗଠନ, ବୁଦ୍ଧିଜୀବୀ, ଛାତ୍ରନେତା ଓ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେବାକୁ ନିବେଦନ କରାଯାଇଛି।
ଏହି ବୈଠକରେ ସର୍ବଶ୍ରୀ ବିପ୍ଳବ କୁମାର ମହାନ୍ତି, ଗୌରାଙ୍ଗ ପାଣିଗ୍ରାହୀ, ସନ୍ତୋଷ ସାହୁ, ଗଣେଶ୍ୱର ରାଉତ, ଡ. କ୍ଷିତୀଶ୍ୱର ଦାଶ, ରୋଜି ପଟ୍ଟନାୟକ, ରାଜକିଶୋର ଲେଙ୍କା, ଶରତ ଚନ୍ଦ୍ର ଦଳାଇ, ପ୍ରଭାକର ବେହେରା, କମଳାକାନ୍ତ ବେହେରା, ପ୍ରଫୁଲ୍ଲ କୁମାର ଦାସ ଓ ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉମାକାନ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ