ସରକାରୀ କଟକଣା ଯୋଗୁ ଆଗେଇ ପାରୁନି ଚାଷୀ ପଞ୍ଜୀକରଣ: ଚାଷୀ ହନ୍ତସନ୍ତ

ହାଟଡିହି-, ୨୯/୭  : ଆସନ୍ତା ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜୀକରଣ ପାଇଁ ରାଜ୍ୟ ସରକାର କରିଥିବା କଟକଣା ଯୋଗୁ କେନ୍ଦୁଝର ଜିଲା ହାଟଡିହି ବ୍ଳକରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ଆଗେଇ ପାରୁନଥିବା ଦେଖାଯୋଇଛି। ଗତ ୧୯ ତାରିଖ ଠାରୁ ବିଭିନ୍ନ ସମବାୟ ସମିତିରୁ ଚାଷୀ ମାନେ ଫର୍ମ ନେଇଥିଲେ ମଧ୍ୟ ଅଦ୍ୟାବଧୂ ୧୦ ପ୍ରତିଶତ ଚାଷୀ ଫର୍ମ ଡିପୋଜିଟ୍ କରିନଥୁବା ଜାଣିବାକୁ ମିଳିଛି । ଚାଷୀ ମାନେ ଆବଶ୍ୟକ କାଗଜ ପତ୍ର ସଂଗ୍ରହ କରି ପାରୁନଥିବାରୁ ଫର୍ମ ଡିପୋଜିଟ୍ କରି ପାରୁନାହାନ୍ତି । ଆବଶ୍ୟକ ଉପକରଣ ଅଭାବରୁ ଗୋଟିଏ ଗୋଟିଏ ସମିତିରେ ଦିନକୁ ମାତ୍ର ୫/୬ଜଣଙ୍କର ନାମ ପଞ୍ଜିକରଣ ହେଉ ଥିବାରୁ ଅବଧି ସମୟ ଭିତରେ ପଞ୍ଜିକରଣ ସରିବା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ସରକାରଙ୍କର ଏପରି କଟକଣା ଯୋଗୁ ଏଥର ବହୁ ଚାଷୀ ଧାନ ବିକ୍ରୟ କରିବାରୁ ବଞ୍ଚତ ହେବେ ବୋଲି ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଆସନ୍ତା ଖରିଫ ଧାନ ସଂଗ୍ରହ ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ ସମବାୟ ସମିତିରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତ ଜୁଲାଇ ୧୯ ଠାରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଫର୍ମ ବଣ୍ଟନ ଏବଂ ଅଗଷ୍ଟ ୨୦ ମଧ୍ୟରେ ଚାଷୀଙ୍କ ନାମ ପଞ୍ଜୀକରଣ କରିବାର ନିର୍ଦ୍ଦେଶ ରହିଛି। ପଞ୍ଜୀକରଣ ବେଳେ ଉତ୍ତରାଧିକାରୀ ପ୍ରମାଣ ପତ୍ର ବାଧ୍ୟତା ମୂଳକ ଥିବା ବେଳେ ବ୍ୟାଙ୍କ ଏକାଉଣ୍ଟ ସହ ଆଧାର ପଞ୍ଜୀକରଣ, ବ୍ୟାଙ୍କଖାତା ଓ ଆଧାର ମଧ୍ୟରେ ଇ-କେୱାଇସି ସଂଯୋଗ, ଚାଷୀଙ୍କ ଆଖ୍ ସ୍କାନ ଏବଂ ଭାଗ ଚାଷୀଙ୍କ ନାମ ପଞ୍ଜୀକରଣ ବେଳେ ଜମି ମାଲିକଙ୍କୁ ସାଙ୍ଗରେ ଆଣିବା ଆଦି ବିଭିନ୍ନ ନିୟମ କରାଯାଇଛି । ଏସବୁ କଟକଣା ଯୋଗୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରୁଥିବା ବହୁ ଆବେଦନକାରୀ (ଚାଷୀ)ଙ୍କର ନିଜ ନାମରେ ଚାଷ ଜମି ନାହିଁ । ବାପ କିମ୍ବା ମାଆଙ୍କ ନାମରେ ଚାଷ ଜମି ଥିବା ବେଳେ ସେମାନେ ମୃତ୍ୟୁ ବରଣ କରିଥିବାରୁ ଉତ୍ତରାଧୁକାରୀ ପ୍ରମାଣ ପତ୍ରର ଆବଶ୍ୟକ‌ତା  ପଡ଼ୁଛି । ଏହି ପ୍ରମାଣ ପତ୍ର ଖୋଲିବା ପାଇଁ ଏକ ମାସ ସମୟ ଲାଗୁଥିବାରୁ ଏହା ସମ୍ଭବପର ହୋଇପାରୁନାହିଁ । ଫଳରେ ଏବେ ବଂଶାବଳୀ ରିପୋର୍ଟ ପାଇବାକୁ ଚାଷୀ ମାନେ ରାଜସ୍ୱ ବିଭାଗ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଭିଡ ଜମାଉଥିବା ଦେଖାଯାଇଛି । ଏହି ରିପୋର୍ଟ ପାଇବା ପାଇଁ ଚାଷୀ ମାନଙ୍କୁ ୩ରୁ ୪ ଥର ଦୌଡିବାକୁ ପଡିବା ସହ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ସେହିପରି ଭାଗ ଚାଷ କରୁଥିବା ଚାଷୀଙ୍କ ମାଲିକ ବାହାରେ ରହୁଥ‌ିବାରୁ ପଞ୍ଜୀକରଣ ନିମନ୍ତେ ଭାଗଚାଷୀଙ୍କ ସହ ଆସିବା ସମ୍ଭବପର ହୋଇପାରୁନାହିଁ । ହାଟଡିହି ବ୍ଲକର ଡଅଁର ସମବାୟ ସମିତିରେ ଗତବର୍ଷ ୨୩୪୧ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ବର୍ତ୍ତମାନ ସୁଧା ମାତ୍ର ୭୩ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ସେହିପରି ମରେଇ ଗାଁ ସମିତିରେ ୧୫୫୦ ଚାଷୀ ଙ୍କ ମଧ୍ୟରୁ ୮୦ଜଣ, ସମଣା ସମିତିରେ ୧୭୦୦ ଚାଷୀଙ୍କ ମଧ୍ୟରୁ ୭୧ଜଣ, ସଢ଼ା ସମିତିରେ ୧୭୫୦ ଚାଷୀଙ୍କ ମଧ୍ୟରୁ ୧୯୫ଜଣ ପଞ୍ଜୀକୃତ କରିଛନ୍ତି। ସୋସୋ ସମବାୟ ସମିତିରେ ୧୦୩୧ ଚାଷୀଙ୍କ ମଧ୍ୟରୁ ୬୨ଜଣ, ବଡରମ୍ପାସ ସମିତିରେ ୧୦୦୦ଚାଷୀଙ୍କ ମଧ୍ୟରୁ ୧୮୦ଜଣ, ବାଙ୍ଗୋର ସମିତିରେ ୯୦୦ଚାଷୀଙ୍କ ମଧ୍ୟରୁ ୩୦ଜଣ, ପଞ୍ଚୁ ଗୋଛିଆ ସମିତିରେ ୮୫୦ଚାଷୀଙ୍କ ମଧ୍ୟରୁ ୫୦ ଜଣ, ଓରାଳି ସମିତିରେ ୫୦୦ଚାଷୀଙ୍କ ମଧ୍ୟରୁ ୪୦ଜଣ, ସୁଲଣ ସମିତିରେ ୩୦୦ଚାଷୀଙ୍କ ମଧ୍ୟରୁ ୩୦ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଛି। ଦିନବେଳା ଅନଲାଇନ୍ ସର୍ବର ଠିକ୍ ରହୁ ନଥିବାରୁ ଦିନକୁ ମାତ୍ର ୫/୬ ଜଣଙ୍କ ନାମ ପଞ୍ଜିକରଣ ହୋଇ ପାରୁଛି। ଗୋଟିଏ ଲେଖାଏଁ ସ୍କାନର ଦିଆ ଯାଇ ଥିବାରୁ ଆଖି ସ୍କାନରେ ବିଳମ୍ବ ଘଟୁଛି ବୋଲି ସମିତିର ସମ୍ପାଦକ ମାନେ କହୁଛନ୍ତି। ଏସବୁ କଟକଣାକୁ ଚାଷୀ ମାନେ ତୀବ୍ର ବିରୋଧ କରିବା ସହ ରାଜ୍ୟ ସରକାର ଏହାକୁ କୋହଳ କରିବାକୁ ଚାଷୀ ମହଲରେ ଦାବି ହୋଇଛି । ନହେଲେ ଆଗାମୀ ଦିନରେ ଚାଷୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ